କୃଷି ପରାମର୍ଶ ବ୍ୟବସ୍ଥାକୁ ଇଟି ଡିଜିଟେକ ପୁରସ୍କାର 


 ଭୁବନେଶ୍ୱର: କୃଷି ବିଭାଗ ଦ୍ୱାରା ବିକଶିତ ଡିଜିଟାଲ କୃଷି ସମ୍ପ୍ରସାରଣ ବ୍ୟବସ୍ଥା, କୃଷି ସମୃଦ୍ଧି ପରାମର୍ଶକୁ ଇଟି ଡିଜିଟେକ୍ ପୁରସ୍କାର ମିଳିଛି  । ଇକୋନୋମିକ୍ ଟାଇମ୍ସ କନକ୍ଲେଭ ଦ୍ୱାରା ନୂଆଦିଲ୍ଲୀସ୍ଥିତ ହୟାତ୍ ରିଜେନ୍ସିରେ ଅନୁଷ୍ଠିତ ଡିଜିଟେକ୍ ପୁରସ୍କାର ୨୦୨୫ ସମାରୋହରେ ଜୁରି ଚଏସ୍ ବର୍ଗରେ ‘କୃଷି ଓ କୃଷକ ସଶକ୍ତିକରଣରେ ଡିଜିଟାଲ୍ ପଦକ୍ଷେପ’ ଅଧିନରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଏହାର କୃଷକ ମୁଖୀ ଫସଲ ପରାମର୍ଶ ସେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି  ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆବାସିକ କମିଶନର ବିଶାଳ ଗଗନ ପୁରସ୍କାର ଗ୍ରହଣ କରିଛନ୍ତି । ପାରମ୍ପରିକ ସମ୍ପ୍ରସାରଣ ପଦ୍ଧତିରେ ଥିବା ସମସ୍ୟା ଏବଂ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱକୁ ଅନୁଭବ କରି ଓଡ଼ିଶା ସରକାର କୃଷି ସମୃଦ୍ଧି ଆରମ୍ଭ କରିଥିଲେ  । ଯାହା ଚାଷୀମାନଙ୍କୁ ଡିଜିଟାଲ ସମ୍ପ୍ରସାରଣ ସେବା ପ୍ରଦାନ କରିବା ପାଇଁ ଏକ ପ୍ରୟାସ  ।  ଏହି ସେବା କୃଷି ବିଷୟରେ ଜମି ପ୍ରସ୍ତୁତି ଠାରୁ ଆରମ୍ଭ କରି ସାର ପରିଚାଳନା ତଥା ଅମଳ ପରବର୍ତ୍ତୀ ପରିଚାଳନା ପର୍ଯ୍ୟନ୍ତ ପରିସର ଅନ୍ତର୍ଭୁକ୍ତ  । ରାଜ୍ୟର ୭୫ ଲକ୍ଷରୁ ଅଧିକ ଚାଷୀଙ୍କୁ ପ୍ରାୟ ୨ ହଜାରରୁ ଉଦ୍ଧ୍ୱର୍ ଆବଶ୍ୟକୀୟ ପରାମର୍ଶ  ପ୍ରଦାନ କରାଯାଉଛି  ।