କେନାଲରେ ନାହିଁ ପାଣି, ଚାଷ କାର୍ଯ୍ୟ ବିଳମ୍ବ 

ଫୁଲବାଣୀରୁ ପାର୍ଥ ବିଶ୍ୱାଳ: 
ଗ୍ରୀଷ୍ମ ଯାଇ ଏବେ ବର୍ଷା ଋତୁ ଚାଲିଛି  । ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ଏବେ ଅଣ୍ଟା ଭିଡ଼ିଛି ।ଚାଷ ଜମିରେ ହଳ ନଙ୍ଗଳ କରିବା ପରେ ଧାନ ତଳି ପକାଇବା ପାଇଁ ପ୍ରସ୍ତୁତି ହେଉଥିବା  କେନାଲରେ ପାଣି ନାହିଁ  । ଚିନ୍ତାରେ ଚାଷୀ  । କାହିଁକି ନା ରକ୍ଷଣ ବେକ୍ଷଣ ଅଭାବ ଯୋଗୁଁ କେନାଲ ଭିତରେ ମାଟି ଭର୍ତ୍ତି ହୋଇ ରହିବା ସହିତ ଅନା ବନା ଗଛ ସହିତ ଘାସ ଭରି ହୋଇ ରହିଛି  । କେନାଲ ସଫେଇ ଏବଂ ମରାମତି କରିବା ପାଇଁ ଚାଷୀ ମାନେ ବାରମ୍ବାର ଦାବି କରିଥିଲେ  ସୁଦ୍ଧା କର୍ଣ୍ଣ ପାତ ନ କରି ବିଭାଗ ଚୁପ୍ ବସି ରହିଛି  । ଆଷାଢ ମାସରେ ତରବରିଆ ଭାବେ କେନାଲ ସଫେଇ କାମ ଆରମ୍ଭ କରିଛି  । ଯେଉଁ ସ୍ଥାନରେ କେନାଲ ମରାମତି କରାଯାଉଛି ସେଠାରେ କେଉଁ ବିଭାଗ ଦ୍ୱାରା କେଉଁ ଯୋଜନାର କେତେ ଟଙ୍କାର ପ୍ରକଳ୍ପ କାମ ଚାଲିଛି ତାହାର କୌଣସି ସୂଚନା ଫଳକ ନାହିଁ  । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲା ସାଲୁଙ୍କି ଡ୍ୟାମର  ବାମ ପାର୍ଶ୍ୱ କେନାଲରେ  । ପିଲା ସାଲୁଙ୍କି ଜଳ ସେଚନ ବିଭାଗ ଅଧିନରେ ଥିବା କେନାଲ କାମ ମରାମତି ଓ ସଫେଇ କାମ ଚାଲୁ ରହିଛି କିନ୍ତୁ ସୂଚନା ଫଳକ ନ ଥିବାରୁ ସ୍ପଷ୍ଟି କରଣ ହେଉ ନାହିଁ  । ପିଲାସାଲୁଙ୍କି ଡ୍ୟାମରେ ଦୁଇଟି କେନାଲ ଅଛି । ଗୋଟିଏ ବାମ ପାର୍ଶ୍ୱରେ ଏବଂ ଗୋଟିଏ ଡାହାଣ ପାର୍ଶ୍ୱରେ । ବାମ ପାର୍ଶ୍ୱ କେନାଲ ଟି ୨୦କିଲୋମିଟର । ଏହି କେନାଲ  ପାଇଁ ଦୁଇ ଜଣ ଯନ୍ତ୍ରୀ ଜଣେ ଜିରୋରୁ ୧୦ କିଲୋମିଟର ଏବଂ ୧୦ରୁ ୨୦କିଲୋମିଟର ଦାୟିତ୍ୱରେ ଅଛନ୍ତି । ଏବେ ବର୍ଷାଦିନ ଚାଲିଥିବାରୁ କେନାଲରେ  ବେଡ୍ ସଫା କାମ ଚାଲିଛି, ତାହା କେତେ ଟଙ୍କା କେଁଉ ଠାରୁ କେତେ ପର୍ଯ୍ୟନ୍ତ କାମ ହେବ କୋଣସି ସୂଚନା ଫଳକ ଲଗାହୋଇ ନାହିଁ । ଜିରୋ ରୁ ୧୦କିଲୋମିଟର ଦାୟିତ୍ୱ ରେ ଥିବା ଯନ୍ତ୍ରୀ ସୁନିଲ ସେଠିଙ୍କୁ ପଚାରିବାରୁ ସେ ମୁଁ ଜାଣି ନାହିଁ ବୋଲି କହୁଛନ୍ତି । ଏପଟେ ପାଣି ନ ଆସୁଥିବା ଯୋଗୁଁ ଚାଷ ଜମି ପଡ଼ିଆ ପଡିଛି ଏହି ଦୃଶ୍ୟ ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପୁରୁଣା ପାଣି ଜଳ ଭଣ୍ଡାର ର କେନାଲରେ  ।ଏହି ଜଳଭଣ୍ଡାର କେନାଲ ପୁରୁଣା ପାଣି ଠାରୁ ସୁନ୍ଦର୍ ଗଡ ପର୍ଯ୍ୟନ୍ତ ସଂଯୋଗ ହୋଇଛି  । ଏହି ଅଞ୍ଚଳର ଚାଷୀ ମାନେ ଜଳକର ଦେଉଛନ୍ତି  । ମାତ୍ର ଖରା ଦିନ କେନାଲ ମରାମତି କରାଯାଉ ନାହିଁ  ।ଯାହାର ଦୁର୍ଦ୍ଦଶା ଭୋଗିବାକୁ ପଡେ ଚାଷ ବାସ ଦିନରେ । ସୁନ୍ଦର୍ ଗଡ ସ୍କୁଲ ନିକଟରେ ଖରା ଦିନେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ସରକାର ଚାଷ ଜମି ଗୁଡ଼ିକର ମରାମତି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କରିଛନ୍ତି  । ମାତ୍ର ସେହି ବିଲ ଗୁଡ଼ିକୁ କେନାଲ ପାଣି ପହଞ୍ଚି ନ ପାରିଥିବା ଯୋଗୁଁ ତାହା ଏବେ ପଡ଼ିଆ ପଡିଛି । ଏହି ସମସ୍ୟା ସମ୍ବନ୍ଧରେ ପଚାରି ବୁଝିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଫୋନ ମାଧ୍ୟମରେ ଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।