ଖାଲଖମାରେ ଭର୍ତ୍ତି ବରୀ-ବରୁଆଁ ରାସ୍ତା


 ବରୀ: ପୂର୍ତ୍ତ ବିଭାଗ ଅଧିନ ବରୀ-ବରୁଅାଁ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି । ହେଲେ ବିଭାଗର ନଜର ନପଡ଼ିବା ଘଟଣା ଅଶ୍ଚର୍ଯ୍ୟ ଚକିତ କରିବା ପରି ହୋଇଛି । ରାସ୍ତାରେ ସୃଷ୍ଟି ଖାଲଖମା ସାମାନ୍ୟ ବର୍ଷାରେ ଅଧିକ ପ୍ରସାରିତ ହେଉଥିବା ବେଳେ ଏହା ଆଗକୁ ବଡ଼ବଡ଼ ଖାଲରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ବିଭାଗ ଆରମ୍ଭରୁ ଏହାକୁ ମରାମତି କରିବାକୁ ମନ ବଳାଉନି । ଫଳରେ ଗମନା ଗମନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି । ସରକାର ଜନ ସାଧାରଣଙ୍କ ସୁବିଧା ନିମନ୍ତେ ରାସ୍ତା ନିର୍ମାଣ ଏବଂ ମରାମତି ପାଇଁ କୋଟି କୋଟି ଖର୍ଚ୍ଚ କରୁଥିବା ବେଳେ ବରୀ-ବରୁଆଁ ରାସ୍ତାରୁ ପିଚୁ ଉଠି ଖାଲ ପରେ ଶୋଚନୀୟ ହୋଇପଡ଼ିବାରେ ଲାଗିଛି । ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ଯାତାୟତ କରୁଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମୁଖୀନ ହେକ୍ଷଇଛନ୍ତି । ମୁଖ୍ୟ ରାସ୍ତାର ବାଲିଆପାଳ, ଏରବାଙ୍କ ଓ ବିଭିନ୍ନ ସ୍ଥାନମାନଙ୍କରେ ରାସ୍ତା ଉପରେ ଗାଢ଼ ସୃଷ୍ଟି ଯୋଗୁ ବର୍ଷା ପାଣି ରହି ଥିବାରୁ ଦୁର୍ଘଟଣା ଘଟି ଧନ, ଜୀବନ ନଷ୍ଟ ହେଉଛି । ପ୍ରତିଦିନ ହଜାର ହଜାର ଗାଡି, ମଟର ଯାତାୟତ କରୁଛି । ରାସ୍ତା ଦେଇ ଜିଲ୍ଲାର ଅଧିକାଂଶ ପ୍ରଶାସନିକ ଅଧିକାରୀ, ରାଜନେତା ଯାତାୟତ କରୁଥିଲେ ବି କାହାର ଚିନ୍ତାଥିବା ପରି ଲାଗୁନି । ତୁରନ୍ତ ବିଭାଗୀୟ ଅଧିକାରୀ ରାସ୍ତା ମରାମତି କରିବାକୁ ଦାବି କରାଯାଇଛି ।