ଦୁଇ ଭାଇଙ୍କ ଠାରୁ ଲୁଟିଲେ ଟଙ୍କା ଓ ମୋବାଇଲ 

 ବୈଶିଙ୍ଗା : ମୟୂରଭଞ୍ଜ ଜିଲାର ବୈଶିଙ୍ଗା ରୁପସା ମୂଖ୍ୟ ରାସ୍ତାର ବଙ୍ଗାଳିଡାହି ଛକ ନିକଟରେ ଗୁରୁବାର ରାତିରେ ଦୁଇ ଭାଇଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ଏହି ଥାନା ଅର୍ନ୍ତଗତ ବାଛୁରୀପଡା ଗ୍ରାମର ଦୁଇ ଭାଇ ପ୍ରଦୀପ ସାହୁ ଓ ଦିଲିପ ସାହୁ ବାଲେଶ୍ୱର ଜିଲ୍ଲାର ରୁପସା ବଜାର ଅଞ୍ଚଳରେ ଏକ ଗ୍ରୋସରୀ ଦୋକାନ କରିଛନ୍ତି । ସବୁଦିନ ସକାଳେ ଯାଆନ୍ତି ଓ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିଥାନ୍ତି । ତେବେ ଗୁରୁବାରରେ ଦୁଇ ଭାଇ ଏକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବଙ୍ଗାଳିଡାହି ଛକଠାରୁ ଅଳ୍ପ ଦୂରରେ ପୂର୍ବରୁ ଛକି ରହିଥିବା ଦୁଇଟି ବାଇକରେ ଛଅ ଜଣ ଦୁର୍ବୃତ୍ତ ହଠାତ ତାଙ୍କୁ ଅଟକାଇ ଲୁହାରଡ୍ରେ ଆକ୍ରମଣ କରିଥିଲେ । ତାଙ୍କ ପାଖରେ ଥିବା ୧ ଲକ୍ଷ ୧୦ ହଜାର ଟଙ୍କା , ମୋବାଇଲ ଓ ବାଇକ ଚାବି ଛଡ଼ାଇ ନେଇ ପଳାଇଯାଇଥିଲେ । ତେବେ ବହୁ କଷ୍ଟରେ ଚାଲିଚାଲି ବୈଶିଙ୍ଗା ଥାନାରେ ପହଞ୍ଚି ରାତି ଗୋଟାଏ ସମୟରେ ଅଭିଯୋଗ କରିଥିଲେ । ଏହାକୁ ନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରକାଶ କରିଛି  ।