ନୂତନ ଭାବେ ଶବ ବ୍ୟବଚ୍ଛେଦ ଆରମ୍ଭ 

ବେତନଟୀ  : ମୟୁରଭଞ୍ଜ ଜିଲ୍ଲା ବେତନଟୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ଗୃହରେ ପ୍ରଥମ କରି ଶବ ବ୍ୟବଚ୍ଛେଦ କରାଯାଇଛି । ଏହି ଶବ ବ୍ୟବଚ୍ଛେଦ ଗୃହ ବେତନଟୀ ବାସୀଙ୍କର ଗୋଟିଏ ସ୍ୱପ୍ନ ହୋଇ ରହିଯାଇଥିଲା । କିନ୍ତୁ ବଡ଼ସାହି ବିଧାୟକ ନିଜସ୍ୱ ପାଣ୍ଠିରୁ ଅନୁଦାନ ଦେଇ ଗୃହ ନିର୍ମାଣ କରିବା ସହ ଉଦ୍ଘାଟନ କରିଥିଲେ । ଏଣୁ ଆଉ ବେତନଟୀ, ବୈଶିଙ୍ଗା, ବଡ଼ସାହି ଅଧିନରେ ଥିବା ତିନୋଟି ଥାନା ଅଞ୍ଚଳର ଲୋକଙ୍କୁ ଆଉ ବ୍ୟବଚ୍ଛେଦ ନିମନ୍ତେ ଅପେକ୍ଷା କରିବାକୁ ପଡିବ ନାହିଁ । ଶବ ବ୍ୟବଚ୍ଛେଦ ପାଇଁ ନିୟୋଜିତ କର୍ମଚାରୀମାନଙ୍କୁ ଆବଶ୍ୟକ ତାଲିମ୍ ମଧ୍ୟ ପ୍ରଦାନ କରାଯାଇଛି । ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଗ୍ରାମର ସ୍ୱର୍ଗତ ପରେଶଚନ୍ଦ୍ର ସାହୁଙ୍କ ୨୩ବର୍ଷୀୟ ପୁଅ ଶୁଭମ ସାହୁ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ବେଳେ ବୈଶିଙ୍ଗା ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ମୃତଦେହ ଜବତ କରିଥିଲା  । ଶୁଭମଙ୍କ ମୃତଦେହକୁ ବେତନଟୀ ଶବ ବ୍ୟବଚ୍ଛେଦ ଗୃହରେ ବ୍ୟବଚ୍ଛେଦ କରାଯାଇଥିଲା  । ବେତନଟୀ ଅଞ୍ଚଳବାସୀଙ୍କ ସ୍ୱପ୍ନ ପୂରଣରେ ପ୍ରତିଶୃତିବଦ୍ଧ ଲୋକପ୍ରିୟ ବିଧାୟକ ସନାତନ ବିଜୁଳିଙ୍କ ପ୍ରଚେଷ୍ଟା ତଥା ସିଡିଏମଓ ଡ.ପ୍ରଭାତ ବେହେରା, ଏଡିଏମଓ ଡ. ବିଜୟ କୁମାର ଦାସଙ୍କ ତତ୍ପରତାରୁ ଶେଷରେ ବେତନଟୀରେ ଶବ ବ୍ୟବଚ୍ଛେଦ ଆରମ୍ଭ କରାଯାଇଛି  । ଏହି ଅବସରରେ ବେତନଟୀ ଡାକ୍ତରଖାନା ଅଧିକାରୀ ଡ. ସିପୁନ ପଣ୍ଡା, ଜୀବନ ପରିଡା, ଶାନ୍ତନୁ ପଣ୍ଡା, ଚନ୍ଦ୍ର ଶେଖର, ସଞ୍ଜୀବ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ  । ତାଲିମପ୍ରାପ୍ତ ଅମର କୁମାର ମୁଖୀ ମୃତଦେହର ବ୍ୟବଚ୍ଛେଦ କରିଥିଲେ  । ଏହି ଶବବ୍ୟବଛେଦ ଗୃହଟି ବିଧାୟକଙ୍କ ପ୍ରଚେଷ୍ଟାରେ ହୋଇଥିବାରୁ ବେତନଟୀ ଅଞ୍ଚଳବାସୀ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।