କେବେ ମିଳିବ ମଜୁରି?

ନୂଆପଡାରୁ ପରମେଶ୍ୱର ବାରିକ :  ଲୋକଙ୍କୁ କର୍ମ ସଂସ୍ଥାନ ଦେବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏକ ଯୁଗାନ୍ତକାରୀ ଯୋଜନା ଭାବରେ ବିଚାର କରାଯାଏ । କିନ୍ତୁ ଏହି ଯୋଜନାରେ କାମ କରି ଅନେକ ସମୟରେ ଶ୍ରମିକ ମାନେ ମଜୁରୀ ପାଉ ନଥିବା ଅଭିଯୋଗ ହୋଇଥାଏ । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଧୋବେଇ ଗ୍ରାମର ଯୁନାପଡ଼ା । ଏହି ପଡ଼ାର ଦର୍ଲି ବନ୍ଧରେ ୨୦୨୩ ମସିହାରେ ଏକ ପାହାଚ କାମ ସହ ଗାଡୱାଲ୍ କାମ ହୋଇଥିଲା ।
ବୋଡ଼େନ ପଞ୍ଚାୟତ ସମିତି ପକ୍ଷରୁ ମନରେଗା ଯୋଜନାରେ ଏହି କାମ ହୋଇଥିବା ବେଳେ ସ୍ଥାନୀୟ ଶ୍ରମିକ ମାନେ ଏହି କାମରେ ନିଯୁକ୍ତି ପାଇଥିଲେ । ପନ୍ଦର ଦିନ ପର୍ଯ୍ୟନ୍ତ କାମ ହୋଇଥିଲା କିନ୍ତୁ କାମ ସରିବାର ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଅଧିକାଂଶ ଶ୍ରମିକ ଏପର୍ଯ୍ୟନ୍ତ ମଜୁରୀ ପାଇ ନାହାନ୍ତି । ଏନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପ୍ରତିଶ୍ରୁତି ଛଡ଼ା କିଛି ମିଳୁନି । ମୂଲ ଖଟି ପେଟ ପୋଷୁଥିବା ଏହି ଶ୍ରମିକ ମାନେ ମଜୁରୀ ନ ପାଇବାରୁ ନିରାଶ ହୋଇ ପଡିଛନ୍ତି । ଦାଦନ ନଯାଇ ଗାଁରେ କାମ କରିବା ପାଇଁ ସେମାନଙ୍କ ଇଚ୍ଛା ଥିଲେ ମଧ୍ୟ ମଜୁରୀ ନ ମିଳିବା ସେମାନଙ୍କୁ ହତୋସôାହିତ କରିଛି । ଧୋବେଇ ଦର୍ଲି ବନ୍ଧରେ ନିର୍ମିତ ପାହାଚ ଓ ଗାଡ ୱାଲ୍ କାମରେ ଶ୍ରମିକ ମଜୁରୀ ପାଇ ନଥିବା ବେଳେ କାମ ମଧ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି । ପାହାଚରେ ମାଟି ବ୍ୟବହାର ହୋଇଥିବା ମଧ୍ୟ ଶ୍ରମିକ କହିଛନ୍ତି । କର୍ଯ୍ୟସ୍ଥଳୀରେ ବୋର୍ଡ ଲାଗିବା ବାଧ୍ୟତାମୂଳକ ଥିଲେ ମଧ୍ୟ ଲାଗିନି, ଫଳରେ କେତେ ବ୍ୟୟ ଅଟକଳ ହୋଇଛି ଜଣା ପଡିନି । ଶ୍ରମିକ ମାନେ ନଅ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା କହିଛନ୍ତି । ଶ୍ରମିକଙ୍କ ଅଭିଯୋଗ ଉପରେ ନୂଆପଡ଼ା ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଲମ୍ବୋଦର ଧରୁଆଙ୍କୁ ପଚାରିବାରୁ ସେ ଏନେଇ ଅଭିଯୋଗ ପାଇ ନାହାନ୍ତି ଓ ଅଭିଯୋଗ ପାଇଲେ ତଦନ୍ତ କରିବେ ବୋଲି କହିଛନ୍ତି ।