୨ମାସ ଗଲାନି, ରାସ୍ତାରୁ ଉଠିଲା ପିଚୁ

 କୋଷାଗୁମୁଡା : ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଉନ୍ନୟନ ମୂଳକ କାମ  । ବଢିଚାଲିଛି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ଠିକାଦାର ପ୍ରୀତି । ଯେମିତି କାମ ହେଲେ ମଧ୍ୟ ବିଭାଗକୁ ଯାଏଆସେ ବା କେତେ? କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଛି ଅତି ନିମ୍ନମାନର କାମ  । 
ଅଭିଯୋଗ ପରେ ଅଭିଯୋଗ ହେଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୁନ । ନିର୍ମାଣକୁ ମାତ୍ର ୨ମାସ ଠିକ ଭାବେ ମଧ୍ୟ ହୋଇନାହି ଅଥଚ ପିଚୁ ଉଠିଗଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଷାଗୁମୁଡା-ପାପଡାହାଣ୍ଡି ପୂର୍ତ୍ତ ବିଭାଗ ରାସ୍ତାରେ । କୋଷାଗୁମୁଡା-କୋଡିଙ୍ଗା-ପାପଡାହାଣ୍ଡି ୩୨.୬୦୦କିମି ପୂର୍ତ୍ତ ବିଭାଗର ମୁଖ୍ୟରାସ୍ତା । ଉକ୍ତ ରାସ୍ତା ଉପରେ ନବରଙ୍ଗପୁର, ପାପଡାହାଣ୍ଡି, କୋଷାଗୁମୁଡା ବ୍ଲକ ପୋଡଶୀ ବସ୍ତର ଓ କଳାହାଣ୍ଡି ଜିଲ୍ଲାର ସମସ୍ତ ଲୋକ ସ୍କୁଲ, କଲେଜ, ସ୍ୱାସ୍ଥ୍ୟ, ସରକାରୀ ବେସରକାରୀ କାର୍ଯ୍ୟଳୟ, ବ୍ୟାଙ୍କ, ହାଟ ବ୍ୟବସାୟ, ସମସ୍ତ ପ୍ରକାର ଦୈନନ୍ଦିନ ଜୀବନ ପାଇଁ ଉପଯୋଗ ସମସ୍ତ କାର୍ଯ୍ୟ ପାଇଁ ଏହି ରାସ୍ତା ଉପରେ ବର୍ଷ ସାରା ନିର୍ଭର କରିଥାନ୍ତି । ଏହିପରିକି ରାସ୍ତାଟି ଭାରତ ମାଲାକୁ ସଂଯୋଗ କରୁଥିବା ହେତୁ ଅତି ଗୁରୁତ୍ୱପୂର୍ଣ ମୁଖ୍ୟ ରାସ୍ତାର ସଂପ୍ରସାରଣ ଓ ନିର୍ମାଣ ନବରଙ୍ଗପୁର ଫୁର୍ତ୍ତ ବିଭାଗ ଦ୍ୱାରା ଚଳିତ ୨୦୨୪-୨୫ରେ ପ୍ରାୟ ୨୮କୋଟି ଟଙ୍କା ବ୍ୟୟରେ ମାଁ ଭଣ୍ଡାର ଘରଣୀ ଠିକା ସଂସ୍ଥା ଦ୍ୱାରା ନିର୍ମାଣ କାର୍ଯ୍ୟ ଆରମ୍ଭ କରଯାଇଥିଲା । ପ୍ରାୟ ୨ ମାସ ପୂର୍ବେ ରାସ୍ତାରେ ଜି.ଏସ.ପି. ପକାଇ ପରେ ଡବ୍ଲୁ.ଏମ.ଏମ. ପକାଇ ରାସ୍ତାକୁ ସମ୍ପ୍ରସାରିତ କରି ପିଚୁ ପକାଇ ଦିଆଯାଇଥିଲା  । ତେବେ ନିର୍ମାଣର ମାତ୍ର ଦୁଇ ମାସ ମଧ୍ୟରେ ମାଲେକୋଟ-ଭଣ୍ଡିଆ, କୋଡିଙ୍ଗା-ଡାଲଖାଇ ନିକଟରେ ରାସ୍ତାରୁ ପିଚୁ ସବୁ ଉଠିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି  । ଅନୁମୋଦନ ନଥିବା ଛତିଶଗଡ ରାଜ୍ୟର ଖଡିପଥର ବହୁ ପରିମାଣର ଜି.ଏସ.ପି. ଓ ଡବ୍ଲୁ.ଏମ.ଏମ.ରେ ପକାଇ ନିମ୍ନମାନର ମେଟେରିଆଲ ନେଇ କାମ ହୋଇଥିବା ଯୋଗୁଁ ସମସ୍ତ ପିଚୁ ରାସ୍ତାରୁ ବାହାରି ପଡୁଥିବା ଲୋକେ ଅଭିଯୋଗ କରିବା ସହ ରାସ୍ତାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏନେଇ ଆମେ ପୂର୍ତ୍ତ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ ରଶ୍ମି ରଞ୍ଜନ ସେଠୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାରୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ଜିଲ୍ଲା ପ୍ରଶାସନ ଅଭିଯୋଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଭିଜିଲାନସ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।