ବାତ୍ୟାର ପ୍ରଭାବ ପଡ଼ିନି ଜରି ପାଲ ପାଇଁ ଲମ୍ବା ଚିଠା

ଯଖପୁରା : ବାତ୍ୟା ଦାନା ଅନେକଙ୍କ ପାଇଁ ଦୁଃଖ ଆଣିଥିବା ବେଳେ କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ପାଇଁ ସୁଯୋଗ ଆଣିଛି । ବାତ୍ୟା ଦାନା ମୁଖ୍ୟତଃ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ରାଜ୍ୟର କିଛି ଜିଲାରେ ଆଂଶିକ ପ୍ରଭାବ ପଡିଛି । ଯେଉଁ ଅଞ୍ଚଳରେ ବାତ୍ୟା ଦାନାର ପ୍ରଭାବ ପଡିଛି ସେହି ଅଞ୍ଚଳରେ ଲୋକମାନେ ନାନାଦି ହଇରାଣ ହେଉଛନ୍ତି । ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି । ଘର ଭାଙ୍ଗିଯିବା ଦ୍ୱାରା ବାତ୍ୟା ଆଶ୍ରୟ ସ୍ଥଳୀରେ ଏପର୍ଯ୍ୟନ୍ତ ରହିଛନ୍ତି । ବାତ୍ୟା ଦାନା କିଛି ଲୋକଙ୍କ ପାଇଁ ଦୁଃଖ ଦୁର୍ଦ୍ଦଶା ଆଣିଥିବା ବେଳେ କିଛି ଲୋକ ଏହି ଦୁଃଖ ସମୟରେ ନିଜର ସ୍ୱାର୍ଥ ହାସଲ ପାଇଁ ଲାଗିପଡିଛନ୍ତି । ସେମିତି ଏକ ଦୃଶ୍ୟ ଦାନଗଦୀ ବ୍ଲକ୍ ମାଣତିରା ପଞ୍ଚାୟତରେ ଦେଖିବାକୁ ମିଳିଛି । ଜଗନ୍ନାଥଙ୍କ କୃପାରୁ ବାତ୍ୟା ଦାନାର ପ୍ରଭାବ ଦାନଗଦୀ ଅଞ୍ଚଳର ଦେଖିବାକୁ ମିଳିନାହିଁ । ଲୋକମାନଙ୍କ ସେମିତି କିଛି କ୍ଷତି ହୋଇନାହିଁ । ସମସ୍ତେ ନିରାପଦରେ ଥିବାର ଦେଖିବାକୁ ମିଳିଛି । ମାତ୍ର ଏହି ସମୟରେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ରାଜନୀତି କରିବାକୁ ପଛାଇ ନାହାନ୍ତି ।
ମାଣତୀରା ଆରଆଇ କାର୍ଯ୍ୟାଳୟରେ ନିଜ ଦଳୀୟ ଲୋକ ମାନଙ୍କର ଲମ୍ବା ଚିଠା ଦିଆଯାଇଛି । ସେମାନେ ବାତ୍ୟା ଦ୍ୱାରା କ୍ଷତି ଗ୍ରସ୍ତ ହୋଇଛନ୍ତି କହି ଜରି ପାଲ ଓ ଘର ଯୋଗାଇ ଦେବା ପାଇଁ ଚିଠା ଦେଇଛନ୍ତି । ବାତ୍ୟା ଦାନା ପାଇଁ ମାଣତୀରା ପଞ୍ଚାୟତ ଓ ଖପୁରିଆପଦା ପଞ୍ଚାୟତ ଜଳକା, ଖପୁରିଆପଦା, ମାର୍ଥାପୁର, ବ୍ରାହ୍ମଣଗାଁ, ରାବଣା, ଦଶମାଣିଆ, କେନ୍ଦୁଢିପ, ମାଣତୀରା ଆଦି ଗ୍ରାମରେ କିଛି କ୍ଷୟକ୍ଷତି ହୋଇଥିବାର ନଜିର ନାହିଁ । କିନ୍ତୁ ସରକାରୀ ଦଳର କର୍ମୀ ମାନେ ନିର୍ଦ୍ଧିଷ୍ଟ ଭାବେ ତାଙ୍କ ଦଳୀୟ ଲୋକମାନଙ୍କର କ୍ଷତି ହୋଇଛି ଦର୍ଶାଇ ଜରି ପାଲ ଠାରୁ ଆରମ୍ଭ କରି ଘର ଭାଙ୍ଗିଛି କହି ପ୍ରଶାସନ ଉପରେ ଚାପ ପକାଉଥିବାର ଦେଖିବାକୁ ମିଳିଛି । ତେବେ ଦାନଗଦୀ ତହସିଲଦାରଙ୍କୁ ପଚାରିବାରେ ସେ କହିଛନ୍ତି ଆମେ ଜରି ପାଲ କିମ୍ବା ଘର ପାଇଁ ଆବେଦନ କରିଥିବା ଲୋକଙ୍କ ଯାଞ୍ଚ କରିବୁ ଯଦି ସେମାନଙ୍କ କିଛି କ୍ଷତି ହୋଇଥିବ ତେବେ ତାଙ୍କୁ ସରକାରୀ ସୁବିଧା ମିଳିବ ନଚେତ୍ ନାହିଁ । ତେଣୁ ଏହି ଦୁଃଖ ସମୟରେ ଯେଉଁ ମାନେ ଏପରି ଘୃଣ୍ୟ କାର୍ଯ୍ୟ କରୁଛନ୍ତି ତୁରନ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।