କେଭି ଉଦ୍ଘାଟନ କଲେ ଧର୍ମେନ୍ଦ୍ର

ଟିଟିଲାଗଡ଼/ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପାଖାପାଖି ୧୨୦ କୋଟିରୁ ଅଧିକ ଟଙ୍କାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି ବୋଲି ଶନିବାର କେନ୍ଦ୍ରୀୟ ବିଦ୍ୟାଳୟ, ଟିଟିଲାଗଡ଼ ଏବଂ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପସର ଉଦ୍ଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଡିସେମ୍ବରରେ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର ଦେଇଥିଲେ, ଯେଉଁଥିରେ ଓଡ଼ିଶାରେ ନୂଆ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଥିଲା । ଏହି ପରିପ୍ରେକ୍ଷୀରେ ଡବଲ ଇଞ୍ଜିନ ସରକାରର ପ୍ରଚେଷ୍ଟା କାରଣରୁ ବଲାଙ୍ଗିର ଜିଲ୍ଲାର ରେଲୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ଆଜି ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ହୋଇଛି । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଲେଖାଁଏ ଅର୍ଥାତ୍ ମୋଟ୍ ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । ରେଳ ବିଭାଗର ସହଯୋଗରେ ଟିଟିଲାଗଡ଼ ରେଲୱେ କଲୋନୀରେ କେନ୍ଦ୍ରୀୟ ବିଦ୍ୟାଳୟ ଭଳି ପ୍ରମୁଖ ଅନୁଷ୍ଠାନ ଖୋଲାଯିବା ଦ୍ୱାରା ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ । ସେହିପରି ପାଟଣାଗଡ଼ ଉଲବା ଠାରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତେବେ ଏହି ଦୁଇଟି ବିଦ୍ୟାଳୟ ନିର୍ମାଣ ହେବା ପର୍ଯ୍ୟନ୍ତ ଟିଟିଲାଗଡ଼ କେଭିର ଅସ୍ଥାୟୀ କ୍ୟାମ୍ପସ ବ୍ଲକପଡ଼ା ଠାରେ ଏବଂ ପାଟଣାପଡ଼ା କେଭିର ଅସ୍ଥାୟୀ କ୍ୟାମ୍ପସ ଇଟିଇଆଇ ପରିସରରେ ପରିଚାଳିତ ହେବ । ବଲାଙ୍ଗିର ଜିଲ୍ଲାକୁ ଟିଟିଲାଗଡ଼ ଓ ପାଟଣାଗଡ଼ରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଉପହାର ଭାବରେ ଦେଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟକ ନବୀନ କୁମାର ଜୈନ୍ ଓ ଲକ୍ଷ୍ମଣ ବାଗ ପ୍ରମୁଖ ଯୋଗଦେଇଥିଲେ ।