ଡାଇଭର୍ସନ ନଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ରଗଡି : ପାଣିକୋଇଲି-ରାଜମୁଣ୍ଡା ସମ୍ପ୍ରସାରଣ ହୋଇ ଜାତୀୟ ରାଜପଥ ଭାବେ ନାମିତ  ପରେ ୨୦୧୨ରେ ଏହା ଦୋହରି କରଣ ରାସ୍ତାରେ ପରିଣତ ହେଲା । ସ୍ଥାନୀୟ ଲୋକ ତଥା ପଥଚାରୀଙ୍କ ଯାତାୟାତର ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଓଭରବ୍ରିଜ, ଅଣ୍ଡରପାସ, ବକ୍ସବ୍ରିଜ ତଥା ଡ଼ାଇଭର୍ସନର ବ୍ୟବସ୍ଥା ରହିଲା । ହେଲେ କୋରେଇ ବ୍ଲକ ଅନ୍ତର୍ଗତ ତଳଗଡ଼ ପଞ୍ଚାୟତ ବନ୍ଦୀ ଛକ ନିକଟରେ କୌଣସି ବ୍ୟବସ୍ଥା କରାଗଲା ନାହିଁ । ଏହି ଛକ ଉପରେ ତୁଳତି ପଞ୍ଚାୟତର ପିମ୍ପଲ, ଖଇରା ଓ ତଳଗଡ଼ ପଂଚାୟତର ହରିଚନ୍ଦନପୁର, ଉପୁଳାଇ, ମଙ୍ଗରାଜପୁର ପ୍ରଭୃତି ଗ୍ରାମବାସୀ ନିର୍ଭର କରନ୍ତି । ଏଠାରୁ ବସ ଯୋଗେ କଟକ, ଭୁବନେଶ୍ୱର ତଥା କେନ୍ଦୁଝରକୁ ଲୋକେ ଯିବାଆସିବା କରିଥାନ୍ତି । ଏଠାରେ ଡ଼ାଇଭର୍ସନ କି ବକ୍ସ ବ୍ରିଜର ବ୍ୟବସ୍ଥା ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 
ରାସ୍ତାର ଉଭୟ ପାର୍ଶ୍ୱରେ ଦୁଇଟି ପେଟ୍ରୋଲ ପମ୍ପ ଥିବା ବେଳେ ଛକରେ ଏକାଧିକ ଦୋକାନ ରହିଛି । ଗୋଟିଏ ପାର୍ଶ୍ୱରେ ରଗଡ଼ି ବଜାର ଓ ଅନ୍ୟ ପଟରେ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ବ୍ୟାସନଗର ରହିଛି । ଅପରପାର୍ଶ୍ୱ ରାସ୍ତାକୁ ଗାଡି ମଟର କିମ୍ବା ବାଇକ ଯିବା ପାଇଁ ୨କିମିରୁ ଅଧିକ ଦୂରରେ ଥିବା ଡ଼ାଇଭର୍ସନର ସାହାଯ୍ୟ ନେବାକୁ ପଡୁଛି । ଆମ୍ବୁଲାନ୍ସ, ଦମକଳ ଗାଡି କିମ୍ବା ଜରୁରୀକାଳୀନ ସେବା ପାଇଁ ଆସୁଥିବା ଅନ୍ୟଗାଡିକୁ ଏହି ଛକ ଦେଇ ନିକଟସ୍ଥ ଗ୍ରାମକୁ ଯିବାପାଇଁ ଦୁଇ କିମିରୁ ଊର୍ଦ୍ଧ୍ୱରେ ଥିବା ଡ଼ାଇଭର୍ସନ ଦେଇ ଆସିବାକୁ ପଡୁଛି । ଯାହା ଫଳରେ ସମୟ ନଷ୍ଟ ହେଉଛି । ଅନ୍ୟପକ୍ଷରେ ବାଇକ ଚାଳକ ଦୂରତାକୁ ଏଡାଇବା ପାଇଁ ସେପଟ ରାସ୍ତାରୁ ଏପଟ ରାସ୍ତା ଓ ଏପଟରୁ ସେପଟକୁ ଡିଭାଇଡ଼ର ଉପରେ ଚଢିକି ଆସୁଛନ୍ତି । ଯାହା ଫଳରେ ଦୁର୍ଘଟଣାର ଶିକାର ହୋଇ ୫ରୁ ଅଧିକ ମୃତୁ୍ୟ ମୁଖରେ ପଡ଼ିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଓ ବିଭିନ୍ନ ସମୟରେ ଦାବି ଯୋଗୁ ଏନଏଚଏଆଇର ଏକ ପ୍ରତିନିଧି ଦଳ ଅନୁଧ୍ୟାନ କରି ଏଠାରେ ବକ୍ସ ବ୍ରିଜର ଆବଶ୍ୟକତା ଥିବା ଉପଲବ୍ଧି କରି ଏହା ନିର୍ମାଣ ପାଇଁ ସେତେ ବେଳେ ପ୍ରତିଶୃତି ଦେଇଥିଲେ । ହେଲେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।