କେହି ଶୁଣିଲେନି, ଅଧାରାସ୍ତା ମରାମତି କଲେ ଗ୍ରାମବାସୀ

 ରଗଡ଼ି : ପ୍ରଶାସନ ଠାରୁ ରାଜନେତାଙ୍କୁ ଗୁହାରିକଲେ । ହେଲେ କେହି ଶୁଣିଲେନି । ଶେଷରେ ଗାଁ ଲୋକେ ଦୁର୍ବିସହ ହୋଇ ପଡ଼ିଥିବା ରାସ୍ତାକୁ ଅଧେ ମରାମତି କରିଛନ୍ତି । ଏଭଳି ଚିତ୍ର କୋରେଇ ବ୍ଲକ ଅନ୍ଧାରୀ ପଞ୍ଚାୟତ ଆବୁଲୁପୁରା ଗ୍ରାମରେ ଦେଖିବାକୁ ମିଳିଛି  ।
ସଂପୃକ୍ତ ଗ୍ରାମକୁ ପଡ଼ିଥିବା ରାସ୍ତାଟି ଚାଲିବା ଅନୁପଯୁକ୍ତ ହୋଇପଡ଼ିଥିଲା । ରାସ୍ତା ସାରା ଖାଲଖମାରେ ହୋଇଥିଲା ଭର୍ତ୍ତି । ଗାଁଟି କେନ୍ଦୁଝର ଓ ଯାଜପୁର ଜିଲ୍ଲା ସୀମାକୁ ଲାଗି ରହିଛି । ଏନ୍ଏଚ୍୨୦ରୁ ଗୌରାପାଳ ଗାଁକୁ ଯାଇଥିବା ରାସ୍ତାର ସାମାନ୍ୟ ଦୂରରେ ଗାଁର ରାସ୍ତା ସଂଯୋଗ କରିଛି । ଜାତୀୟ ରାଜପଥ ଠାରୁ ଗାଁର ଦୂରତା ମାତ୍ର ଅଧ କିଲୋମିଟର । ଲୋକ ସଂଖ୍ୟା ୫ଶହରୁ ଊର୍ଦ୍ଧ୍ୱ । ଏପର୍ଯ୍ୟନ୍ତ ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନିର୍ମାଣ ସମ୍ଭବ ହେଲା ନାହିଁ । ଯାହା ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ରହି ଯାଇଛି । ବର୍ଷା ଦିନେ ପଡିଆରେ ଯାଉଥିବା ପାଣିର ସୁଅରେ ଲୋକଙ୍କୁ ଯାତାୟାତ କରିବାକୁ ପଡେ । ବଡ଼ବଡ଼ ଗର୍ତ୍ତରେ ପାଣି ଜମି ରହିଛି । ସ୍କୁଲ କଲେଜକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବହୁ ଅସୁବିଧାରେ ଯିବାକୁ ପଡିଥାଏ । ଗ୍ରାମବାସୀଙ୍କ ଦୀର୍ଘଦିନ ଧରି ଲାଗି ରହିଥିବା ଯାତାୟାତ ସମସ୍ୟା ଦୂର ପାଇଁ ବାରମ୍ବାର ଉଦ୍ୟମ ସତ୍ତ୍ୱେ ସମ୍ଭବପର ହୋଇପାରିଲାନି । ଏଣୁ ଗାଁ ଲୋକେ ଖାଲଖମାରେ ଭର୍ତ୍ତି ରାସ୍ତାକୁ ଡଷ୍ଟଗୁଣ୍ଡ ପକାଇ ଅଧେ ମରାମତି କରିଥିବାବେଳେ ଅଧେ ଖାଲଖମା ରହିଛି । ଗ୍ରାମବାସୀଙ୍କ କହିବା କଥା ହେଲା ରାଜନୈତିକ କି ପ୍ରଶାସନିକ ଶୁଭ ଦୃଷ୍ଟି ଏ ପର୍ଯ୍ୟନ୍ତ ଏ ଗାଁ ଉପରେ ପଡ଼ିଲା ନାହିଁ ।  ରାଜନୈତିକ ତଥା ପ୍ରଶାସନିକସ୍ତରରେ ଉଦ୍ୟମ କରାଯାଇ ଗାଁକୁ ଭଲ ସଡ଼କ ପଥଟିଏ ନିର୍ମାଣ କରିବାକୁ ଗ୍ରାମବାସୀ ନେହୁରା ହୋଇଛନ୍ତି ।