କୋଇଲା ମାଫିଆ ଛାନିଆ : ସ୍ଥିତି ପରଖିଲେ ଦୁଇ ମନ୍ତ୍ରୀ

ଭୁବନେଶ୍ୱର : କୋଇଲା ମାଫିଆମାନେ ବର୍ଷ ବର୍ଷ ଧରି ଲୁଟ୍‌ କରି ଚାଲିଥିଲେ  । ସମସ୍ତେ ଜାଣିଥିଲେବି ମାଫିଆଙ୍କ ଠାରୁ ବଟି ପକାଇ ଚୁପ୍‌ ବସିଥିଲେ  । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଏବେ ଖୋଳତାଡ଼ ଜୋର ଧରିଛି । କୋଇଲା ମାଫିଆଙ୍କ ମନରେ ଛନକା ପଶିଯାଇଛି  । ଆଜି ସୁନ୍ଦରଗଡ଼ ଏମସିଏଲ କ୍ଷେତ୍ର ଗୋପାଳପୁର ଅଞ୍ଚଳରେ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ପହଞ୍ଚି ଜଙ୍ଗଲ ଭିତର ଚୋରା ଖଣିର ସ୍ଥିତି ପରଖିଛନ୍ତି । ସଙ୍ଗରେ ବିଭାଗୀୟ ସଚିବମାନେ ମଧ୍ୟ ଆସି ଚୋରା ଖଣିର ଅନୁଧ୍ୟାନ କରିଛନ୍ତି  । ଏମସିଏଲ କ୍ଷେତ୍ର ଅଧୀନ ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି ଖଣି, ବନ ବିଭାଗ, ପ୍ରଶାସନ ଓ ପୁଲିସର ଆଖି ଆଗରେ ବେଆଇନ ଭାବେ ଚାଲିଥିବା ଖଣି ଖନନ ଓ ହଜାର ହଜାର ଟନ୍‌ କୋଇଲା ଲୁଟ୍‌ର ବାସ୍ତବ ସ୍ଥିତି ବୁଲି ଦେଖିଛନ୍ତି  । ସୁନ୍ଦରଗଡ଼ରେ କିଭଳି ରାଜ୍ୟର ସବୁଠାରୁ ବଡ଼ କୋଇଲା ଲୁଟ୍‌ ହୋଇଛି ତାହାର ସତ ପରଖିଛନ୍ତି ମନ୍ତ୍ରୀ ଓ ସଚିବ  । ଏମସିଏଲ ବସୁନ୍ଧରା ପଶ୍ଚିମ ଖଣି ପ୍ରକଳ୍ପକୁ ଆବଣ୍ଟିତ ଏହି ଅଞ୍ଚଳରେ ୧୫ ବର୍ଷ ହେଲା କୋଇଲା ମାଫିଆ ଡେରା ପକାଇ ଖଣି ଖୋଳି ହଜାର ହଜାର ଟନ୍‌ କୋଇଲା ରାଜ୍ୟ ବାହାରକୁ ଚାଲାଣ କରି ଆସୁଛନ୍ତି । କୋଇଲା ଲୁଟ୍‌ ସମ୍ପର୍କରେ ପ୍ରଶାସନ ଅବଗତ ଥିଲେ ବି ଧରପଗଡ଼ ହେଉନଥିଲା  ।
ଏନେଇ ବିଧାନସଭା ଉପବାଚସ୍ପତି ଭବାନୀଶଙ୍କର ଭୋଇ ଓ ପୂର୍ବତନ ବିଧାୟିକା କୁସୁମ ଟେଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବାବେଳେ ସୁନ୍ଦରଗଡ ବିଧାୟକ ଯୋଗେଶ କୁମାର ସିଂ ସିବିଆଇ  ତଦନ୍ତ ଓ ପୂର୍ବତନ ବାଚସ୍ପତି କିଶୋରଚନ୍ଦ୍ର ପଟେଲ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ  । ମନ୍ତ୍ରୀ ଓ ସଚିବମାନେ ବେଆଇନ ଭାବେ କେତେ କୋଇଲା ଖଣି ଖୋଳାଯାଇଛି? କେତେ ପରିମାଣର କୋଇଲା ଚୋରି ହୋଇଛି ତାର ଅନୁଧ୍ୟାନ କରିଛନ୍ତି  । ଏହାପୂର୍ବରୁ ଭୁବନେଶ୍ୱରରୁ ଖଣି ଓ ଭୂତତ୍ତ୍ୱ ବିଭାଗର ୯ ଜଣିଆ ଟିମ୍‌ ଆସି ଦୁଇ ଦିନ ଧରି ଚୋରା ଖଣି ଓ ଲୁଟ୍‌ କୋଇଲାର ଆକଳନ କରି ଫେରି ଯାଇଛନ୍ତି  । ଅନ୍ୟପଟେ ଖଣି ବିଭାଗର ଏତଲାକ୍ରମେ, ଖଣିଜ ଲୁଟ୍‌ ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ଶ୍ରମିକ ଶ୍ରେଣୀର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ  ।