କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ରରେ କର୍ମଚାରୀଙ୍କ ଧାରଣା
କୋଣାର୍କ : ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ଏସ୍ଆଇଏସ୍ କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ମଜୁରୀ ହିସାବରେ ବେତନ ଦାବିରେ ଧାରଣା ଦେଇଛନ୍ତି । ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବ୍ୟାଖ୍ୟାନ କେନ୍ଦ୍ର ବୁଲି ନପାରି ନିରାଶ ମନରେ ଫେରିଥିବା ଦେଖିବାକୁ ମିଳିଛି । ଗତ ୨୦୧୮ ମସିହାରୁ ଏଠାରେ ୧୦୫ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୨୦୧୮ରୁ ଦୁଇ ବର୍ଷ ଧରି ଦରମା ଠିକ ମିଳୁଥିଲା । ପରେ କିଛି କର୍ମଚାରୀଙ୍କୁ ଛଟେଇ କରାଯାଇ ଦରମା କଟାଗଲା । ପ୍ରଥମରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ମଜୁରୀ ହିସାବରେ ବେତନ ଦିଆଯାଉଥିବାବେଳେ ୨୦୨୧ରୁ ଓଡ଼ିଶା ସରକାରଙ୍କ ମଜୁରୀ ହିସାବରେ ବେତନ ଦିଆଗଲା । ଫଳରେ ୪୦ଶତକଡା କଟିଗଲା । ଏସଆଇଏସ ମନଇଛା ଦରମା କାଟି ଚାଲିଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନ ହେଇନଥିବା, ଅଧିକାରୀଙ୍କ ମନମାନି ଯୋଗୁଁ ଏଭଳି ଅବସ୍ଥା ଉପୁଜିଥିବା କର୍ମଚାରୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଏସଆଇଏସର ଏରିଆ ମ୍ୟାନେଜର ଆଦିକନ୍ଦ ଶତପଥୀଙ୍କୁ ପଚାରିବାରୁ ନିୟମ ଅନୁଯାୟୀ କର୍ମଚାରୀଙ୍କୁ ରାଜ୍ୟ ଓଜେଏସ୍ରେ ଦରମା ଦିଆଯାଉଛି । ଏଣୁ ଏଭଳି ସମସ୍ୟା ଦେଖାଦେଇଛି । ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଥିଲେ । ତହସିଲଦାର ଅନୀଲ ମହାନ୍ତି ପହଞ୍ଚି ଧାରଣାରତ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କର୍ମଚାରୀମାନେ କହିଛନ୍ତି ।