ଧାନକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ

 ଭଦ୍ରକ : ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୪ ଦିନ ପୂର୍ବରୁ ସମ୍ଭାବ୍ୟ ବର୍ଷା ଜନିତ ସୂଚନା ପ୍ରାପ୍ତ କ୍ରମେ ସମସ୍ତ ଧାନ ମଣ୍ଡିରେ କିଣାଯାଇଥିବା ଧାନକୁ ବର୍ଷାରୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା । ଧାନ କିଣା ବ୍ୟବସ୍ଥା ଓ ପରିଚାଳନା ଉପରେ କଡା ନଜର ରଖି ଆସିଥିବା ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ନିଦେ୍ର୍ଦଶରେ ଧାନକିଣା କାର୍ଯ୍ୟ ସମ୍ପାଦନରେ ନିୟୋଜିତ ସଂପୃକ୍ତ ଯୋଗାଣ, ସହାୟକ ନିବନ୍ଧକ ସମବାୟ ସମିତି, ନିୟନ୍ତ୍ରିତ ବଜାର କମିଟି ଆଦି ବିଭାଗୀୟ ଅଧିକାରୀ ସମସ୍ତ ମଣ୍ଡି ନୋଡାଲ ଅଧିକାରୀ ପ୍ରମୁଖ ସମସ୍ତ ମଣ୍ଡି ପରିଦର୍ଶନ କରି ବର୍ଷା ପାଣିରେ ଧାନ ନ ଭିଜିଲା ଭଳି ଗ୍ରହଣ କରାଯାଇଥିବା ପଦକ୍ଷେପ ତଦାରଖ କରିଥିଲେ । ଡାକବାଜି ଯନ୍ତ୍ରଦ୍ୱାରା ଗାଁ ଗାଁ ବୁଲି ଚାଷୀଙ୍କୁ ଧାନ ବିକ୍ରୟ ନେଇ ବ୍ୟତିବ୍ୟସ୍ତ ନ ହେବାକୁ ପ୍ରଚାର ପ୍ରସାର କରାଯାଇଛି । ନିଜ ନିଜର ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଉଛି । ଓଡ଼ିଶା ସରକାର, ଜିଲ୍ଲା ପ୍ରଶାସନ ଚାଷୀଙ୍କ ସାଥୀରେ ଅଛନ୍ତି । ବର୍ଷା ପରବର୍ତୀ ସମୟରେ ଧାନ ବିକ୍ରିରେ କୌଣସି ଅସୁବିଧା ହେବନାହିଁ । ଚାଷୀଙ୍କୁ ମିଳିଥିବା ଟୋକନ୍ ଲାପସ୍ ହେବାର ପ୍ରଶ୍ନ ଉଠୁନାହିଁ ଏବଂ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଧାନକୁ ସୁରକ୍ଷିତ ରଖିବାରେ ଆଗୁଆ ସତର୍କ ରହିବାକୁ ଚାଷୀମାନଙ୍କୁ ପୂର୍ବରୁ ସଚେତନ କରାଯାଇଥିବାରୁ ସେମିତି ବିଶେଷ କିଛି ଅସୁବିଧା ନ ଉପୁଜିବା ପ୍ରଶାସନ ପକ୍ଷରୁ ଅନୁମାନ କରାଯାଉଛି ।