କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ  

ବ୍ରହ୍ମପୁର : ଦିନକୁ ଦିନ କର୍କଟ ରୋଗ ବୃଦ୍ଧି ପାଉଛି  । କୋମଳମତି ଶିଶୁ ଠାରୁ ଯୁବକ ଯୁବତୀ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରୋଗରେ ଶିକାର ହେଉଛନ୍ତି  । ଏପରି ସ୍ଥଳେ ସଚେତନ ହିଁ ଏକମାତ୍ର ପନ୍ଥା  । 
ଜାତୀୟ କ୍ୟାନସର ସର୍ଭାଇଭର ଦିବସରେ ଏହି ବାର୍ତ୍ତା ରଖିଛନ୍ତି ମୁଖ କର୍କଟ ରୋଗୀ ତଥା କ୍ରାନ୍ତିର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ. ଦେବାନନ୍ଦ ଦାଶ । ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରେକ୍ଷାଳୟ ଠାରେ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ବ୍ରହ୍ମପୁର ସ୍ଥିତ ସାମାଜିକ ଅନୁଷ୍ଠାନ ଆଇଏସଆରଡିର ମିଳିତ ସହଯୋଗରେ ଆୟୋଜିତ ଏହି ଜାତୀୟ କର୍କଟ ବିଜୟୀ ଦିବସରେ ଅନେକ କର୍କଟ ବିଜୟୀ ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯିବା ସହ କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ କରିଛନ୍ତି । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ତଥା ମୁଖ କର୍କଟ ରୋଗୀ ଡ. ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ବିଶାଖପାଟଣା ମହାତ୍ମାଗାନ୍ଧୀ କ୍ୟାନସର ହସ୍ପିଟାଲ୍ ଓ ରିସର୍ଚ୍ଚ ସେଣ୍ଟରର ରେଡିଆସନ୍ ଅଙ୍କୋଲୋଜି ମୁଖ୍ୟ ଡ. କାହ୍ନୁଚରଣ ପାତ୍ର ଯୋଗ ଦେଇଥିଲେ । ଏଥିରେ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ଚେଷ୍ଟ ଓ ଟିବିର ଏସୋସିଏଟ୍ ପ୍ରଫେସର ଡ. ପ୍ରିୟଙ୍କା ଦାସ, ଆମ୍ବପୁଆସ୍ଥିତ ଚିରାଗ ଗ୍ଲୋବାଲ ସ୍କୁଲର ଚେୟାରମେନ ଈଂ ଜିତେନ୍ଦ୍ର ପଣ୍ଡା ଓ ଆଇଏସଆରଡି ନିଦେ୍ର୍ଦଶକ ସୁଧୀର ସାବତ ପ୍ରମୁଖ ଯୋଗ ଦେଇ କର୍କଟର ବିଭିନ୍ନ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ବୁଝାଇଥିଲେ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସମର ଫେଷ୍ଟିଭାଲ ନାମରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ସ୍କୁଲ ସ୍ତରୀୟ ପ୍ରତିଯୋଗିତାର ୩୦୦ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ନିର୍ମଳା ଦାଶ, ଦେବରାଜ ରାଉତ, ଚର୍ଚ୍ଚିକା ଦାଶ, ସ୍ନିଗ୍ଧା ମହାରଣା, ଅନିଲ ସେଠୀ, ପରମାନନ୍ଦ ପଣ୍ଡା, ଧନଞ୍ଜୟ ପାଣିଗ୍ରାହୀ, ମାନସ ରଥ, ଅରୁଣ ପଟ୍ଟନାୟକ, ଲିଙ୍ଗରାଜ ପଟ୍ଟନାୟକ, ଚିନ୍ନୟାନନ୍ଦ ଦାଶ, ସୁଭ୍ରାଂଶି ମହାରଣାଙ୍କ ସହ ଆଇଏସଆରଡିର ମହେଶ୍ୱତା ପାଢୀ, ପ୍ରଭାତ ପାଢୀ, ଗୋପାଳକୃଷ୍ଣ ଦଳବେହେରା, ଐଶ୍ୱର୍ଯ୍ୟା ସାବତ, ସୟନି ମଲ୍ଲିକ, ବଳରାମ ମଲ୍ଲିକଙ୍କ ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟସଦସ୍ୟା ସହଯୋଗ କରିଥିଲେ ।