ବଜ୍ରାଘାତରେ ଟଳିଲେ ଜେଜେବାପା, ନାତି
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଅଧୀନ ପଦାଦିଗି ପଞ୍ଚାୟତ ନାରାୟଣପୁର ଗ୍ରାମରେ ବଜ୍ରାଘାତରେ ସଂପର୍କୀୟ ଜେଜେବାପା ଓ ନାତିଙ୍କ ଜୀବନ ଯାଇଛି । ମୃତକମାନେ ହେଲେ ଏମ୍. ସାକିଲି କନ୍ୟାରୀ (୫୫) ଓ ତାଙ୍କ ନାତି ତଥା ଏମ୍. ସାନେୟା କନ୍ୟାରୀଙ୍କ ଏକମାତ୍ର ପୁଅ ଏମ୍. ଭୁବେଶୁ କନ୍ୟାରୀ (୨୦) । ପ୍ରତିଦିନ ଭଳି ଜେଜେବାପା ଓ ନାତି ଗାଈ, ଛେଳି ଓ ମଇଁଷି ଚରାଇବାକୁ ଅନ୍ୟମାନଙ୍କ ସହ ବଗି ନଦୀ ନିକଟକୁ ଯାଇଥିଲେ । ମଧ୍ୟାହ୍ନଭୋଜନ କରିବାକୁ ଉଭୟ ଗଛ ତଳେ ବସିଥିବା ବେଳେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା । ବଜ୍ରାଘାତରେ ସାକିଲି ଓ ଭୁବେଶୁ ଅଚେତ ହୋଇପଡ଼ିବାରୁ ଅନ୍ୟମାନେ ଉଭୟଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ହେବା କ୍ଷଣି କାନ୍ଦବୋବାଳିରେ ଡାକ୍ତରଖାନା ପରିବେଶ ଫାଟି ପଡ଼ିଥିଲା । ପୁଲିସ ପହଞ୍ଚି ଶବକୁ ଜବତ କରିଛି ।