ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି ଛାତ୍ରଛାତ୍ରୀ
ନୂଆପଡା: ଗ୍ରାମାଞ୍ଚଳର ଜନସାଧାରଣମାନଙ୍କୁ ଯାତାୟତର ସୁବିଧା ଯୋଗାଇବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଏବେ ବି ଅନେକ ଗାଁକୁ ଯୋଗାଯୋଗ କରିବା ପାଇଁ ଛୋଟ ବଡ଼ ନାଳରେ ସେତୁ ନିର୍ମାଣ ହେଉନଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଋତୁ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଥିବା ବେଳେ ପଡାର ଜନସାଧାରଣ, ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି ଶିଶୁ ବିଶେଷ ଭାବରେ ପ୍ରଭାବିତ ହୋଇ ଦୁଃସ୍ଥ ଜୀବନ ଅତିବାହିତ କରୁଛନ୍ତି ।
ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତର ଧିଙ୍ଗିଆମୁଣ୍ଡା ଗ୍ରାମର ଏକ ପଡା ଗ୍ରାମ ହେଉଛି କଲୋନୀ ପଡା । ଏହି ପଡାରେ ୩୦ ଗୋଟି ପରିବାର ବସବାସ କରନ୍ତି । ପଡାରେ ଅନେକ ବର୍ଗର ଲୋକେ ବସବାସ କରୁଥିବାବେଳେ ପଡୋଶୀ ଛତିଶଗଡ ସୀମାନ୍ତରେ ଅବସ୍ଥିତ । ଏହି ପଡାରୁ ରାଜସ୍ୱ ଗାଁ ଧିଙ୍ଗିଆମୁଣ୍ଡା ଗ୍ରାମକୁ ଆସିବାକୁ ହେଲେ ମେଢ଼ାର ନାଳ ପାରି ହୋଇ ଆସିବାକୁ ପଡ଼ିଥାଏ । ଦୁଇଟି ଗାଁର ମଧ୍ୟ ଭାଗରେ ନାଳ ରହିଛି । ଧିଙ୍ଗିଆମୁଣ୍ଡା ଗ୍ରାମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଙ୍ଗକୁ ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଏପରିକି ଅନେକ ଦୋକାନ ବଜାର ମଧ୍ୟ ରହିଛି । ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ପ୍ରତିଦିନ ଏହି ନାଳ ପାରି ହୋଇ ଯିବା ଆସିବା କରୁଛନ୍ତି । ଏହି ନାଳର ମାଲିଘାଟ ନିକଟରେ ଛାତ୍ରଛାତ୍ରୀମାନଙ୍କ ସମେତ ଗ୍ରାମର ଲୋକେ ପାରି ହୋଇ ଯିବା ଆସିବା କରନ୍ତି । ବର୍ଷା ଋତୁ ସମୟରେ ଶିଶୁ ତଥା ଛାତ୍ରଛାତ୍ରୀମାନଙ୍କୁ ମୁଣ୍ଡରେ ବୋହି ପାରି କରାଇ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇଥାନ୍ତି ।
ଏପରିକି ଶିଶୁମାନେ ବିଦ୍ୟାଳୟ ଗଲା ବେଳେ ପାଣି କାଦୁଅରେ ଆଉଟୁ ପାଉଟୁ ହୋଇ ଭୟ ଓ ଆଶଙ୍କାରେ ବିପଦକୁ ଭାରେଇ ଯିବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଏହି ଗାଁକୁ ନାଳ ବାଧକ ସାଜିଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନାହିଁ । ଫଳରେ ଅନେକ ରୋଗୀ ତଥା ପ୍ରସୂତି ମହିଳାଙ୍କୁ ବହୁ କଷ୍ଟରେ ଭାର କରି ପାରି କରିବାକୁ ପଡ଼ିଥାଏ ବୋଲି ଗ୍ରାମର ଜନସାଧାରଣ ପ୍ରକାଶ କରିଛନ୍ତି । ଏହି ମେଢାର ନାଳ ଛତିଶଗଡ଼ ଅଞ୍ଚଳରୁ ପ୍ରବାହିତ ହୋଇ ଓଡ଼ିଶାରେ ପ୍ରବେଶ କରିଛି । ବର୍ଷା ହେଲେ ଏହି ନାଳରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେବା ସହ ବର୍ଷା ଋତୁର ଅଧିକାଂଶ ସମୟରେ ପାଣି ପ୍ରବାହିତ ହେଇଥାଏ । ଏହି ନାଳରେ ସେତୁ ନିର୍ମାଣ କରିବା ପାଇଁ ଗ୍ରାମର ଜନସାଧାରଣ ଅନେକ ଥର ପ୍ରାସାଶନିକ ଅଧିକାରୀ, ରାଜନୈତିକ ନେତୃବୃନ୍ଦ ସମେତ ନୂଆପଡ଼ା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି ହେଲେ କୌଣସି ସୁଫଳ ମିଳିନାହିଁ । ଏ ଦିଗରେ ସରକାର ତଥା ପ୍ରଶାସନ ଆଗକୁ ପଦକ୍ଷେପ ନ ନେଲେ ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମର ଅବଦଲ ନାଗ, ଦୁଲାଲୁ ଖର୍ସେଲ, ଅକୁରାମ ଖର୍ସେଲ, ଗଜାନନ ଦଣ୍ଡସେନା, ମଣ୍ଟ ଛତ୍ରିଆ, ଦିବାକର ଛତ୍ରିଆ, ମଦନ ଖର୍ସେଲ, ହର ଖର୍ସେଲ, ରାମେ କଟା, କୃଷ୍ଣଚନ୍ଦ୍ର ପୁଞ୍ଜି ପ୍ରମୁଖ । ଏ ସଂପର୍କରେ କେନ୍ଦୁମୁଣ୍ଡା ପଞ୍ଚାୟତ ସରପଞ୍ଚ ମଦନ ଦଣ୍ଡସେନାଙ୍କୁ ପଚାରିବାରୁ ଏହି ନାଳରେ ପୋଲ ନିର୍ମାଣ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରଯାଇଛି । ଜିଲ୍ଲାସ୍ତରରୁ ଆପ୍ରୁଭାଲ ହୋଇ ଆସିଲେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି । ତେବେ ଏହି ନାଳରେ କବେ ପୋଲ ନିର୍ମାଣ ହେବ ଓ ଯାତାୟାତରେ ସୁବିଧା ହେବ ତାକୁ ନେଇ ଅପେକ୍ଷା କରିଛନ୍ତି ଗ୍ରାମବାସୀ ।