ଖବର ପ୍ରକାଶ ପରେ ଆରମ୍ଭ ହେଲା କିଶୋରୀ ମେଳା
ରାଜନଗର : କିଶୋରୀ ମେଳା କରିବା ପାଇଁ ସରକାର ହଜାର ହଜାର ଟଙ୍କା ଅନୁଦାନ ଦେଇଥିବା ବେଳେ ରାଜନଗର ବ୍ଲକର ୧୦ଟି ସେକ୍ଟର ମଧ୍ୟରୁ ମାତ୍ର ୪ଟି ସେକ୍ଟର କିଶୋରୀ ମେଳା ଆୟୋଜନ କରିଥିଲା । ଅବଶିଷ୍ଟ ୬ଟି ସେକ୍ଟର କିଶୋରୀ ମେଳା ଆୟୋଜନ ନକରି ସମୟ ଗଡାଇ ଚାଲିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମହିଳା ଓ ଶିଶୁ ବିକାଶ ବିଭାଗ ହସ୍ତକ୍ଷେପ କଲା । ଯାହାଫଳରେ ବୁଧବାର ଦିନ ଦୁଇଟି ସେକ୍ଟରରେ କିଶୋରୀ ମେଳା ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ବ୍ଲକ ହାତିନା ଓ ସାନବଡଗୋପାଳପୁର ସେକ୍ଟରରେ କିଶୋରୀ ମେଳା ଆୟୋଜନ ହୋଇଥିଲା । ଅବଶିଷ୍ଟ ୪ଟି ସେକ୍ଟରରେ କେବେ କିଶୋରୀ ମେଳା କରାଯିବ, ତାହା ଜଣାପଡିନାହିଁ । ସୂଚନା ଥାଉକି, ରାଜ୍ୟ ସରକାର କିଶୋରୀ ବାଳିକାମାନଙ୍କର ଶାରିରୀକ ଓ ମାନସିକ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାରେ ମୁଢି, ଶୋଲା, ଅଣ୍ଡା ପ୍ରଦାନ କରାଯାଉଛି । ବର୍ଷକରେ ଥରରୁ ଦୁଇଥର ସେକ୍ଟରସ୍ତରରେ କିଶୋରୀ ବାଳିକାମାନଙ୍କୁ ଏକତ୍ର କରି ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଉଛି । ଏହି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ୨୭୪ଟି ଅଙ୍ଗନୱାଡି କେନ୍ଦ୍ର ଓ ୧୦ଟି ସେକ୍ଟର ରହିଛି । ପ୍ରତି ସେକ୍ଟରରେ କିଶୋରୀ ମେଳା ପାଇଁ ୧୦ହଜାର ଟଙ୍କା ଲେଖାଏଁ ୧ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଏହି ବ୍ଲକରେ ୪ଟି ସେକ୍ଟର ଯଥା- ଡାଙ୍ଗମାଳ, ରଙ୍ଗଣୀ, ଈଶ୍ୱରପୁର ଓ ତାଳଚୁଆ ସେକ୍ଟରରେ କିଶୋରୀ ମେଳା ଅନୁଷ୍ଠିତ ହୋଇଥିବା ବେଳେ ରାଜନଗର, ଚାନ୍ଦିବାଉଁଶମୂଳ, ସାନବଡଗୋପାଳପୁର, ବାଲିକଣା, ଗୁପ୍ତି, ହାତିନା ସେକ୍ଟରରେ କିଶୋରୀ ମେଳା କରାଯାଇନଥିବା ଅଭିଯୋଗ ହୋଇଥିଲା ।