ଖରସ୍ରୋତା ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ
ସିଂହପୁର: ଖରସ୍ରୋତା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗ ଦ୍ୱାରା ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ବିଭାଗର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ସାମଲ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବ୍ରଜକିଶୋର ସାହୁ ସଂସ୍କୃତ ନୀତିଶିକ୍ଷାର ଜୀବନ ଉପରେ ଗଭୀର ପ୍ରଭାବ ଥିବା ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜୟଚଣ୍ଡୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅଶୋକ କୁମାର ଦାସ ଯୋଗଦେଇ ପିଲାମାନଙ୍କୁ ସଂସ୍କୃତର ସାଂପ୍ରତିକ ସମାଜରେ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ କଂଟାବଣିଆ ଉଚ୍ଚବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସନ୍ତୋଷ କୁମାର ଦାଶ ଯୋଗଦାନ କରି ସଂସ୍କୃତ ଭାଷାର ବର୍ତମାନର ଦଶା ଓ ଦିଶା ଉପରେ ଆଲୋକପାତ କରିଥିଲେ । ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ନାୟକ ଓ ଉଦ୍ଭିଦ ବିଜ୍ଞାନର ମୁଖ୍ୟ ଅଧ୍ୟାପିକା ମମତାମୟୀ ସାମଲ ଯୋଗଦାନ କରି ସଂସ୍କୃତର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ସଂସ୍କୃତ ବିଭାଗର ଅଧ୍ୟାପିକା ଅର୍ପିତା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଡ଼ ଦୀପ୍ତି ରଞ୍ଜନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀ ମାନେ ସଂସ୍କୃତରେ ସ୍ୱାଗତ ଗୀତ ଓ ଲୋକଗୀତ ପରିବେଷଣ କରିଥିଲେ । ସମ୍ପନ୍ନ ହୋଇଥିବା ଶ୍ଳୋକ ଆବୃତି, ଗୀତା ଆବୁତି, ସଂସ୍କୃତ ଶାସ୍ତ୍ର ଜ୍ଞାନ ପରୀକ୍ଷା ଆଦିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମୀନକେତନ ତ୍ରିପାଠୀ, ସୁବାସ ଚନ୍ଦ୍ର ସାହୁ, ଅରୁଣ କୁମାର ସାମଲ, ଗଗନ ବିହାରୀ ବେହେରା, ଅମ୍ବିକା ପ୍ରସାଦ ଜେନା, ଚିତ ରଞ୍ଜନ ସାହୁ, ଜଳଧର ସାହୁ, ନୀଳମଣି ମଲ୍ଲିକ, ସନ୍ତୋଷ କୁମାର ମହାପାତ୍ର, ବୈଭବ କୁମାର ନାୟକ ଅଧ୍ୟାପିକା ଡ଼ ଗାୟତ୍ରୀ ଧଳ, ପୁଷ୍ପଲତା ଜେନା, ରୂପାଲି ମହାରଣା, ପ୍ରିତିରେଖା ଭୂୟାଁ, ମାମାନୀ ଆଚାର୍ଯ୍ୟ ପ୍ରଭୃତି ଯୋଗଦାନ କରିଥିଲେ । ପ୍ରାଚୀନତମା ତଥା ସର୍ବଭାଷା ର ଜନନୀ ସଂସ୍କୃତ ଭାଷା ସର୍ବଜନଗ୍ରାହ୍ୟ ହେଉ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।