ଯାଜପୁରରୋଡ଼-ଧାମରା ରେଳପଥ ସଂଗ୍ରାମ ପରିଷଦ ବୈଠକ
ଯାଜପୁର ଟାଉନ: ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ପରିଷଦ ଅଧ୍ୟକ୍ଷ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟଆଙ୍କ ସଭାପତିତ୍ୱରେ ଏକ ସର୍ବଦଳୀୟ ଓ ସାମୂହିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବିଧାୟିକା ସୁଜାତା ସାହୁ, ସଂଯୋଜକ ପଦ୍ମାକର ଗୁରୁଙ୍କ ସଞ୍ଚାଳନ କ୍ରମେ ଅନୁଷ୍ଠିତ ବୈଠକରେ ଆବାହକ ସନ୍ତୋଷ ନନ୍ଦ, ନାରାୟଣ ସାମନ୍ତ, ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ, ଆଲୋକ ବେହେରା, ପ୍ରତିମା କର ପ୍ରମୁଖ ଯୋଗଦେଇ ଯାଜପୁର ରୋଡ଼-ଧାମରା ଭାୟା ଯାଜପୁର ଟାଉନ, ମଙ୍ଗଳପୁର, ଆରଡ଼ି, ଚାନ୍ଦବାଲି, ଭିତରକନିକା ଦେଇ ଧାମରା ପର୍ଯ୍ୟନ୍ତ ଏହି ନୂତନ ରେଳପଥ ବର୍ଷ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଉଦାସିନତା ଓ ଅବହେଳା ଯୋଗୁ ପଡ଼ିରହିଛି । ପରିଷଦ ପକ୍ଷରୁ ନିରନ୍ତର ଓ ନିୟମିତ ଭାବେ କେନ୍ଦ୍ର ରେଳମନ୍ତ୍ରୀ, ରେଳବୋର୍ଡ଼ ଅଧ୍ୟକ୍ଷ ଓ ପୂର୍ବତନତଟ ରେଳବାଇ ଜିଏମକୁ ସାକ୍ଷାତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏହି ପ୍ରକଳ୍ପ ପ୍ରତି ବଜେଟରେ ଅର୍ଥ ବୟବରାଦ ନ କରିବା ଅତ୍ୟନ୍ତ ଚିନ୍ତା ଓ ପରିତାପର ବିଷୟ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାର ଡବଲ ଇଞ୍ଜିନ ସରକାର ଥିଲେ ମଧ୍ୟ ଏହି ପ୍ରକଳ୍ପ ପ୍ରତି କେହି ଗୁରୁତ୍ୱ ଦେଉନାହାଁନ୍ତି । ଆସନ୍ତା ସେପ୍ଟେମ୍ବର ମାସ ୧ତାରିଖରୁ ଏକ ଦସ୍ତଖତ ଅଭିଯାନ କରାଯାଇ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ ଓ ରେଳବୋର୍ଡ଼ ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ଶୀତକାଳୀନ ଅଧିବେଶନ ସମୟରେ ସଂସଦ ଭବନ ଆଗରେ ଧାରଣା ଓ ପ୍ରତିବାଦ କରିବାକୁ ବୈଠକରେ ସ୍ଥିର କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ ।