ଖାଲଖମାରେ ଭର୍ତ୍ତି ନବ ନିର୍ମିତ ଓଭରବ୍ରିଜ
ଯାଜପୁର : ବନ୍ଦରଟା ଦିନ ହେଇନି । କିନ୍ତୁ ଗାଡ଼ି ଚଳାଚଳ ପରେ ନବ ନିର୍ମିତ ଓଭରବ୍ରିଜ ଅବସ୍ଥା ଶୋଚନୀ ହୋଇପଡିଲାଣି । ଏମୁଣ୍ଡରୁ ସେମୁଣ୍ଡ ଯାଏ ଯେଉଁଠି ଦେଖିବ ଖାଲ ଆଉ ଖାଲ । ଆମେ କହୁଛୁ ପାଣିକୋଇଲି-ରିମୁଳି ୨୦ନଂ ଜାତୀୟ ରାଜପଥର କଥା । ଜହ୍ନାଛକ ନିକଟରେ ଟ୍ରାଫିକ ସମସ୍ୟା ଉପୁଜିବା ଏବଂ ବାରମ୍ବାର ଦୁର୍ଘଟଣା ଘଟିବାରୁ ସ୍ଥାନୀୟ ଲୋକଙ୍କ ଦାବି ଏବଂ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ପ୍ରଚେଷ୍ଟାରେ ରାଜପଥ କର୍ତୁପକ୍ଷ ଓଭରବ୍ରିଜ ନିର୍ମାଣ କରିବାକୁ ବାଧ୍ୟ ହୋଇଥିଲେ । ହେଲେ ଓଭରବ୍ରିଜ ଉପର ଦେଇ ଯାଇଥିବା ବିଦୁ୍ୟତ ତାର ଯୋଗୁ ମାସମାସ ଧରି ଗାଡ଼ି ଚଳାଚଳ ସମ୍ଭବ ହୋଇନଥିଲା । ଆନେ୍ଦାଳନ ଡ଼ାକରା ଦେବା ପରେ ରାଜପଥ କର୍ତୁପକ୍ଷ ଉଦ୍ୟମରୁ ଗଲାମାସ ୨୫ତାରିଖ ସଂପୃକ୍ତ ଓଭରବ୍ରିଜରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିଲା । କିନ୍ତୁ ଗାଡ଼ି ଚଳାଚଳ ପରେ ନିର୍ମାଣତ୍ରୁଟି ଉପରୁ ବାହାରି ଆସିଲା । ସଂପୃକ୍ତ ଓଭରବ୍ରିଜ ରାସ୍ତା ଖାଲଖମାରେ ଭର୍ତି ହୋଇପଡ଼ିଛି । ଗାଡ଼ି ଚଳାଚଳର ମାତ୍ର ୧୫ଟା ଦିନ ଯାଇନଥିବା ବେଳେ ରାସ୍ତାରେ ବିରାଟକାୟ ଖାଲ ସୃଷ୍ଟି ହେବା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ଠିକାଦାର ନିମ୍ନମାନର କାର୍ଯ୍ୟ କାରଣରୁ ଏଭଳି ଅବସ୍ଥା ହୋଇଥିବାର ଅଭିଯୋଗ ହେଉଛି । ଖାଲଖମା ଯୋଗୁ ଓଭରବ୍ରିଜରେ ଗାଡ଼ି ଚଳାଚଳ ବିପଦର କାରଣ ପାଲଟୁଛି । ରାଜପଥ କର୍ତ୍ତୁପକ୍ଷ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ ନକଲେ ରାସ୍ତା ଆହୁରି ବିପର୍ଯ୍ୟସ୍ତ ହୋଇପଡ଼ିବାର ସମ୍ଭାବନା ରହିଛି ।