ଜଙ୍ଗଲ ଜମିରେ ବ୍ଲକ ଖୋଳୁଛି ପୋଖରୀ
ଯାଜପୁର : ଜଙ୍ଗଲ କିସମ ଜମିରେ କୌଣସି ସରକାରୀ ପ୍ରକଳ୍ପ କରିବା ପୂର୍ବରୁ ଫରେଷ୍ଟ ଆକ୍ଟ ଅନୁଯାଇ ପ୍ରଥମେ ଏହାକୁ ଡାଇଭର୍ସନ କରିବା କଥା । ଡାଇଭର୍ସନ କରିବା ପରେ ଯାଇ କୈାଣସି ପ୍ରକଳ୍ପ କରିବାର ନିୟମ ରହିଥିଲେ ହେଁ ଦାନଗଦୀ ବ୍ଲକ ପ୍ରଶାସନ କିନ୍ତୁ ଏହାକୁ ବେଖାତିର କରିଛି । ଡାଇଭର୍ସନ କଥା ଛାଡ଼ ଜଙ୍ଗଲ ବିଭାଗକୁ ମଧ୍ୟ ଜଣାନାହିଁ ଜଙ୍ଗଲ ଜମିରେ ଖୋଳାଯାଉଛି ପୋଖରୀ । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପୋଖରୀ ଖୋଳାରୁ ବାହାରୁ ଥିବା ଶହଶହ ଟ୍ରିପ୍ ମୋରମକୁ କିଛି ମାଫିଆ ଦିନରାତିକୁ ଏକ କରି ଲୁଟିନେବାକୁ ସମର୍ଥ ହୋଇଛନ୍ତି । ଲୁଟ୍ ମୋରମକୁ କିଛି ପ୍ରଭାବଶାଳୀ ବାହାରକୁ ଚାଲାଣ କରିଦେଇଥିବା ବେଳେ, କିଛି ପରିମାଣର କେତେକଙ୍କ ଘର ଆଗରେ କୁଢ ହୋଇଛି । ଯେଉଁ ଉଦ୍ୟେଶରେ ଡ଼ିଏମଏଫରୁ ଅର୍ଥବରାଦ ହୋଇଛି, ତାହା ଚରିତାର୍ଥ ହେବନି ବୋଲି ଚାଷୀ ଅଭିଯୋଗ ଆଣିବା ସହ ଏନେଇ ବିଡ଼ିଓ, ତହସିଲଦାର, ଡ଼ିଡ଼ିଏମ ଏବଂ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ମାଫିଆ ଗୋଷ୍ଠି ପ୍ରଭାବଶାଳୀ ହୋଇଥିବାରୁ ପ୍ରଶାସନ ସ୍ତରରେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଅଭିଯୋଗ ଅନୁଯାଇ ଦାନଗଦୀ ବ୍ଲକ ପ୍ରଶାସନ ମାର୍ଫତରେ ଧୂଳିଗଡ ମୌଜାରେ ଗୋଟିଏ ପୋଖରୀ ଖୋଳିବାକୁ ବିଭାଗୀୟ କାର୍ଯ୍ୟାଦେଶ ଦିଆଯାଇଛି । କେଉଁଠାରେ ପୋଖରୀ ଖୋଳିଲେ ଚାଷ ଜମିକୁ ପାଣି ମାଡି ପାରିବ ସେନେଇ ପ୍ରଥମେ ଚାଷୀଙ୍କ ମତାମତ ନିଆଯିବା କଥା । କିନ୍ତୁ ଏଠାରେ ସେପରି କିଛି କରାଗଲାନି । ସ୍ଥାନୀୟ ଜଣେ ପ୍ରଭାବଶାଳୀ ନେତାଙ୍କ କଥାରେ ସ୍ଥାନ ନିରୁପଣ ପରେଉକ୍ତ ସ୍ଥାନରେ ପୋଖରୀ ଖୋଳାଗଲା । କିିନ୍ତୁ ଯେଉଁ ସ୍ଥାନକୁ ଚିହ୍ନଟ କରାଗଲା, ତାହା ଗୋଟେ ପଟେ ଜଙ୍ଗଲ କିସମ ଜମି ହୋଇଥିବା ବେଳେ ଉକ୍ତ ପୋଖରୀ ଆଖପାଖରେ ଥିବା ଚାଷଜମିକୁ ବାଟ ବନ୍ଦ୍ ହୋଇଯିବା ସହିତ ଚାଷୀ ଅସୁବିଧାର ସମ୍ମୁଖିନ ହେବେ । ଏଭଳି ଅଭିଯୋଗ ଆଣି ଆରମ୍ଭରୁ ସ୍ଥାନୀୟ ଲୋକେ ପୋଖରୀ ନିର୍ମାଣକୁ ବିରୋଧ କରିବା ପୂର୍ବକ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ କ’ଣ ହେବ ପ୍ରଭାବଶାଳୀଙ୍କ ଚାପରେ ଅଭିଯୋଗ ପତ୍ର ଚପିଗଲା । ଧୂଳିଗଡ ମୈାଜାର ଖାତା ନଂ- ୮୯ ପ୍ଲଟ ନଂ-୨୭୮ରେ ଅବସ୍ଥିତ ଏହି ଜମିଟି ଅନାବାଦୀ ଶାଳ ଜଙ୍ଗଲ କିସମର । ଡାଇଭର୍ସନ ହୋଇନଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଅନାବାଦୀ ଶାଳ ଜଙ୍ଗଲ କିସମ ଜମିରେ ପୋଖରୀ ଖୋଳିବାକୁ କିଭଳି ଅନୁମତି ଦିଆଗଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କାହିଁକି ନାଁ ଯାଜପୁର ରୋଡ ଫରେଷ୍ଟ ରେଞ୍ଜ୍ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା କଥା ହେଲା ଧୂଳିଗଡ ମୈାଜାରେ ପୋଖରୀ ଖୋଳିବା ନିମନ୍ତେ କୈାଣସି ଅନୁମତି ଦିଆଯାଇନି । ସଂପୃକ୍ତ ପ୍ରଭାବଶାଳୀ ନେତାଙ୍କ ମର୍ଜିରେ ଉକ୍ତ ଜମିରେ ପୋଖରୀ ଖୋଳା ଚାଲିଥିବା ବେଳେ ସେଠାରୁ ବାହାରୁଥିବା ଶହଶହଟ୍ରିପ ମୋରମକୁ ମାଫିଆ ଦିନରାତି ଲୁଟି ନେଇଛନ୍ତି । ଚାଷ ଜମିର ସ୍ୱାର୍ଥ ନୁହେଁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସଂପୃକ୍ତ ପ୍ରଭାବଶାଳୀ ଏଭଳି ଚକ୍ରାନ୍ତ କରିଥିବା ଅଭିଯୋଗ ହେଉଛି । ଏଦିଗରେ ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଟାନ ନେବାକୁ ଅଞ୍ଚଳବାସୀ ଜିଲ୍ଲାପାଳ, ଖଣି ଉପନେିଦେ୍ର୍ଦଶକ ଏବଂ କଟକ ଡିଏଫ୍ଓଙ୍କ ନିକଟରେ ଦାବି କରିଛନ୍ତି ।