ଖୁଚୁରା ବଜାରରେ ସାର ଅଭାବ, ଚାଷୀ ହନ୍ତସନ୍ତ
ଯଖପୁରା : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ରାଜ୍ୟର ଅନେକ ଜିଲାରେ ଧାନ ଚାଷ କାର୍ଯ୍ୟ କରି ସାଧାରଣ ଲୋକ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । କୃଷି କ୍ଷେତ୍ରକୁ ସମସ୍ତ ବର୍ଗ ଗୁରୁତ୍ୱର ସହ ନେଇଥାନ୍ତି । କୃଷି ଆଉ କୃଷକଙ୍କ ଉନ୍ନତି ପାଇଁ ସରକାର ଠାରୁ ଆରମ୍ଭ କରି ବିରୋଧୀ ଦଳ ସମସ୍ତେ ଚେଷ୍ଟା କରୁଥିବାର ଦେଖିବାକୁ ମିଳେ । କୃଷି ହେଉ କି କୃଷକ କାହାର ମଧ୍ୟ କିଛି ଅସୁବିଧା ହେଲେ ରାଜ୍ୟ ରାଜନୀତି ସରଗରମ ହୋଇଥିବାର ନଜିରରହିଛି । ଏମିତିକି କୃଷି କ୍ଷେତ୍ରରେ ସରକାରଙ୍କ ତ୍ରୁଟି ପୂର୍ଣ୍ଣ ପରିଚାଳନା ପାଇଁ ଅନେକ ସମୟରେ କୃଷକ ମାନଙ୍କର ଆନେ୍ଦାଳନ ହେଉଥିବାର ଦେଖିବାକୁ ମିଳୁଛି । ବର୍ତମାନ ରାଜ୍ୟର ପୂର୍ବ ଠାରୁ ଆରମ୍ଭ କରି ପଶ୍ଚିମ, ଉତର ଠାରୁ ଦକ୍ଷିଣ ସବୁ ଜିଲାରେ ସାର ଅଭାବ ଦେଖିବାକୁ ମିଳିଛି ।
ସାର ଅଭାବ ପାଇଁ ଅନେକ ଜିଲାରେ ଅଶାନ୍ତି ଦେଖିବାକୁ ମିଳୁଛି । ରାଜରାସ୍ତା ଠାରୁ ଆରମ୍ଭ କରି ସାରର ଅଭାବ ପାଇଁ ରାଜଭବନ ପର୍ଯ୍ୟନ୍ତ ସବୁ ଜାଗାରେ ଆନେ୍ଦାଳନ ଦେଖିବାକୁ ମିଳୁଛି । ସାରର ଅଭାବ ପାଇଁ ଏବେ ଗାଁ ଗାଁରେ ଚାଷୀ ହୀନସ୍ତା ହେଉଥିବାର ଦେଖିବାକୁ ମିଳୁଛି । ଦାନଗଦୀ ବ୍ଲକ୍ ଅନ୍ତର୍ଗତ ମାଣତୀରା, ଯଖପୁରା, ମଙ୍ଗଳପୁର, ପଙ୍କପାଳ, କୁମ୍ଭିରଗଡିଆ, ଖପୁରିଆପଦା, ରାଛିପୁର ଆଦି ସମସ୍ତ ପଂଚାୟତ ସହିତ ଅନେକ ପଂଚାୟତର ହାଟ ବଜାର ସାର ମିଳୁନାହିଁ । ଏହି ସବୁ ଅଞ୍ଚଳରେ ଥିବା ଖୁଚୁରା ବଜାର ତେଲିବାହାଳି, ଯଖପୁରା, ରାବଣା, ପଙ୍କପାଳ, ଶାସନ, ମନୋହରପୁର, ମାନତୀରା, କୁମ୍ଭିରଗଡ଼ିଆ, ଦାନଗଦୀ, ଟିକର, ମାରୁଟିକର, ଖପୁରିଆପଦା, ବାଲିପଶି, ଯୋକଡିଆ, ରାଛିପୁର, ନେଳିବାରି ଆଦି ଛୋଟ ଛୋଟ ଛକ ବଜାରରେ ଆଉ ସାର ଦେଖିବାକୁ ମିଳୁନାହିଁ । ଯେଉଁଠି ବି କାଁ ଭାଁ ସାର ରହିଛି ସେଠି ସବୁ ଉଚ ଦରରେ ବିକ୍ରୀ ହେଉଛି । ଅନେକ ଦୋକାନ ବଜାରରୁ ସାର ଉଭାନ ହୋଇଯାଇଛି । ଫଳରେ ଚାଷୀ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳୁଛି । ବର୍ତମାନ ସମୟରେ ଚାଷ ଜମିରେ ଧାନ ସବୁ ଫଳିବା ଅବସ୍ଥାରେ ରହିଛି । ଏହି ସମୟରେ ବିଶେଷ କରି ୟୁରିଆ ସାର ଅଧିକ ପରିମାଣର ଆବଶ୍ୟକତା ରହିଥାଏ । ମାତ୍ର ଖୁଚୁରା ବଜାରରେ ସାରର ଅଭାବ ପରିଲକ୍ଷିତ ହୋଇଛି । ସାରର ଅଭାବ ପାଇଁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ନିଜର ଚାଷକୁ ବଞ୍ଚାଇବା ପାଇଁ ସଙ୍ଘର୍ଷ କରୁଛନ୍ତି । କିନ୍ତୁ ସରକାରଙ୍କ କହିବା କଥା ଭିନ୍ନ । ରାଜ୍ୟରେ ପ୍ରଚୁର ପରିମାଣର ସାର ଗଚ୍ଛିତ ଅଛି ବୋଲି ବହାସ୍ପୋଟ ମାରୁଛନ୍ତି । ଯଦି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ରହିଛି ତେବେ ସାର ପାଇଁ ଲମ୍ବା ଧାଡ଼ି କଣ ପାଇଁ? ସାରର ଯଦି ଅଭାବ ନାହିଁ ଚାଷୀ ମାନେ ବାର ଦୁଆର କାହିଁକି ହେଉଛନ୍ତି । ତୁରନ୍ତ ଚାଷୀଙ୍କୁ ସାର ଯୋଗାଇଦେବା ପାଇଁ କୃଷକ ମାନେ ଦାବି କରିଛନ୍ତି । ଖୋଦ୍ ସମବାୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସାରର ଘୋର ଅଭାବ ଦେଖିବାକୁ ମିଳିଛି । ତୁରନ୍ତ ମନ୍ତ୍ରୀ ଏହାର ସମାଧାନ କରି ସାର ଯୋଗାଇଦେବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।