ଫୁଟବଲ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ରାଜକନିକା/ନବରଙ୍ଗପୁର : କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡା ସଂସଦ, ଜିଲ୍ଲା ପ୍ରଶାସନ ଓ ରାଜକନିକା ଆଥେଲେଟିକ ଆସୋସିଏସନ ମିଳିତ ଆନୁକୂଲ୍ୟରେ ୧୫ ବର୍ଷରୁ କମ ବାଳକ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛି । ରାଜକନିକା ଆର. ଏନ ହାଇସ୍କୁଲ ମିନି ଷ୍ଟାଡିଅମରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୩୯ ଖେଳାଳି ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ୨୨ ଖେଳାଳି ମନୋନୀତ ହୋଇ ଆସନ୍ତା ୨୮ ତାରିଖ ଭୁବନେଶ୍ୱର ଜୋନ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ସୟଦ ଅକମଲ ଆଲ୍ଲୀ ଜଣାଇଛନ୍ତି ।୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଆଥଲେଟିକ ସମ୍ପାଦକ ଜ୍ୟୋତିର୍ମୟ ଦାସ, ଯୁଧିଷ୍ଠିର ଲେଙ୍କା, ବେବେନ୍ଦ୍ର ସାହୁ, ରାଜକନିକା ଆଥଲେଟିକ ଆସୋସିଏସନ ପକ୍ଷରୁ ଦେବେନ୍ଦ୍ର କୁମାର ନାୟକ, ଗୋଲକ ବିହାରୀ ମଲ୍ଲିକ, ବାସୁଦେବ ବେହେରା, ପର୍ଶୁରାମ ସାହୁଙ୍କ ସମେତ ଅନ୍ୟମାନେ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଖେଲୋ ଇଣ୍ଡିଆ ଫୁଟବଲ ପ୍ରତିଯୋଗିତାରେ ଓଡିଶାରୁ ପ୍ରତିନିଧିତ୍ୱ କରିଥିବା ରାଜକନିକାର ଉଦୀୟମାନ ଖେଳାଳି ରିତେଶ ପାତ୍ରଙ୍କୁ ଆଜି ରାଜକନିକା ଆଥଲେଟିକ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘ ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ କ୍ରୀଡା ନିମନ୍ତେ ୪୦ ଜଣ ଖେଳାଳିଙ୍କୁ ନେଇ ଏକ କୋଚିଂ କ୍ୟାମ୍ପ ଆରମ୍ଭ ହୋଇଛି । ଉମରକୋଟ ଠାରେ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଲିଗ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଚୟନ ହୋଇଥିବା ୪୦ ଜଣଙ୍କୁ ନେଇ କୋଚିଂ କ୍ୟାମ୍ପ୍ ଆରମ୍ଭ ହୋଇଛି । ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି କ୍ୟାମ୍ପ୍ର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ. ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସମୀର ପାତ୍ର, ସନ୍ତୋଷ ଟ୍ରଫି ଖେଳାଳି ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।