ଖୁବ୍ଶୀଘ୍ର ସାଲେପୁର ହେବ ସବ୍ଡିଭିଜନ୍ !
ସାଲେପୁର : ସାଲେପୁରକୁ ଖୁବ୍ ଶୀଘ୍ର ସବ୍ଡିଭିଜନ୍ ଘୋଷଣା କରାଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ ହେବ । ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀଙ୍କୁ ବିଧାନସଭାରେ ଗତ ଗୁରୁବାର ଦିନ ଏକ ଲିଖିତ ପ୍ରଶ୍ନ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ପଚାରିଥିଲେ । ଶ୍ରୀ ବେହେରା କହିଥିଲେ ଯେ, ସାଲେପୁର ଉପଖଣ୍ଡକୁ ସବ୍ଡିଭିଜନ୍ ମାନ୍ୟତା ପାଇଁ ସରକାର ବ୍ୟବସ୍ଥା କରିବେ କି? ଟାଙ୍ଗୀ-ଚୌଦ୍ୱାର ତହସିଲ ଜଗତପୁରରେ ଥିବାବେଳେ ଟାଙ୍ଗୀ ଠାରେ ତହସିଲ ପ୍ରତିଷ୍ଠା ପାଇଁ ସରକାରଙ୍କର କି ପ୍ରସ୍ତାବ ରହିଛି? ଏହି ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଝାରୀ କହିଲେ ଯେ, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ନୂତନ ରାଜସ୍ୱ ଉପଖଣ୍ଡ ଗଠନ ସଂପର୍କରେ ବିଭିନ୍ନ ପ୍ରସ୍ତାବ ବିଚାରଧିନ ରହିଛି । ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନୀତିନିୟମ ଆଧାରରେ ସରକାର ସାଲେପୁରକୁ ଉପଖଣ୍ଡ ମାନ୍ୟତା ଦେବା ଓ ଏହାକୁ ଉପଖଣ୍ଡ ସଦର ମହକୁମା ଘୋଷଣା କରିବାପାଇଁ ଆସିଥିବା ଦାବି ଉପରେ ଯଥା ସମୟରେ ବିଚାର କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ସେହିପରି ସାଲେପୁର ନିର୍ବାଚନ ମଣ୍ଡଳୀର ଟାଙ୍ଗୀ ଠାରେ ତହସିଲ କାର୍ଯ୍ୟାଳୟ ସ୍ଥାପନ ନେଇ ସରକାରଙ୍କର ବିଚାରଧୀନ ରହିଥିବା ସେ ପ୍ରକାଶ କରିଥିଲେ ।