ଗଛ ସହୁଛି ଲୁହାକଣ୍ଟାର ବେଦନା

ଯାଜପୁର ସଦର: ବୃକ୍ଷ ରୋପଣ କରି ପରିବେଶକୁ ସୁରକ୍ଷା ଦେବା ଏକଥା କୁହାଯାଉଛି । ସ୍କୁଲ, କଲେଜ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ, ସରକାରୀ କଳ ପକ୍ଷରୁ ମଧ୍ୟ ବୃକ୍ଷ ରୋପଣ କରାଯାଉଛି । ଆଉ ବୃକ୍ଷ ରୋପଣ ପାଇଁ ପ୍ରଚାର ପ୍ରସାର ଏବଂ ସଚେତନ କରାଯାଉଛି । ହେଲେ ଲାଭ ଓ ଲୋଭ ପାଇଁ ଗଛକୁ ସହିବାକୁ ପଡ଼ୁଛି କଣ୍ଟାର ବେଦନା । ବୃକ୍ଷ ଆମର ‘ଜୀବନ’, ବୃକ୍ଷ ଆମର ବନ୍ଧୁ କହୁଥିବା ମଣିଷ ନିଜର ସ୍ୱାର୍ଥ ପାଇଁ କିଛି ସ୍ଥାନରେ ବୃକ୍ଷମାନଙ୍କ ଉପରେ ବିଜ୍ଞାପନ ହୋଡ଼ିଂକୁ କଣ୍ଟା ବାଡେଇ ଟାଙ୍ଗି ଦେଉଛନ୍ତି । ଏହା ପ୍ରାୟତ ସବୁଠି ଦେଖିବାକୁ ମିଳୁଛି । ଗାଁ ହେଉ କି ସହର ସବୁଠି ଏହା ଦେଖିବାକୁ ମିଳିଥାଏ । ଯାଜପୁର ସହରରେ ଏମିତି କୋଉ ସ୍ଥାନ ନାହିଁ ଯେଉଁଠି କଣ୍ଟାର ବେଦନା ଗଛ ସହୁନି । ୱାର୍ଡରେ ଥିବା ଗଛରେ ଲୁହା କଣ୍ଟା ବାଡେଇ ଅନେକ ପ୍ରକାର ବିଜ୍ଞାପନ ହୋଡ଼ିଂ ସବୁ ଛାଇଯାଇଛି । ଲୁହାକଣ୍ଟାର କ୍ଷତରେ ଗଛ ସିନା ତାର ଯନ୍ତ୍ରଣା କହିପାରିଲାନି, ହେଲେ ତାର ଡାଳ ଆଉ ପତ୍ର ସୂଚାଇ ଦେଉଛି କିଭଳି ଲାଗୁଛି ଗଛର ହାଲ୍ । ଗଛର ମଧ୍ୟ ଜୀବନ ଅଛି, ସେ ମାନବ ସମାଜ ପାଇଁ ବରଦାନ ସଦୃଶ୍ୟ, ତା’ ଉପରେ ଅତ୍ୟାଚାର କରିବାଟା ପରିବେଷିତଙ୍କୁ ବସନ୍ଦ ଆସିନି । ଜୀବନ୍ତ ଗଛ ଉପରେ ଲୁହା କଣ୍ଟା ବାଡେଇବା ହେତୁ ଗଛ ଉପରେ ଏହାର ଅନେକ ନାରାତ୍ମକ ପ୍ରଭାବ ପଡିଥାଏ । ଅନେକ ଗଛର ଉଚ୍ଚତା ବୃଦ୍ଧି ପାଇବାର ଗୁଣ ହ୍ରାସ ପାଇଥାଏ । ସେହିପରି ଫଳ ଗଛ ମାନଙ୍କରେ ଅତ୍ୟଧିକ ଲୁହା କଣ୍ଟା ବାଡେଇବା ଦ୍ୱାରା ଫୁଲ ଫଳ ଝଡିବାର ସମ୍ଭାବନା ଦେଖା ଦେଇଥାଏ । ଏହି ବୃକ୍ଷରେ ଅନେକ ସରିଶୂପ, ପକ୍ଷୀମାନେ ବସା ବାନ୍ଧି ରହିଥାନ୍ତି । ଲୁହାକଣ୍ଟା ଗଛରେ ବାଡେଇବା ଦ୍ୱାରା ସେମାନେ ଅନେକ ଆଘାତପ୍ରାପ୍ତ ହୋଇଥାନ୍ତି । କମ୍ପାନୀମାନେ ବିଜ୍ଞାପନ ଫଳକ ନିଜର ଫାଇଦା ଓ ଲୋକପ୍ରିୟତା ବଢ଼ାଇବା ପାଇଁ କରୁଥିବା ବେଳେ ନିରୀହ ଜୀବ ଜନ୍ତୁ ଓ ବୃକ୍ଷ ଏହା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଉଥିବା କଥା ପରିବେଶବିତ ମତପୋଷଣ କରନ୍ତି । ଜଙ୍ଗଲ ବିଭାଗ ଓ ପ୍ରଶାସନ ଏଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରକୃତି ପ୍ରେମୀ ମତଦିଅନ୍ତି ।