ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ :
ବଟରଫ୍ଲାଏ ଫିସ ପ୍ରାୟ ଯୋଡା ହୋଇ ମିଳନ୍ତି । ସେମାନଙ୍କର ଥାଏ ବଡ ବଡ କଳା ଆଖି । ଛୋଟ ମାଛ, ପ୍ରାୟ ୨୦ ସେମି ପର୍ଯ୍ୟନ୍ତ ବଢନ୍ତି । ସେମିତି ଅଛନ୍ତି ବ୍ଲାକ ବ୍ୟାକଡ ବଟରଫ୍ଲାଏ ଫିସ, ଥ୍ରେଡଫିନ ବଟରଫ୍ଲାଏ ଫିସ, ଟିଅର ଡ୍ରପ ବଟରଫ୍ଲାଏ ଫିସ ଭଳି କେତେକେତେ ସୁନ୍ଦର ବଟରଫ୍ଲାଏ ବା ପ୍ରଜାପତି ଭଳି ସୁନ୍ଦର ଦେଖାଯାଉଥିବା ମାଛମାନ ।ପ୍ରଜାପତି ଡେଣା ମେଲାଇଲା ପରି ସେମାନଙ୍କ ପତଳା ଶରୀର ଚଉଡା ହୋଇ ଶେଷରେ ମୁହଁ ଏକଦମ ଛୋଟ ହୋଇଯାଇଥାଏ । ପ୍ରଜାପତି ଭଳି ସେମାନେ ଯୋଡା କିମ୍ବା ଛୋଟ ଦଳ ହୋଇ କୋରାଲ ଉଦ୍ୟାନରେ ଘୂରିବୁଲୁଥାନ୍ତି । ଆଙ୍ଗଲର ଫିସମାନ ମଧ୍ୟ ଦେଖିବାକୁ ବହୁ ସୁନ୍ଦର । ଏମାନେ ବଟରଫ୍ଲାଏ ଫିସମାନଙ୍କ ଠାରୁ ଆକାରରେ ବଡ ଆଉ ଟିକିଏ ଗଭୀର ପାଣିରେ ମିଳନ୍ତି । ସେମିତି ଅଛନ୍ତି ସୁନ୍ଦର ଦେଖାଯାଉଥିବା ଭିନ୍ନଭିନ୍ନ ପ୍ରଜାତିର ଆନିମୋନେ ଫିସ ।ସେମାନଙ୍କର ଥାଏ ଚମକୁଥିବା ରଙ୍ଗ । ଭିନ୍ନ ଭିନ୍ନ ରଙ୍ଗର ଡ୍ୟାମସେଲ ଫିସ, ୱାର୍ସେ ପ୍ରଜାତିର ଅସଖ୍ୟ ସୁନ୍ଦର ମାଛ ମନକୁ ଆକର୍ଷଣ କରିରଖେ । ସେମିତି କେତେ କେତେ ରଙ୍ଗର ପ୍ୟାରୋଟ ଫିସ ଆକାରରେ ଟିକେ ବଡ । ଦେଖିବାକୁ ବହୁ ସୁନ୍ଦର । କୋରାଲର ଅଳ୍ପ ଗଭୀର ସମୁଦ୍ର ତଳ ଆଡକୁ ରହୁହନ୍ତି ଭିନ୍ନ ଭିନ୍ନ ଗୋବି ପ୍ରଜାତିର ଛୋଟ ମାଛମାନେ । ତଳ ବାଲିଆ ଅଂଶ ଆଡକୁ ଏମାନେ ମିଳନ୍ତି । ଟାଙ୍ଗ ପ୍ରଜାତିର ରଙ୍ଗୀନ ମାଛମାନେ ଯୋଡା କିମ୍ବା ଛୋଟ ଦଳରେ କୋରାଲଭିତରେ ଘୂରିବୁଲୁଥାନ୍ତି ।ସର୍ଜ୍ଜନ ଫିସମାନଙ୍କର ଅଲଗା ଅଲଗା ପ୍ରଜାତି ବଡ ବା ଛୋଟ ଦଳରେବୁଲୁଥାନ୍ତି । ସର୍ଜ୍ଜନ ଫିସମାନଙ୍କର ରଙ୍ଗ ଚକଚକିଆ ।ଅଲଗା ଅଲଗା ନାମବାଲା ଟ୍ରିଗାର ଫିସମାନେ ମଧ୍ୟ ବହୁ ସୁନ୍ଦର ଲାଗନ୍ତି ।
ବଡ ଶିକାରୀ ମାଛ ଭିତରେ ଅଛନ୍ତି ଲମ୍ବା ଗ୍ରେଟ ବାରକୁଡା, ଯାହ ପ୍ରାୟ ଦୁଇ ମିଟର ପର୍ଯ୍ୟନ୍ତଲମ୍ବ ହୋଇପାରେ । ସେମାନଙ୍କର ଥାଏ ରୂପା ପରି ରଙ୍ଗ ଆଉ ସେମାନେ ଟିକେ ଗଭୀର ସମୁଦ୍ରରେ ରୁହନ୍ତି ।ସେମିତି ଅଛନ୍ତି ବ୍ଲାକଫିନ ବାରାକୁଡା ଯାହାକି ୧୭୦ ସେମି ପର୍ଯ୍ୟନ୍ତ ଲମ୍ବ ହୋଇପାରେ ଆଉ ସେମାନେ ବଡ ଦଳ କରି ପହଁରନ୍ତି । ବଡବଡ ଦଳରେ ଗଭୀର ପାଣିରେ ଘୂରିବୁଲନ୍ତି ମ୍ୟାକରେଲ ମାଛମାନେ । ଏମାନେ ୭୫ ସେମି ପର୍ଯ୍ୟନ୍ତ ଲମ୍ବ ହୋଇପାରନ୍ତି । ଆଉ ଅଛନ୍ତି ଫ୍ଲାଇଙ୍ଗ ଫିସ । ଏହି ମାଛ କିଛି ଦୂର ପର୍ଯ୍ୟନ୍ତ ପାଣି ଉପରେ ଶୂନ୍ୟରେ ଉଡିଯାଇପାରେ । ଗଭୀର ପାଣିରେ ଏହି ମାଛମାନେ ବେଳେବେଳେ ଲହଡି ଶିଖରରୁ ଉପରକୁ ଲମ୍ପ ମାରିଥାନ୍ତି ଆଉ ଲାଗନ୍ତି ଯେମିତି ଆକାଶରେ ଲହଡି ଉପରେ ପବନରେ ଭାସିଯାଉଛନ୍ତି । କୋରାଲ ଦୁନିଆର ସବୁଠାରୁ ବିଷାକ୍ତ ମାଛ ହେଉଛି ଷ୍ଟୋନ ଫିସ । ଏହା ୩୫ ସେମି ପର୍ଯ୍ୟନ୍ତ ବଡ ହୋଇପାରେ । ପ୍ରାୟ ପଥର ଭଳି ଦେଖାଯାଉଥିବ । ଏମିତି ବାଲିରେ ବା ସମୁଦ୍ର ତଳେ ଏକଦମ ମିଶିଯାଇଥିବ ଯେ ଏହାକୁ ବାରିବା କଷ୍ଟ । ତା’ ଦେହର ଅଛି ସ୍ପାଇନ ବା କଣ୍ଟା ଫୁଟିଗଲେ ଭୀଷଣ ଯନ୍ତ୍ରଣା ହୁଏ । ଏମିତି ବି କିଛି କ୍ଷେତ୍ରରେ ଜୀବନହାନି ହୋଇପାରେ ।
ସେମିତି ଲାୟନ ଫିସମାନେ ମଧ୍ୟ ବିଷାକ୍ତ । ସୁନ୍ଦର ଦେଖାଯାଉଥିବା ଲାଏନ ଫିସ ମାଛଟିର ରଙ୍ଗ ଆଉ ଆକାରରେ ଯେ କେହି ଆକର୍ଷିତ ହୋଇଯିବ । ଆକ୍ୱାରିଅମପାଇଁ ପସନ୍ଦ କରାଯାଉଥିବା ମାଛଟି କୋରାଲ ଉପରେ ବସିରହିଥାଏ । ଏହା ଅନ୍ୟ ଛୋଟ ମାଛ ଆଉ କଙ୍କଡା ଖାଇଥାଏ । ଏହି ମାଛର ଦେହରେ ଥିବା ସ୍ପାଇନଓ ବା କଣ୍ଟା ବିଷାକ୍ତ ଆଉ ଫୁଟିଗଲେ ପ୍ରବଳ ଯନ୍ତ୍ରଣା ଦେଇଥାଏ ।
ଷ୍ଟିଙ୍ଗ ରେ ବା ସାଙ୍କୁଚର ରଙ୍ଗ ପାଉଁଶିଆରୁ କଳା ହୋଇପାରେ । ଏହା ବାଲି ଭିତରେ ଲୁଚି ରହିଥାଏ ଆଉ ଖାଲି ଆଖି ଦେଖାଯାଉଥାଏ । ସବୁବେଳେ ଏହି ଜୀବ କୋରାଲ ପଥରମାନଙ୍କ ଭିତରେ ଥିବା ଧଳା ବାଲିରେ ଲୁଚିବାକୁ ଭଲପାଏ । ଏହାର ଲାଞ୍ଜ ଯନ୍ତ୍ରଣାଦାୟକ କ୍ଷତ କରିପାରେ ।
ସମୁଦ୍ରରେ ଅଛନ୍ତି ମାଟି ଉପର ଜଙ୍ଗଲର ମହାବଳ ବାଘ ଭଳି ଶିକାରୀ ଶାର୍କମାନେ । ସାଧାରଣତଃ ଏମାନେ ଗଭୀର ପାଣିରେ ରୁହନ୍ତି । କିନ୍ତୁ ଖାଦ୍ୟ ସନ୍ଧାନରେ ବା ପବନ ହେଲେ କୁଳ ଆଡକୁ ଆସିଯାଇଥାନ୍ତି । ଶାର୍କର କିଛି ପ୍ରଜାତି ଯଥା ବୁଲ ଶାର୍କ, ଟାଇଗର ଶାର୍କ, ଗ୍ରେଟ ହ୍ୱାଇଟ ଶାର୍କ ଇତ୍ୟାଦି ସମୁଦ୍ର ପାଣିରେ ମଣିଷକୁ ମାରିଦେବାକୁ ସକ୍ଷମ ।
ଜେଲି ଫିସ ଦେଖିବାକୁ ସୁନ୍ଦର ତଥା ଅଦ୍ଭୂତ ଲାଗେ । ଏକ ମଶରୁମ ବା ଛତୁ ବା ବଲବ ଭଳି ଦେଖିବାକୁ, ଆଉ କିଛି ମୋଟ ମୋଟ ରଶି ଭଳି ଅଙ୍ଗ ପଛକୁ ବାହାରି ଆସିଛି । ପାଣିରେ ଏମାନେ ଏମିତି ଭାସୁଥାନ୍ତି । ଜେଲିଫିସର ଦେହର ୯୦ ପ୍ରତିଶତ ପାଣି । ଆଉ ଜେଲି ଫିସର ଅଛି ବହୁତ ଟେଣ୍ଟାକଲ । ଜେଲିଫିସର କାମୁଡା ଯନ୍ତ୍ରଣାଦାୟକ ଆଉ କିଛି କ୍ଷେତ୍ରରେ ମୃତ୍ୟୁ ମଧ୍ୟ ହୋଇପାରେ ।ଏମାନଙ୍କୁ ହାତରେ ଛୁଇଁବା ଉଚିତ ନୁହେଁ । ଲାୟନ-ମାନେ ହେଉଛି ପୃଥିବୀର ସବୁଠାରୁ ବଡ ଜେଲିଫିସ । ଏହାର ଟେଣ୍ଟକଲର ଲମ୍ବ ୩୬ ମିଟର ପର୍ଯ୍ୟନ୍ତ ହୋଇପାରେ । ବେଶି ଜେଲି ଫିସ ମିଳିଲେ ଲାଗେ ଯେମିତି ସମୁଦ୍ରରେ ଫୁଲ ଫୁଟିଯାଇଛି । କଇଁମାନ ଏକ ବିଶାଳ ପୁଷ୍କରିଣୀରେ ଚାରିଆଡେ ଭାସୁଛି । ସି ଅର୍ଚ୍ଚିନର ଦେହରେ ଡମ୍ଫୁଣ ଭଳି ଅନେକ ଅନେକ କଣ୍ଟା ବାହାରି ଆସିଥାଏ । କିଛି ତ ଦୁଦୁରା ଗଛର ଫଳ ଭଳିଆ ଲାଗନ୍ତି, କିନ୍ତୁ ଦୁଦୁରା ଫଳର କଣ୍ଟା ଠାରୁ ବହୁ ଲମ୍ବ କଣ୍ଟାମାନ ।ଏହି କଣ୍ଟାକୁ ମାଡ଼ିପକାଇଲେ ଭୀଷଣ ଯନ୍ତ୍ରଣା ହୁଏ । ସି ଅର୍ଚ୍ଚିନ ସାଧାରଣତଃ ସମୁଦ୍ରତଳେ ପଥୁରିଆ ଅଞ୍ଚଳରେ ମିଳନ୍ତି । ଏମିତି ଅସୀମ ବହୁ ମାଛ କଥା କହିଲେ । ଶୋଭନା ନୀଳ ସମୁଦ୍ରକୁ ଅନାଇଲେ । ସେଇଠି ଥିବେ ଆଉ କେତେ ପ୍ରାଣୀ । ଅସୀମଙ୍କର ମନେ ପଡୁଥିଲା କିଛି ସ୍ତନ୍ୟପାୟୀ ପ୍ରାଣୀମାନଙ୍କ କଥା । ସେ କଥା ମଧ୍ୟ ସେ ଶୋଭନାଙ୍କୁ କହୁଥିଲେ । ପାଣିରେ ରହି ମଧ୍ୟ ସ୍ତନ୍ୟପାୟୀ ପ୍ରାଣୀମାନେ ଶାବକକୁ ସ୍ତନ୍ୟପାନ କରାନ୍ତି । ସିଲ, ତିମ, ଡୁଗଙ୍ଗ, ଡଲଫିନ ଆଦି ହେଉଛନ୍ତି ସାମୁଦ୍ରିକ ସ୍ତନ୍ୟପାୟୀ ଜୀବ ।ଆଣ୍ଡାମାନ ଏବଂ ନିକୋବର ସମୁଦ୍ରରେ ମିଳନ୍ତିସମୁଦ୍ରରେ ମିଳନ୍ତି ଡଲଫିନ । ଡଲଫିନ ଆଉ ତିମି ସାମାଜିକ ଜୀବ । ସେମାନେ ଅତି ତୀବ୍ର ଶବ୍ଦ କରନ୍ତି, ଯାହାକି ମଣିଷ କାନ ଶୁଣିପାରେନା । ସେମାନେ ଲମ୍ବା ଯାତ୍ରା କରିଥାନ୍ତି । ଏମାନେ ପବନ ନିଶ୍ୱାସରେ ନିଅନ୍ତି । ତେଣୁ ସେମାନଙ୍କୁ ବାରମ୍ବାର ପାଣି ଉପରକୁ ଉଠିବାକୁ ପଡେ । ସେମାନଙ୍କର ଏକ ବଡ ନାସ ରନ୍ଧ୍ର ଥାଏ ଯେଉଁଥିରୁ ସେମାନେ ଥଣ୍ଡା ପବନକୁ ଜୋରରେ ଉପରକୁ ଫିଙ୍ଗି ଥାଆନ୍ତି । ଡଲଫିନ ପ୍ରଜାତି ବେଶ ବୁଦ୍ଧିଆ । ବଟଲନୋଜ ଡଲଫିନ ଅତି ବୁଦ୍ଧିମାନ ପ୍ରାଣୀ ବୋଲି ପ୍ରମାଣିତ ହୋଇଛି । ଏମିତିକି କିଛି ଦେଶର ସାମରିକ କାର୍ଯ୍ୟକଳାପରେ ଡଲଫିନକୁ କୁକୁର ପରି ବ୍ୟବହାର କରାଯାଉଛି । ସେମାନେ ପାଣିତଳେ ମାଇନ୍ସ ବା ବିସ୍ଫୋରକକୁ ଠାବ କରିପାରନ୍ତି ।
ତିମି ଜୀବଜଗତର ସବୁଠାରୁ ବଡ ପ୍ରାଣୀ । ଏହା ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ଲମ୍ବ ହୋଇପାରେ ।ସେମାନଙ୍କର ମୁଣ୍ଡ ବେଶ ବଡ, ଦେହର ପ୍ରାୟ ଏକ ତୃତୀୟାଂଶ ହେବ । ସ୍ପର୍ମ ହ୍ୱେଲଙ୍କ ମୁଣ୍ଡରୁ ମହମ ଭଳି ତରଳିଆ ପଦାର୍ଥ ନିର୍ଗତ ହୁଏ ଯାହାକୁ ଅତର ବନାଇବାରେ ବ୍ୟବହାର କରାଯାଏ । ତିମିମାନେ ପାଖାପାଖି ୩୦୦୦ରୁ ୩୫୦୦ମିଟର ଗଭୀର ପାଣିକୁ ଡୁବୁକି ମାରି ପାରନ୍ତି । ଏହି ତିମିମାନେ ଜ୍ୟାଣ୍ଟ ସ୍କୁଇଡ, ଅକ୍ଟୋପସ, ମାଛ ଇତ୍ୟାଦି ଖାଇଥାନ୍ତି । ବ୍ଲୁ ହ୍ୱେଲ ସବୁଠାରୁ ପୃଥିବୀର ବଡ ପ୍ରାଣୀ । ଏହା ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଲମ୍ବ ହୋଇପାରେ ।ଭାରତୀୟ ସମୁଦ୍ରରେ ବ୍ଲୁ ହ୍ୱେଲ ପ୍ରାୟ ଦେଖାଯାଏନା । ଡୁଗଙ୍ଗର ପ୍ରଜାତି ହେଉଛି ସି କାଓ ଜାତୟ । ଏହି ନିରାମିଂଶାସୀ ପ୍ରାଣୀ ସମୁଦ୍ରତଳ ଘାସ ଇତ୍ୟାଦି ଖାଇ ବଞ୍ଚେ ।ସମୁଦ୍ର ପାଣିରେ ଏହି ଜାତୀୟ ପ୍ରାଣୀଙ୍କ ସଂଖ୍ୟା କମ । ସମୁଦ୍ର ତଳ ଘାସୁଆ ଅଂଚଳରେ ଏମିତି କେତେ ପ୍ରାଣୀ ଆଶ୍ରୟ ନିଅନ୍ତି । ସେଇଠି ଘାସର ଏକ ଏକ ଛୋଟ ଉପତ୍ୟକା ତିଆରି ହୋଇଯାଇଥାଏ ।ମାଟିରେ ସବୁଜ ଘାସ ଉଠିଲା ପରି ବାଲିରେ ପାଣି ଭିତରେ ଉଠିଥାଏ ସବୁଜ ଘାସ । ଏ ଘାସ ଆହାର ହୁଏ କେତେ ପ୍ରାଣୀଙ୍କର । ଆଣ୍ଡାମାନ ସମୁଦ୍ରରେ ଅଛନ୍ତି ବହୁ କିସମର ସମୁଦ୍ର ସାପ । ସାପସବୁ ଉଭୟ ଗଭୀର ଆଉ କମ ପାଣିରେ ମିଳନ୍ତି । ସେମାନଙ୍କର ପ୍ରାୟ ଉଜ୍ଜ୍ୱଳ ରଙ୍ଗ ହୋଇଥାଏ । ସେମାନଙ୍କ କାମୁଡା ମଣିଷ ପାଇଁ ଜୀବନହାନି କାରକ । ଏହି ସାପମାନେ ପ୍ରାୟ ଲାଜକୁଳା ହୋଇଥାନ୍ତି । କ୍ରମଶଃ)
ଭୁବନେଶ୍ୱର