ବ୍ୟାଙ୍କକ୍ ଫେରନ୍ତା ଯାତ୍ରୀଙ୍କ ମଳଦ୍ୱାରରୁ କିଲେ ସୁନା ଜବତ

ଭୁବନେଶ୍ୱର, ୧୭ା୪ : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମସ୍ ଅଧିକାରୀମାନେ ଜଣେ କୁଖ୍ୟାତ ସୁନା ସ୍ମଗଲରକୁ ଧରିବାରେ ସଫଳ ହୋଇଛନ୍ତି । ତା’ଠାରୁ ଏକ କିଲୋ ସୁନା ଜବତ କରାଯାଇଛି । ବ୍ୟାଙ୍କକ୍ରୁ ଭୁବନେଶ୍ୱର ଦେଇ ମୁମ୍ବାଇ ଯାଉଥିବା ମହାରାଷ୍ଟ୍ରର ଏହି ଚାଲାଣକାରୀର ମଳଦ୍ୱାରରୁ ଏହି ସୁନା ଜବତ ହୋଇଛି । ତାକୁ ଭୁବନେଶ୍ୱରରେ ଅଟକ ରଖି ଖୋଳତାଡ ଚାଲିଛି । ତଦନ୍ତ ସରିନଥିବାରୁ ଚାଲାଣକାରୀର ନାଁ ଗୋପନ ରଖାଯାଇଛି । ତାକୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ବ୍ୟାଙ୍କକ୍ରୁ ଆସିଥିବା ଏହି ସୁନା ମୁମ୍ବାଇ ଚାଲାଣ ହେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିନ୍ତୁ ଚାଲାଣକାରୀ ନିକଟରେ ମୁମ୍ବାଇ ଯାତ୍ରା ପାଇଁ ଟିକେଟ୍ ନଥିବାରୁ ସନେ୍ଦହ ସୃଷ୍ଟି ହୋଇଛି । ଏହି ସୁନା ଭୁବନେଶ୍ୱରକୁ ଆସିଥିବା ସନେ୍ଦହ କରି କଷ୍ଟମ୍ସ ଅଧିକାରୀମାନେ ଛାନ୍ଭିନ ଚଳାଇଛନ୍ତି । ଭୁବନେଶ୍ୱର ବିମାନବନ୍ଦରରୁ ଚୋରା ସୁନା ଜବତ ହେବା ଚଳିତବର୍ଷର ପ୍ରଥମ ଘଟଣା ।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ଗୁଇନ୍ଦା ସୂଚନା ଆଧାରରେ କଷ୍ଟମ୍ସ ଅଧିକାରୀମାନେ ବିମାନବନ୍ଦରରେ କଡାକଡି ଯାଞ୍ଚ କରିଥିଲେ । ଯାତ୍ରୀମାନଙ୍କୁ ପ୍ରୋଫାଇଲିଂ କରିବା ବେଳେ କଷ୍ଟମସ୍ ବିଭାଗର ଅଧିକାରୀମାନଙ୍କ ସନେ୍ଦହ ଚକ୍ଷୁରେ ଆସିଥିଲା ଏହି ସ୍ମଗଲର୍ । ତା’ର ଅସ୍ୱାଭାବିକ ଚାଲି ଏବଂ ପାଦ ଦୁଇଟିର ଚାଲିଚଳନରୁ ହିଁ ଅଧିକାରୀମାନଙ୍କ ସନେ୍ଦହ ବଢାଇଥିଲା । କିନ୍ତୁ ତା’ର ପୋଷାକପତ୍ର ଯାଞ୍ଚ କଲାବେଳେ କୌଣସି ସୁରାକ ମିଳିନଥିଲା । ମଳଦ୍ୱାର ଭିତରେ ଲୁଚାଇଥିବା ସୁନାକୁ ଠାବ କରିବା ଅଧିକାରୀମାନଙ୍କ ପାଇଁ ମୁସ୍କିଲ ହୋଇପଡିଥିଲା । ମାତ୍ର ଚକ୍ମା ଦେବା ଲାଗି ଧୂତ ଏହି ଅଭିନବ ଉପାୟକୁ ଅଧିକାରୀମାନେ ପଣ୍ଡ କରିଦେଇଥିଲେ । ସେମାନେ ତାକୁ ପାଇଖାନାକୁ ନେଇ ଲାକ୍ସା ଟିଭ୍ସ ନାମକ ଏକ ବଟିକା ଖାଇବାକୁ ଦେଇଥିଲେ । ବଟିକା ଖାଇବା ମାତ୍ରେ ଚାଲାଣକାରୀ ଆଉ ସମ୍ଭାଳିପାରିନଥିଲା । ତା’ ମଳଦ୍ୱାରୁ ବାହାରି ଆସିଥିଲା ବିଶାଳ କ୍ୟାପ୍ସୁଲ୍ । ପରେ ଏହି କ୍ୟାପ୍ସୁଲ୍ରୁ ମିଳିଥିଲା କେଜିଏ ଗୁଣ୍ଡ ସୁନା । ଏହାପରେ ସେ ସୁନା ସ୍ମଗ୍ଲିଂ କରୁଥିବା ମାନିଯାଇଥିଲା । ଏହାପରେ ଚାଲାଣକାରୀର ଟ୍ରାଭେଲ୍ ରେକର୍ଡ ଟ୍ରାକ୍ କରାଯାଇଥିଲା । ଏହି ତଥ୍ୟ ଅନୁସାରେ ସେ ବହୁଥର ବ୍ୟାଙ୍କକ୍ ଯାଇଛି ବୋଲି ଜଣାପଡିଛି । ତେଣୁ ପ୍ରତିଥର ସେ ଏଭଳି ଅଭିନବ ଉପାୟରେ ବିପୁଳ ଚୋରା ସୁନା ଚାଲାଣ କରିଥିବା ଅନୁମାନ କରାଯାଉଛି । ତେଣୁ ତାକୁ କଷ୍ଟମସ୍ ବିଭାଗର ସ୍ୱତନ୍ତ୍ର ଟିମ୍ ପଚରା ଉଚରା କରୁଛି । ସେ ପ୍ରକୃତରେ ଚୋରା ସୁନା ମୁମ୍ବାଇ ଚାଲାଣ କରୁଥିଲା କି ଭୁବନେଶ୍ୱର ଆଣିଥିଲା, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
୨୦୨୩ ମେ’ ପରଠାରୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଏମିତି କୌଣସି ମାମଲା ନଜରକୁ ଆସିଲା ନାହିଁ । ତେଣୁ କଷ୍ଟମସ୍ ବିଭାଗ ଚିନ୍ତାରେ ପଡିଥିଲା । ଚୋରା ସୁନା ଚାଲାଣ ଅନ୍ୟ ଗଳାବାଟରେ ହେଉଛି ବୋଲି ମନେ କରାଯାଉଥିଲା । କିନ୍ତୁ ଆଜିର ଘଟଣା କଷ୍ଟମସ୍ ଅଧିକାରୀମାନଙ୍କୁ ପୁଣି ଏକ ସଫଳତା ଆଣିଦେଇଛି । ବ୍ୟାଙ୍କକ୍, ଦୁବାଇ ଓ ମୁଙ୍ଗେରରୁ କଳା ବେପାରୀ ମାନେ କୋଟି କୋଟି ଟଙ୍କାର ସୁନାକୁ ବିଭିନ୍ନ ତରିକା ଆପଣାଇ ବିମାନ ଯୋଗେ ଭୁବନେଶ୍ୱରକୁ ଚୋରା ଚାଲାଣ ଚଳାଇଛନ୍ତି । ଯାହାକୁ ନଜର ରଖିଛି କଷ୍ଟମ ବିଭାଗ । ହେଲେ କଳା ବେପାରୀ ମାନେ ବହୁବାର ବିଭିନ୍ନ ତରିକା ଆପଣାଇ ସୁନା ଚାଲାଣ ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ କଷ୍ଟମ ବିଭାଗ ଜାଲରେ ଫସିଛନ୍ତି । ସେମାନଙ୍କ ଠାରୁ କୋଟି କୋଟି ଟଙ୍କାର ଚୋରା ସୁନା ମଧ୍ୟ ଜବତ କରାଯାଇଛି । ହେଲେ ମଧ୍ୟ ଏହି କଳା ବେପାର ମାନେ ସୁନା ଦର ଆକାଶ ଛୁଆଁ ରହିଥିବା ବେଳେ ଏହି ସମୟରେ ମୁଙ୍ଗେର ଓ ଦୁବାଇରୁ ଚୋରା ସୁନା କିଣି ଅଧିକ ଟଙ୍କାରେ ଭୁବନେଶ୍ୱର ବିଭିନ୍ନ ବଡ଼ ବଡ଼ ସୁନା ବେପାରୀଙ୍କୁ ଯୋଗାଇଥାନ୍ତି ।