ଗମନାଗମନ ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉ
ତାଳଚେର : ଖଣି ଏବଂ କଳକାରଖାନା ସମୃଦ୍ଧ ତାଳଚେରବାସୀଙ୍କୁ ଉଚିତ୍ ଗମନାଗମନ ଓ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ତାଳଚେର ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ୪ ଦଫା ସମ୍ବଳିତ ଏକ ଦାବିପତ୍ର ପଞ୍ଚାୟତ ସଭାଗୃହ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ପ୍ରଦାନ କରଯାଇଛି । ସମଗ୍ର ତାଳଚେର ଅଞ୍ଚଳ ଖଣି ଓ କଳକାରଖାନା ପ୍ରଭାବରେ ପ୍ରଦୂଷଣରେ ସର୍ବଭାରତୀୟସ୍ତରରେ ସର୍ବୋଚ୍ଚ ପ୍ରଦୂଷିତ ଅଞ୍ଚଳ ଭାବେ ସ୍ଥାନ ପାଇଛି । ଶକ୍ତି ଉତ୍ପନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ କୋଇଲାର ଚାହିଦା ଅଧିକ ଥିବାରୁ ସରକାର ଏଠାରେ ପ୍ରତିଷ୍ଠିତ ଖଣିଗୁଡ଼ିକରୁ ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କା ରାଜସ୍ୱ ଆକାରରେ ରୋଜଗାର କରୁଛନ୍ତି । କିନ୍ତୁ ଏଠିକାର ସ୍ଥାନୀୟ ବିସ୍ଥାପିତ ପ୍ରଜା, ପ୍ରଭାବିତ ଅଞ୍ଚଳବାସୀ ଗମନାଗମନ, ସ୍ୱାସ୍ଥ୍ୟସେବା, ପେଟପାଟଣା ମୌଳିକ ସୁବିଧା ସୁଯୋଗରୁ ବଞ୍ଚôତ ହେବା ସହିତ ପ୍ରତ୍ୟେକ କ୍ଷେତ୍ରରେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଦାବିପତ୍ରରେ ଉଲ୍ଲେଖିତ ସମସ୍ୟାକୁ ପ୍ରତ୍ୟେକ୍ଷ ଭାବେ ଧ୍ୟାନ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଦାବିପତ୍ରରେ ଗୋଡ଼ିବନ୍ଧ ଠାରୁ ବହ୍ଲର ଦେଇ ବଅଁରପାଳ ଯାଏଁ ୧୪୯ ନମ୍ବର ଜାତୀୟ ରାଜପଥକୁ ଅବିଳମ୍ବେ ଚାରିଥାକିଆ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା, ଘଣ୍ଟପଡା ରେଳବାଇ ଫାଟକ ପାଖ ନିର୍ମାଣଧୀନ ବ୍ରିଜକୁ ଦଶ ବର୍ଷ ବିତି ଯାଇଥିଲେ ମଧ୍ୟ ରେଲୱେ କର୍ତ୍ତୃପକ୍ଷ, ରାଇଟସ୍ ଏବଂ ଠିକାଦାର ସଂସ୍ଥାର ସମନ୍ୱୟ ରହୁ ନଥିବା ହେତୁ ନିର୍ମାଣ କାର୍ଯ୍ୟ ଧିମା ଗତିରେ ଚାଲିଛି । ପ୍ରତି ପାଂଚ ମିନିଟରେ ରେଳ ଫାଟକ ବନ୍ଦ ହେଉଥିବାରୁ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ଆମ୍ବୁଲାନ୍ସ ଭିତରେ ରୋଗୀ ସହିତ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ଶତାଧିକ ପଥଚାରୀ ଅଧଘଣ୍ଟାରୁ ଅଧିକ ସମୟ ବର୍ଷର ସବୁ ଋତୁରେ ସେଠି ଛିଡା ରହୁଛନ୍ତି । ଏଥିପ୍ରତି ବିଶେଷ ଧ୍ୟାନ ଦିଆଯାଇ ବ୍ରିଜ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ପାଇଁ ଦାବି କରାଯାଇଛି । ଏଥିସହିତ ୧୪୯ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ଟାଉନ ବାଇପାସ୍ ଛକ ଠାରୁ ହାଟତୋଟା ଯିବା ରାସ୍ତା ଉପରେ ଥିବା ଏନଟିପିସି ରେଲୱେ ଫାଟକ ପାଖରେ ଓଭର ବ୍ରିଜ ନିର୍ମାଣ ପାଇଁ ଏନଟିପିସି କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦିଆଯିବା । ତାଳଚେର, ପାଲଲହଡାର ଉପଖଣ୍ଡ ଚିକିତ୍ସାଳୟ ସମେତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରୁ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟକୁ ରୋଗୀ ରେଫର କରାଯିବାର ବ୍ୟବସ୍ଥା କରାଯିବା ଏବଂ ୨୪ ଘଣ୍ଟିଆ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବା ଆଦି ଉଲ୍ଲେଖ କରାଯାଇଛି । ଆଜିର ଏହି ଦାବିପତ୍ର ପ୍ରଦାନ ବେଳେ ତାଳଚେର ଜନବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ ଥମ୍ବ, ସମ୍ପାଦକ ଦ୍ରୁମଦ ପ୍ରଧାନ, ଶୋଭାଗିନୀ ଦେବୀ, ରାଜୀବ ଦାସ, ଜିତେନ୍ଦ୍ର ମହାପାତ୍ର, ଦୀପକ ସାହୁ, ମିଥୁନ କୁମାର ଜେନା, କିଶୋର କୁମାର ସାହୁ, ହିମାଂଶୁ ଶେଖର ମିଶ୍ର, ଜ୍ୟୋତି ରଞ୍ଜନ ଦାସ, ସୁଲେଖ ସେଠୀ, ଧୀରେନ ଦାସ, ଦାଶରଥି ସାହୁ ଓ ପ୍ରଦୁ୍ୟମ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।