ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୁଷଣ
ଏଥିରେ ଦ୍ୱିମତ ନାହିଁ ଯେ, ବାୟୁ ପ୍ରଦୁଷଣ ଯୋଗୁଁ ଭାରତର ସହରଗୁଡିକ ଏବେ ଶ୍ୱାସରୋଧ ଭଳି ପରିସ୍ଥିତିର ସମ୍ମୁଖୀନ । ନିକଟରେ ଆଇକୁ୍ୟଏୟାର ରିପୋର୍ଟ ପୁଣି ଥରେ ବାୁୟ ପ୍ରଦୂଷଣ ନେଇ ସାଂଘାତିକ ତଥ୍ୟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର କେବଳ ୧୩ଟି ସହର ରହିଛି । କେବଳ ଏତିକି ନୁହେଁ, ଜାତୀୟ ରାଜଧାନୀ ଦିଲ୍ଲୀ ପ୍ରଦୂଷିତ ସହର ତାଲିକାରେ ଶୀର୍ଷରେ ରହିଥିବା ବେଳେ କ୍ରମାଗତ ଷଷ୍ଠ ବର୍ଷ ପାଇଁ ସର୍ବାଧିକ ପ୍ରଦୂଷିତ ସହର ହୋଇ ରହିଛି । କହିବା ବାହୁଲ୍ୟ ଯେ, ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ବାୟୁର ମାନ ଗଲାବର୍ଷ ଯାହାଥିଲା, ଏବେ ବି ସେୟା ରହିଛି । ବାୟୁର ମାନରେ କୌଣସି ପରିବର୍ତ୍ତନ ଘଟିନାହିଁ ଯାହାକି ଅତ୍ୟନ୍ତ ସାଂଘାତିକ ତଥା ଗମ୍ଭୀର ସ୍ଥିତି ବୋଲି ରିପୋର୍ଟ କହିଛି । ବାୟୁ ପ୍ରଦୁଷଣ ଏବେ ସହରାଚଂଳରେ ଘାତକ ରୂପ ନେଇଛି । ମଣିଷ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦର କାରଣ ହୋଇଛି । ବିଶ୍ୱ ଏୟାର କ୍ୱାଲିଟି ବା ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ସ୍ପଷ୍ଟ କରିଛି ଯେ, ପ୍ରଦୂଷିତ ବାୟୁ ଯୋଗୁଁ ଲୋକଙ୍କ ଆୟୁ ପାଂଚ ବର୍ଷ ହ୍ରାସ ପାଉଛି । ତେବେ ଏଭଳି ସଂକଟ ଦ୍ରୁତ ଶିଳ୍ପାୟନ, କଳକାରଖାନାରୁ ନିର୍ଗତ ଧୂଅାଁ, ଯାନବାହାନ ସଂଖ୍ୟା ବୃଦ୍ଧି, ଦ୍ରୃତ ନିର୍ମାଣ କାର୍ଯ୍ୟରୁ ସୃଷ୍ଟି ଧୂଳି ଏବଂ ଋତୁଭିତ୍ତିକ ଶସ୍ୟରେ ଫସଲର ଅବଶିଷ୍ଟାଂଶ ପୋଡି ଯୋଗୁଁ ହେଉଥିବା କୁହାଯାଏ । ଦେଶରେ ବାୟୁର ମାନ ପିଏମ ୨୫ରୁ ହ୍ରାସ କରିବା ପାଇଁ ନୀତି ନିର୍ଦ୍ଧାରକମାନେ ପ୍ରୟାସ ଜାରି ରଖିଥିବା ବେଳେ ଦେଶର ପ୍ରାୟ ୩୫ପ୍ରତିଶତ ସହରରେ ବାୟୁ ପ୍ରଦୁଷଣର ମାତ୍ରା ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’(ହୁ)ର ନିର୍ଦ୍ଧାରିତ ଗୁଣବତ୍ତା ମାନ ତୁଳନାରେ ଦଶଗୁଣ ଅଧିକ ପ୍ରଦୂଷିତ ବୋଲି ରିପୋର୍ଟରେ କୁହାଯାଇଛି । ଇତିମଧ୍ୟରେ ଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ଅର୍ଥନୀତିରେ ଏହାର ପ୍ରଭାବ ଯେପରି ବଢିଚାଲିଛି, ତାହା ମଧ୍ୟ ଅତ୍ୟନ୍ତ ଉଦ୍ବେଗଜନକ । ସେଂଟର ଫର ରିସର୍ଚ୍ଚ ଅନ ଏନର୍ଜୀ ଆଣ୍ଡ କ୍ଳିନ ଏୟାର ପକ୍ଷରୁ ୨୦୨୧ରେ ପ୍ରକାଶିତ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବାୟୁପ୍ରଦୂଷଣ ଯୋଗୁଁ ବାର୍ଷିକ ୭ଲକ୍ଷ କୋଟି ଟଙ୍କାର ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ବ୍ୟୟ ହେଉଛି । ସେହିପରି ଅସୁସ୍ଥତା କାରଣରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଶ୍ରମ ଉତ୍ପାଦନ କ୍ଷତି ଘଟୁଛି । ଆହୁରି ମଧ୍ୟ ୨୦୨୦ରେ ପ୍ରକାଶିତ ଲାନସେଟ୍ ରିପୋର୍ଟରେ କୁହାଯାଇଥିଲା ଯେ, ବାୟୁ ପ୍ରଦୂଷଣ ଜନିତ ରୋଗରେ ଭାରତରେ ୨୦୧୯ ବର୍ଷରେ ୧.୬୭ ମିଲିଅନ ଲୋକଙ୍କ ମୃତୁ୍ୟ ଘଟିଥିଲା । କେବଳ ଏତିକିି ନୁହେଁ, ଦେଶରେ ସହରାଞ୍ଚଳରେ ଶ୍ୱାସ, ହୃଦଘାତ, ଯକ୍ଷ୍ମା ଭଳି ରୋଗ ମଧ୍ୟ ବଢିବାରେ ଲାଗିଛି । ଏକ ଅନୁଧ୍ୟାନ ରିପୋର୍ଟରୁ ଜଣାଯାଇଛି ଯେ, ଦେଶରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ହୃଦଘାତ ଜନିତ ମୃତୁ୍ୟସଂଖ୍ୟା ବୃଦ୍ଧି ପାଇଥିବାବେଳେ ହୃଦଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଯୋଗୁଁ ଶୀତ ଦିନରେ ଘରୁ ବାହାରକୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡିଥିବା ସମୟରେ ପକେଟରେ କ୍ଷୁଦ୍ର ଅମ୍ଳଜାନ ସିଲିଣ୍ଡର ରଖିବାକୁ ଲୋକେ ବାଧ୍ୟ ହେଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାୟୁ ପ୍ରଦୂଷଣ ପାଇଁ ସରକାର କୌଣସି ବଳିଷ୍ଠ ବା କଠୋର ପଦକ୍ଷେପ କିମ୍ବା ଆଇନ ପ୍ରଣୟନ କରିବା ପ୍ରତି ବିମୁଖ ଥିବା କୁହାଯାଇପାରେ ।ଏହା ମୁକାବିଲା ପାଇଁ ଦୀର୍ଘମିଆଦି ଭିତ୍ତିକ ଯୋଜନା, ନୀତି ଆବଶ୍ୟକ । ସେହିପରି ବାୟୁର ଗୁଣବତ୍ତା ବଜାୟ ରଖିବା ପାଇଁ କଠୋର ଆଇନ ମଧ୍ୟ ଜରୁରି, ଆମେ ଭୁଲିଯିବା ଉଚିତ ନୁହେଁ ଯେ, ବାୟୁ ହେଉଛି ଜୀବନ । ଶୁଦ୍ଧ ବାୟୁ ବିନା, ମାନବ ସମାଜ ତଥା ଜୀବଜଗତ କ୍ଷଣେ ତିଷ୍ଠି ପାରିବ ନାହିଁ । ବେଳହୁଁ ସଜାଗ, ସତର୍କ, ସଚେତନ ନହେଲେ ବିନାଶ ହିଁ ସାର ହେବ ।
ସୌଭାଗ୍ୟ ରଂଜନ ମହାନ୍ତି
ମୋ-୭୯୭୮୬୬୬୪୦୩