ଗର୍ଜିଲେ କଂଗ୍ରେସ ଓ ବିରୋଧୀ ... ଗାଁଠୁ ସହର, ସବୁଠି ବନ୍ଦ ସଫଳ



ଏରସମା: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ମୃତୁ୍ୟ ଘଟଣାର ନ୍ୟାୟିକ ତଦନ୍ତ ,ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ସମେତ ସହଯୋଗୀ ଦଳ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡିଶା ବନ୍ଦ ମୋଟାମୋଟି ଭାବେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ଗାଁଠୁ ସହର, ସବୁଠି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।ଏରସମା ବ୍ଲକ ବାଲିତୁଠ ବଜାରରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ସ୍ୱତଃପ୍ରବୃତ ଭାବେ ବନ୍ଦ ରହିଥିବା ବେଳେ କଂଗ୍ରେସ ନେତା ଓ କର୍ମୀ ପିକେଟିଂ କରିଥିଲେ । ସମସ୍ତ ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ବାଲିତୁଠ ପଞ୍ଚାୟତ ପୂର୍ବତନ ସରପଞ୍ଚ ଅଖିଳ ବଲ୍ଲଭ ସ୍ୱାଇଁ ଓ ବାଲିତୁଠ ପଞ୍ଚାୟତ କଂଗ୍ରେସ ସଭାପତି ଅନୁଜ ରାୟଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ କର୍ମୀ ମାନସ ରଞ୍ଜନ ଦାସ,ବିଶମ୍ବର ମହାପାତ୍ର, ସୁକାନ୍ତ ପରିଡ଼ା, ଶିଶିର ସ୍ୱାଇଁ, ରାଜୀବ ନାୟକ,ପ୍ରସନ୍ନ ମିଶ୍ର,ଖିରୋଦ ସାହୁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ଆନେ୍ଦାଳନରେ ଯୋଗଦେଥିଲେ ।
ଜଟଣୀ: ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନିଦେ୍ର୍ଦଶ କ୍ରମେ ଜଟଣୀ ନଗର କଂଗ୍ରେସ ତରଫରୁ ଜଟଣୀରେ ସମସ୍ତ ଦୋକାନ,ବଜାର,ଶିକ୍ଷା ଅନୁଷ୍ଠାନ,ବ୍ୟାଙ୍କ ଆଦି ପିକେଟିଂ କରି ବନ୍ଦକରାଯିବା ପାଇଁ ପୂର୍ବରୁ ଅନୁରୋଧ କରାଯାଇଥିଲା । ଏହି ଆଧାରରେ ସଭାପତି ଅଶୋକ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ସକାଳ ୧୦ଘଟିକା ସମୟରେ ସିତାରାମ ଛକ ଠାରୁ ବାଇକ୍ ଶୋଭା ଯାତ୍ରା ବାହାରି ସହର ପରିକ୍ରମା କରାଯାଇ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରାଯାଇଥିଲା । ସେହିପରି ଅନୁରୂପ ଭାବେ କଂଗ୍ରେସର ଅନ୍ୟ ଏକ ଟିମ୍ ଡ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ସହରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ରାସ୍ତାରେ ଯାତ୍ରୀବାହି ଗାଡି ଗଡୁ ନଥିବାରୁ ଟ୍ରେନ୍ ଯୋଗେ ରାଜ୍ୟ ବାହାରୁ ଆସିଥିବା ଗାଡିଗୁଡିକର ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା ।
ପିପିଲି: ପିପିଲିରେ ୧୨ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି । କୌଣସି ସ୍ଥାନରେ ହିଂସାକାଣ୍ଡ ଘଟି ନଥିବା ଜଣାପଡିଛି । ପିପିଲି ଟୋଲଗେଟ ଏବଂ ହାଟଛକ ଠାରେ କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ଯାତ୍ରୀବାହୀ ବସ ଓ ଗାଡ଼ି ମଟର ଚଳାଚଳ ବନ୍ଦ ଥିବା ବେଳେ କେବଳ ଜରୁରୀକାଳୀନ ପରିସ୍ଥିତିରେ କେତେକ ଯାନବାହନ ଚଳାଚଳ କରୁଥିବା ଦେଖାଯାଇଛି । କଂଗ୍ରେସ ଦଳର ପିପିଲି ଏନଏସି ସଭାପତି ଅନ୍ତର୍ଯ୍ୟାମୀ ଦୀକ୍ଷିତଙ୍କ ନେତୃତ୍ୱରେ ଆୟୋଜିତ ବନ୍ଦ ଡାକରାରେ ମାନସ ଆଚାର୍ଯ୍ୟ, ନିଶିକାନ୍ତ ମିଶ୍ର, ବିଶ୍ୱକେସନ ହରିଚନ୍ଦନ ମହାପାତ୍ର, ନାରୀନେତ୍ରୀ ନିରୁପମା ମହାପାତ୍ର, ଏସକେ ମେହେବୁବ, ସଞ୍ଜୟ ଶତପଥୀ, ଗୁଣନିଧି ପ୍ରଧାନ ଏବଂ ସିପିଆଇ (ଏମ ଏଲ)ଲିବରସେନର ସର୍ବେଶ୍ୱର ଭାରତୀଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ ହୋଇଥିଲା ।
ଯୋଡ଼ା: କଂଗ୍ରେସ ଓ ବାମପନ୍ଥୀ ଦଳ ତରଫରୁ ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ  ବିଶିଙ୍କ ଆତ୍ମାହୁତିର ପ୍ରତିବାଦରେ ସାରା ଓଡିଶା ବନ୍ଦ ଡାକରା ଯୋଡା, ବଡ଼ବିଲ, ଭଦ୍ରାସାଇ ଓ ଚମ୍ପୁଆ ଉପଖଣ୍ଡରେ  ସଫଳ ହୋଇଥିବାର ଦେଖାଯାଇଛି । ଯୋଡ଼ାରେ ଚକ ଅଖ ସହିତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସୋତପୃତ ବନ୍ଦ ରହିଥିବା ଦେଖିବାକୁ ମିଳିଛି  । କଂଗ୍ରେସ ଟାଉନ ପ୍ରେସିଡେଣ୍ଟ ସୁବ୍ରତ ନାୟକ ଗଣମାଧ୍ୟମରେ ସୁଚନା ଦେଇ କହିଛନ୍ତି ଯେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ କଂଗ୍ରେସର ଆନେ୍ଦାଳନ ଜାରି ରହିବ । ଅପାରଗ ସରକାର ସବୁ ଜାଣି ନୀରବ ଦ୍ରଷ୍ଟା ସାଜି ନିରୀହ ଜିବନ ଟାକୁ ନେଇଥିବାରୁ ଦଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଆଜିର ବନ୍ଦ ଡାକରାରେ ସିପିଆଇ ନେତା ନିଳାଦ୍ରୀ ଭୂଷଣ ମହାନ୍ତ, କଂଗ୍ରେସ କେନ୍ଦୁଝର ଜିଲ୍ଲା ସମ୍ପାଦକ ରୂପ ରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ ବିର୍ବଲ୍ ଯାଦବ, ହେମନ୍ତ କାରୁଆ, ଆଦିବାସି ସେଲ୍ ମିଥୁନ ମୁଣ୍ଡା ଓ ମହିଳା ନେତ୍ରୀ ଆରତୀ ଘଣା, ନିଳୀମା ନାୟକଙ୍କ ସହିତ ବହୁ କର୍ମୀ ଯୋଗଦେଇଥିଲେ ।
ପାରାଦୀପ: ପାରାଦୀପ କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ପାରାଦୀପ ବନ୍ଦ ଡାକରା ଦିଆଯାଇଥିଲା । ସକାଳୁ ପାରାଦୀପର ମହିଳା, ଛାତ୍ର, ଯୁବ କଂଗ୍ରେସ କର୍ମୀମାନେ ପାରାଦୀପ କଂଗ୍ରେସ ନେତା ନିରଂଜନ ନାୟକ, ନଗର କଂଗ୍ରେସ୍ ସଭାପତି କେଦାର ବିଶ୍ୱାଳଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବନ୍ଦ କରିଥିଲେ । ସୌମ୍ୟାଶ୍ରୀଙ୍କୁ ସମର୍ଥନ ଜଣାଇ ପାରାଦୀପର ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ପେଟ୍ରୋଲ ପମ୍ପ, ବ୍ୟବସାୟିକ ଅନୁଷ୍ଠାନ, ରେଳ ଚଳାଚଳ, ବସ୍ ସେବା,  ଶିକ୍ଷାନୁଷ୍ଠାନ ସ୍ୱତପ୍ରବୃତ ଭାବେ ବନ୍ଦ ହୋଇଯାଇଥିଲା  । ପାରାଦୀପର ସମସ୍ତ ଶିକ୍ଷାନୁଷ୍ଠାନ ଅନୁଷ୍ଠାନିକ ଭାବେ ବନ୍ଦ କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖୋଲାଯାଉଥିବା ବେଳେ ଅଭିଭାବକ ଓ କଂଗ୍ରେସ୍ କର୍ମୀମାନେ ତୀବ୍ର ବିରୋଧ କରିବା ପରେ ଶିକ୍ଷାଦାନ ପ୍ରକ୍ରିୟା ବନ୍ଦ ହୋଇଥିଲା ବୋଲି ପାରାଦୀପ କଂଗ୍ରେସ୍ ନେତା ନିରଂଜନ ନାୟକ କହିଛନ୍ତି । ବରିଷ୍ଠ କଂଗ୍ରେସ ନେତା କାଳନ୍ଦି ଚନ୍ଦ୍ର ଦାସ, ତ୍ରିନାଥ ମହାନ୍ତି, ଜ୍ୟୋତିରଂଜନ ଦାସ, ପଦ୍ମସମ୍ଭୁତ ମହାନ୍ତି, କୃପାସିନ୍ଧୁ ଦାସ, ଚନ୍ଦ୍ରଶେଖର ମହାପାତ୍ର, ସୁନାକର ବାରିକ, ସୁଶାନ୍ତ ବାରିକ, ବିନତି ପଢିଆରୀ, ଖୁଲଣା ଜେନା, କୌଶଲ୍ୟା ମହାନ୍ତି, ପୁଷ୍ପା ଦାସ, ଧରିତ୍ରୀ ସାମଲ, ରାକେଶ ମହାପାତ୍ର, ଜନ୍ମେଜୟ ମଲ୍ଲିକ ପ୍ରମୁଖ ଏହି ବନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
କେନ୍ଦ୍ରାପଡା: ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମହତ୍ୟାର ଓଡିଶା ହାଇକୋର୍ଟର କର୍ତବ୍ୟରତ ବିଚାରପତିଙ୍କ  ତତ୍ୱବାଧାନରେ ନ୍ୟାୟିକ ତଦନ୍ତ, ପ୍ରକୃତ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା କରିବା, ତଦନ୍ତରେ ସ୍ୱଚ୍ଛତା ପାଇଁ ଓ ନୈତିକତା ଦୃଷ୍ଟିରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ପ୍ରତାପ ସଢଙ୍ଗୀ, ସ୍ଥାନୀୟ ବିଧାୟକ ପଦବୀରୁ ଇସ୍ତଫା ଦେବା ଦାବିରେ ଆଜି ଆହୁତ ଓଡିଶାବନ୍ଦ କେନ୍ଦ୍ରାପଡା ଜିଲ୍ଲା ଓ ସହରରେ ଆଂଶିକ ପ୍ରଭାବ ପକାଇଛି । କଂଗ୍ରେସ ,ସିପିଆଇ (ଏମ୍), ସିପିଆଇ ଓ ସିପିଆଇ(ଏମ୍ଏଲ) ସମେତ ଆଠଟି ବିରୋଧୀ ଦଳ ଡ଼ାକରାରେ ସମସ୍ତ ଗଣସଙ୍ଗଠନ ଓ ସମଗ୍ର ଜିଲ୍ଲାବାସୀ ସମିଲ ହେଇ ବନ୍ଦ ଆହ୍ୱାନ ଦେଇଥିଲେ । କଂଗ୍ରେସ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସ, ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ରମଣିରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଆଜିର ବନ୍ଦରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିପ୍ରା ମଲ୍ଲିକ, ବିଧୁଭୂଷଣ ମହାପାତ୍ର, ଫକୀର ଖଟୁଆ, କଂଗ୍ରେସ ରାଜ୍ୟ ସମ୍ପାଦିକା ସସ୍ମିତା ପଣ୍ଡା ପ୍ରମୁଖ ବନ୍ଦ୍ରେ ନେତୃତ୍ୱ ନେଇଥିଲେ । 
ଖଣ୍ଡପଡ଼ା: ଖଣ୍ଡପଡ଼ାରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଆନେ୍ଦାଳନ ଡାକରା ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ  ନେତ୍ରୀ ବିନୋଦିନୀ ମହାନ୍ତି ଓ ବୈଜୟନ୍ତୀମାଳା ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ,କର୍ମକର୍ତ୍ତାମାନେ ହାତରେ ପ୍ଲାକାର୍ଡ ଧରି ସହର ପରିକ୍ରମା କରିବା ସହ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିଥିଲେ । ଖଣ୍ଡପଡ଼ା ବ୍ଲକ ସମ୍ମୁଖରେ କଂଗ୍ରେସ ନେତ୍ରୀ ଓ ନେତାମାନେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ସମଗ୍ର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ । କଂଗ୍ରେସ ସଂଗଠକ ଦେବାଶିଷ ପରମଗୁରୁ ,ଖଣ୍ଡପଡ଼ା ନଗର କଂଗ୍ରେସ ସଭାପତି ସନ୍ତୋଷ କୁମାର ସାହୁଙ୍କ ସମେତ ଦଳୀୟ କର୍ମୀ ଓ ମହିଳାମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।  
ପୁରୀ: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଯୌନ ନିର୍ଯାତନା ଜନିତ ମୃତୁ୍ୟ, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିବାର ପ୍ରତିବାଦ ବିଭାଗୀୟ ମୁଖ୍ୟ ଓ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ସ୍ଥାନୀୟ ବିଧାୟକ, ସାଂସଦ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତଥା ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରି ଆଜି କଂଗ୍ରେସ ଓ ଅନ୍ୟ ୭ଟି ଦଳଙ୍କ ଡ଼ାକରାରେ ପୁରୀରେ ଓଡ଼ିଶା ବନ୍ଦ ପାଳିତ ହୋଇଯାଇଛି । ଏହି ୧୨ଘଣ୍ଟିଆ ବନ୍ଦ ଆହ୍ୱାନ ଯୋଗୁଁ ସହରରେ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ତେବେ ବନ୍ଦ ଉଣା ଅଧିକେ ଶାନ୍ତିପୂର୍ଣ୍ଣ ରହିଥିଲା । ବନ୍ଦକୁ ସମର୍ଥନ ଜଣାଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ କେବଳ ପୁରୀ-କଟକ ସଟ୍ଲକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଟ୍ରେନ୍ର ଚଳାଚଳ ସ୍ୱାଭାବିକ ଥିଲା । ପେଟ୍ରୋଲ ଟାଙ୍କି ବନ୍ଦ ଥିବା ବେଳେ ବାହାରେ ଖୁଚୁରା ବ୍ୟବସାୟୀମାନେ ରାସ୍ତା କଡ଼ରେ ପେଟ୍ରୋଲ ବିକ୍ରି କରୁଥିବା ଦେଖାଯାଇଥିଲା । ସିପିଆଇର ବ୍ରଜବନ୍ଧୁ ପ୍ରଧାନ, ହରିହର ସେନାପତି, କଂଗ୍ରେସ ରାଜେଶ ମିଶ୍ର, ସହର ସଭାପତି ସଂଗ୍ରାମ ପାଇକରାୟ, ବିଦୁଲତା ଆଚାର୍ଯ୍ୟ, ସରସ୍ୱତୀ ପାତ୍ର ,ସୁକାନ୍ତ ପ୍ରଧାନ, ସୁଜିତ୍ ମହାପାତ୍ର ପ୍ରମୁଖ ଆନେ୍ଦାଳନର ନେତୃତ୍ୱ ନେଇଥିଲେ । ସେହିପରି ଏସ୍ଏଫଆଇ ପକ୍ଷରୁ ଚନ୍ଦନ ସାହୁ, ରାକ୍ଷୀ ସ୍ୱାଇଁ, ମାନସ ରଂଜନ ଦଳବେହେରା ପ୍ରମୁଖ ଆନେ୍ଦାଳନର ନେତୃତ୍ୱ ନେଇଥିଲେ ।
ତିର୍ତ୍ତୋଲ : ଓଡିଶା ବନ୍ଦର ସିଧାସଳଖ ପ୍ରଭାବ ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଓ ପିସିସି ସଭ୍ୟ ଦେବପ୍ରସାଦ ନାୟକଙ୍କ ପରାମର୍ଶ କ୍ରମେ ବ୍ଲକ କଂଗ୍ରେସର ନେତୃବୃନ୍ଦ ତିର୍ତ୍ତୋଲ ସ୍ଥିତ ସରଣୀ ବଜାରରେ ଟାୟାର ଜାଳି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । କଂଗ୍ରେସ କର୍ମକର୍ତ୍ତା ମାନେ ବାଇକ ରାଲିରେ ଯାଇ, ଡିଆରଡିଏ କାର୍ଯ୍ୟାଳୟ, ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ, ଆଦକିବ ସାରଳା ଦାସ ମହାବିଦ୍ୟାଳୟକୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରି ଛାତ୍ରୀକୁ ନ୍ୟାୟ ଦେବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ବ୍ଲକ କଂଗ୍ରେସ ଉପ ସଭାପତି ଜିତେନ୍ଦ୍ର ମହାନ୍ତି , ଅଶ୍ୱିନୀ ସ୍ୱାଇଁ, ସଫି ଆଜମ୍, ଶଶଧର ମଲ୍ଲିକ ପ୍ରମୁଖ ଉପସ୍ଥିତରହିଥିଲେ ।
ରାଇରଙ୍ଗପୁର: କଂଗ୍ରେସ, ବାମପନ୍ଥୀ ଓ ଜେ ଏମ୍ଏମ୍ ଦଳ ସମେତ ୮ ଟି ଦଳ ଓଡିଶା ବନ୍ଦ ଡାକରା ନେଇ ରାଇରଙ୍ଗପୁର ଇଣ୍ଡିଆ ଗଠନ ବନ୍ଧନ ତରଫରୁ ରାଇରଙ୍ଗପୁରରେ ହରତାଳ, ଚକାବନ୍ଦ କରାଯାଇଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ରାଇରଙ୍ଗପୁର ବଜାର ଗୋଲେଇ, ଦୁର୍ଗା ମଣ୍ଡପ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, କୋର୍ଟ, ବ୍ୟାଙ୍କ, ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ପିକେଟିଂ କରାଯିବା ସହ ଶାନ୍ତିପୁର୍ଣ୍ଣଭାବେ ବନ୍ଦ ପାଳନ କରାଯାଇଥିଲା । ଏହି ବନ୍ଦପାଳନରେ ରାଇରଙ୍ଗପୁରର ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ଶ୍ୟାମ ଚରଣ ହାଁସଦା, ପ୍ରାକ୍ତନ ବହଳଦା ବିଧାୟକ ପ୍ରହଲ୍ଲାଦ ପୂର୍ତି,ଅଶୋକ ଅଗ୍ରୱାଲ, ବସନ୍ତ ପଟ୍ଟନାୟକ, ରୂପକ ମହାନ୍ତି, ଯୁବ ନେତା ଅମର ଦେଓ ପ୍ରଧାନ ହେମ୍ବ୍ରମ, ପ୍ରାକ୍ତନ ରାଇରଙ୍ଗପୁର ମୁ୍ୟନିସିପାଲଟି ଅଧ୍ୟକ୍ଷ ପ୍ରାର୍ଥୀ ଭଜହରି ମହାନ୍ତ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା ପ୍ରବକ୍ତା ନେତା ସୁନିଲ ମାଝୀ, ସାଲୁ କିସ୍କୁ, କାଳୀ ଚରଣ, ଭଂଜସେନାର ସଦସ୍ୟ ସମେତ ଅନ୍ୟ ବହୁ ଦଳୀୟ କର୍ମୀ ବନ୍ଦକୁ ସଫଳ କରାଇଥିଲେ । ଛାତ୍ରୀଙ୍କ ମୃତୁ୍ୟ ଘଟଣାର ଉଚ୍ଚସ୍ତରୀୟ  ତଦନ୍ତ, ଉଚ୍ଚ ଶିକ୍ଷାମନ୍ତ୍ରୀ, ବାଲେଶ୍ୱର ସାଂସଦ, ବିଧାୟକ ତୁରନ୍ତ ଇସ୍ତଫା ଦେବା ସହ ଜିଲ୍ଲାପାଳ ଏବଂ ଜିଲ୍ଲା ଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
କଟକ : ଓଡ଼ିଶା ବନ୍ଦର ମିଶ୍ରିତ ପ୍ରଭାବ କଟକରେ ଅନୁଭୂତ ହୋଇଛି । କଂଗ୍ରେସ ସମେତ ବିରୋଧୀଦଳ ଏହି ବନ୍ଦରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଥିଲେ ।  ଆନେ୍ଦାଳନକାରୀମାନେ ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ପିକେଟିଙ୍ଗ କରିଥିଲେ । ବିଜୁପଟନାୟକ ଛକ, ବାଦାମବାଡ଼ି, ଲିଙ୍କରୋଡ଼, କଲେଜଛକ, ବକ୍ସିବଜାର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦି ସ୍ଥାନରେ ଆନେ୍ଦାଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବରେ ପିକେଟିଙ୍ଗ କରିଥିଲେ । କଟକ ବାରବାଟୀ ବିଧାୟିକା ସୋଫିଆ ଫିଦେ୍ର୍ଦାଷ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ଯେ, ଛାତ୍ରୀଙ୍କୁ ନ୍ୟାୟ ଦେବା ଏବଂ ଜନସାଧାରଣଙ୍କ ମଧ୍ୟରେ ଚାପ ସୃଷ୍ଟି କରିବା ପାଇଁ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଆନେ୍ଦାଳନ ଆହ୍ୱାନ ଦିଆଯାଇଛି । ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ଗିରିବାଳା ବେହେରା, ସନ୍ତୋଷ ଭୋଳ ପ୍ରମୁଖ ପିକେଟିଙ୍ଗରେ ଯୋଗ ଦେଇ ବାଲେଶ୍ୱର କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ମତବ୍ୟକ୍ତ କରିଥିଲେ । ସିପିଆଇ ନେତା ଅମରେନ୍ଦୁ ମହାନ୍ତି, ବିନୋଦ ବେହେରା, ମିହିର ବିଶ୍ୱାଳ, କ୍ଷୀରୋଦ ବିଶ୍ୱାଳ, ବିପିନ ବିହାରୀ ପାଢ଼ି, ନୈନା ଦେଉରୀ, ବିଜୟ ସାହୁ, ଭାବଗ୍ରାହୀ ଦାସ, ଜଗନ୍ନାଥ ମଲିକ, କିଶୋର ଜେନା ପ୍ରମୁଖ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରିଥିଲେ । ସହରରେ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଥିବାରୁ ଜିଲ୍ଲା ସଂପାଦକ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । କଟକ ନଗର ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ମିଳିତ ଆନୁକୂଲ୍ୟରେ ବହୁ କଂଗ୍ରେସ କର୍ମୀ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲିଙ୍କରୋଡ଼ ଛକରେ ବନ୍ଦ ପାଳନ କରିଥିଲେ । ଏହାର ନେତୃତ୍ୱ ନେଇଥିଲେ ଯୁବ କଂଗ୍ରେସ ସଭାପତି ଡ ବିପ୍ଳବ ଶିଳାଦିତ୍ୟ । ଏହି ବନ୍ଦ ପାଳନରେ ଜିଲ୍ଲା କଂଗ୍ରେସ ଉପସଭାପତି ଶିଶିର ରଥ, ରାଜେଶ ସ୍ୱାଇଁ, ମନୋଜ ବିଶ୍ୱାଳ, ମାନସ ପରିଡ଼ା, ରାମଚନ୍ଦ୍ର ଗୋଚ୍ଛାୟତ, ନିର୍ମଳ ସ୍ୱାଇଁ, ଜୟ ନାରାୟଣ ତି୍ରପାଠୀ, ବିପିନ ପଶାୟତ, ବିପ୍ଳବ ଶିଳାଦିତ୍ୟ, ଆଶୁତୋଷ ରାଉତ ପ୍ରମୁଖ ଶାନ୍ତିପୂର୍ଣ୍ଣ ଭାବରେ ଯୋଗ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ରାଜକନିକା: ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ନିର୍ଯାତନାର ଶିକାର ହେବା ଓ ଆତ୍ମହୁତି ଦେଇ ମୃତୁ୍ୟ ବରଣ କରିବା ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡୁଛି । ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯିବା ସହ ବିଭିନ୍ନ ବିରୋଧ ରାଜନୈତିକ ଦଳ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଶିକ୍ଷମନ୍ତ୍ରୀ, ଆଇନି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଭିନ୍ନ ରାଜନୈତିକ ଦଳ । ଏହି ପରିପେକ୍ଷୀରେ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ମିଳିତ ଭାବରେ ଓଡିଶା ବନ୍ଦ ଡାକରା ଦେଇଥିଲେ । ପିସିସି ସମ୍ପାଦିକା ଡ. ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ କଟକ-ଚାନ୍ଦବାଲି ରାସ୍ତାର ଚନ୍ଦନ ପୋଖରୀ ଛକ ନିକଟରେ ବ୍ଲକ କଂଗ୍ରେସ ପକ୍ଷରୁ ରାସ୍ତାରୋକ କରିବା ସହିତ ଓଳାଭର ବଜାର, ଆୟତନ ବଜାର, ଜୟନଗର ଓ କଣ୍ଡିଆ ହାଟ ମାଙ୍କରେ ଦୋକାନ ବଜାର, ଶିକ୍ଷାଅନୁଷ୍ଠାନ, ବ୍ୟାଙ୍କ, ପ୍ରେଟ୍ରୋଲ ପମ୍ପ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା । କଂଗ୍ରେସର ସଭାପତି ମଙ୍ଗୁଳି ଚରଣ ବେହେରା, ପିସିସି ସଭ୍ୟ ବାବୁରାମ ଜେନା, ସିପିଆଇ ନେତା କାଳିପ୍ରସାଦ ନାୟକ, ସିପିଆଇ ଏମ୍ଏଲ୍ ବିଧାନ ଦାସ, ଦୁର୍ଯ୍ୟଧନ ମହାନ୍ତି, ଶରତ ରାଉତ, ସତ୍ୟବ୍ରତ ପରିଡା, ପ୍ରମୋଦ ପତି, ଅଞ୍ଜନା ସାହୁ, ଅମିତ ନାୟକ, ଉମେଶ ପରିଡା, ଅଭିରାମ ବିଶ୍ୱାଳ,କୃତିବାସ ନାୟକ,ରଞ୍ଜନ ସେଠି, ପ୍ରଦୀପ ପଣ୍ଡା, ବିଶ୍ୱଜିତ ତରାଇ, ପଙ୍କଜ ଦାସ ପ୍ରମୁଖ ସାମିଲ ଥିଲେ  ।