ଗାଁ ଦାଣ୍ଡରେ ଦୁଇ ଭଉଣୀଙ୍କୁ ବେତ ମାଡ଼, ୪ କୋର୍ଟଚାଲାଣ

 କବାଟବନ୍ଧ : ଯୁବତୀଙ୍କୁ ଉଲଗ୍ନ କରି ଗାଁଦାଣ୍ଡରେବେତମାଡ ଘଟଣାରେ ଜେନାପୁର ପୁଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ପନ୍ତୁରି ଗ୍ରାମର ସୁବାଷ ଦେହୁରୀ, ଗେଡି ଦେହୁରୀ, କୁଆଖିଆ ଥାନା ଆଦମପୁର ଅଞ୍ଚଳର ଅଭିମନୁ୍ୟ ଓଝା, ବ୍ରହ୍ମବରଦା ଅଞ୍ଚଳର ତୁଳସୀ ମହାକୁଡ ବୋଲି ପୁଲିସ ସୂଚନା ଦେଇଛି । ଖବର ମତେ ଏହି ଥାନା ଅଧିନ ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ ଗ୍ରାମର ପ୍ରଶାନ୍ତ କୁମାର ଲେଙ୍କାଙ୍କ ଝିଅ ଜ୍ୟୋତି ଦେହ ଅସୁସ୍ଥ ରହିଥିଲା । ମେଡିକାଲ ନେବାପରେ କୌଣସି ରୋଗ ନଥିବା ଡାକ୍ତର ବାପାଙ୍କୁ କହିଥିଲେ । ପୁନର୍ବାର ଝିଅର ଦେହ ଖରାପ ହେବାରୁ ବାପା ମେଡିକାଲକୁ ନେବାକୁ ବାହାରିଥିଲେ । ମନ୍ଦିରର ପୂଜକ ହୁକୁମ ଦେଇ ମନ୍ତ୍ର ମାଧ୍ୟମରେ ଝିଅକୁ ଭଲ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଗ୍ରାମରେ ଥିବା ମନ୍ଦିରକୁ ବଡ଼ ଝିଅ ଜ୍ୟୋତିଙ୍କ ସହିତ ନାବାଳିକା ସାନଝିଅ ଜ୍ୟୋସ୍ନା ମଧ୍ୟ ସାଥିରେ ଯାଇଥିଲେ । ଗୁଣି ଗାରେଡି ଛଡ଼ାଇବାକୁ କହି ଗାଁ ଦାଣ୍ଡରେ ବେତମାଡ଼ କରିଥିଲେ । ବେତ ମାଡ଼ରେ ଜ୍ୟୋତି ରକ୍ତାତ ହୋଇଥିଲେ । ଜ୍ୟୋତିଙ୍କୁ ରକ୍ଷା କରିବାକୁ ଯାଇ ନାବାଳିକା ଭଉଣୀ ଜ୍ୟୋସ୍ନା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏନେଇ ଜେନାପୁର ଥାନାରେ ବାପା ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଚାରି ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।