ବ୍ରହ୍ମବରଦାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ : ଦୋକାନୀଙ୍କ ଭରସାରେ ରୋଗୀ, ନାହିଁ ଆମ୍ବୁଲାନ୍ସ ସେବା

ବ୍ରହ୍ମବରଦା : ରସୁଲପୁର ବ୍ଲକ ଅଭିଭକ୍ତ ବ୍ରହ୍ମବରଦା ପଂଚାୟତ ଅଂଚଳରେ ଦିନକୁଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଉନ୍ନତ ସ୍ୱାସ୍ଥ୍ୟ ସେବା ଅଭାବରୁ ରୋଗୀମାନେ ଏଠାରେ ଏବେ ବହୁ ହନ୍ତସନ୍ତ ହେଉଥିବା ବେଳେ ଗ୍ରାମରେ ଥିବା ଔଷଧ ଦୋକାନୀ  ରୋଗୀ ମାନଙ୍କ ଭରଷା ସାଜିଛନ୍ତି । ଅଧିକାଂଶ ଦୁରାରୋଗ୍ୟ ରୋଗୀ ଚିକିତ୍ସକଙ୍କ ବିନା ପରାମର୍ଶରେ ସିଧାସଳଖ ଔଷଧ ଦୋକାନୀ ମାନଙ୍କ ଠାରୁ ମୁହଁ କୁହା ଔଷଧ କିଣି ଖାଉଛନ୍ତି । ଯାହାଫଳରେ ପ୍ରତି ମୁହୂର୍ତରେ ରୋଗୀ ମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି । ସମ୍ପ୍ରତି ଅତ୍ୟାଧୁନିକ ସମୟରେ ରୋଗ ଓ ରୋଗୀ ମାନଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ସେହି ଅନୁସାରେ ସରକାର ମଧ୍ୟ ବହୁ ଯୋଜନା ପ୍ରସ୍ତୁତ କରି ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ୨୪ଘଂଟିଆ ଅଭିଜ୍ଞ ଚିକିତ୍ସକ ନିଯୁକ୍ତି ସାଙ୍ଗକୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଓ ସରଞ୍ଜାମ ଯୋଗାଇ ଦେବାରେ ସରକାର ବିଫଳ ହୋଇଥିବା ହେତୁ ରୋଗୀମାନେ ଅକଥନୀୟ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହେଉଛି । ବିଶେଷ କରି ଅଭିଭକ୍ତ ବ୍ରହ୍ମବରଦା ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଖୁବ ଦୟନୀୟ ଅବସ୍ଥାରେ ରହିଛି । ଏଠାରେ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଦୁଇଗୋଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ।
ଗୋଟିଏ ବ୍ରହ୍ମବରଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟଟି ବିଡି ଶ୍ରମିକ ମେଡିକାଲ । ବିଡି ଶ୍ରମିକ ମେଡିକାଲଟି କେତେକ ନିର୍ଦ୍ଦିଷ୍ଟ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବାବେଳେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ସର୍ବସାଧାରଣ ଲୋକଙ୍କ ପାଇଁ ରହିଛି । କିନ୍ତୁ ଅଞ୍ଚଳର ଜନବସତି ଅନୁପାତରେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ । ଏହାବାଦ ଏହି ଦୁଇଟି ମେଡିକାଲରେ ଆମ୍ବୁଲାନ୍ସ ସେବା ଓ ରାତ୍ରିକାଳୀନ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉନଥିବାରୁ ଅଂଚଳବାସୀ ନାନା ହଇରାଣ ହରକତ ହେଉଛନ୍ତି । ଦୁର୍ଘଟଣାଗ୍ରସ୍ତ ରୋଗୀ, ପ୍ରସୂତି କାଳୀନ ସମସ୍ୟା, ଶିଶୁରୋଗ, ସାପକାମୁଡା, କୁକୁର କାମୁଡ଼ା ରୋଗୀ ମାନଙ୍କ ପାଇଁ ଗ୍ରାମବାସୀ ମାନଙ୍କୁ ବ୍ରହ୍ମବରଦା ଠାରୁ ୧୫ କି.ମି ଦୂର ଧର୍ମଶାଳା ମେଡିକାଲ କିମ୍ୱା ୨୦କିମି ଦୂର ଯାଜପୁର ମେଡିକାଲ ଉପରେ ନିର୍ଭର କରିବାକୁ ପଡ଼ୁଛି । ବେଳେବେଳେ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ହେତୁ ବହୁ ଗୁରୁତର ରୋଗୀ ଓ ଦୁର୍ଘଟଣା ଜନିତ ବ୍ୟକ୍ତି ମୃତୁ୍ୟ ମୁଖରେ ପଡୁଥିବାର ନଜିର ରହିଛି । ତା ଛଡା ବ୍ରହ୍ମବରଦା ଜିଲ୍ଲାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ସହ ବହୁ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଥିବାରୁ ଆଖାପାଖ ଅଂଚଳର ୧୦ ରୁ ୧୫ଗୋଟି ପଞ୍ଚାୟତ ନିର୍ଭର କରିଥାନ୍ତି । କିନ୍ତୁ ଏସବୁ କ୍ଷେତ୍ରରେ ବ୍ରହ୍ମବରଦା ଅଞ୍ଚଳର ବହୁ ସୁନାମ ଥିଲେ ମଧ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁ ପଛରେ ପଡି ଯାଇଛି । ଏଠାରେ ବହୁ ଶିଶୁରୋଗ ହାର୍ଟ, କିଡ୍ନୀ, ମଧୁମେହ, ରକ୍ତଚାପ ପରି ରୋଗୀ ଦୋକାନୀ ମାନଙ୍କ ଠାରୁ ଔଷଧ କିଣି ଖାଇଥାନ୍ତି । କିନ୍ତୁ ଅନ୍ୟପକ୍ଷରେ ଦେଖିବାକୁ ଗଲେ ଯେଉପରି ଭାବେ ବ୍ରହ୍ମବରଦା, ମହେଶ୍ୱରପୁର, ବନ୍ଧଢିଅ, କାକୁଡିକୁଦ, ଅର୍ଥଙ୍ଗା ଆଦି ଆଖପାଖ ଅଂଚଳରେ ଛତୁ ଫୁଟିଲା ପରି ଔଷଧ ଦୋକାନ ମାନ ଖୋଲା ଯାଇଛି କିନ୍ତୁ ସେହି ଅନୁପାତରେ ଅଭିଜ୍ଞ ଡାକ୍ତର ସାଙ୍ଗକୁ ଉନ୍ନତ ସ୍ୱାସ୍ଥ୍ୟ କେନ୍ଦ୍ରର ଅଭାବ ରହିଛି । ଯାହାଫଳରେ ଦୈନିକ ହଜାର ହଜାର ରୋଗୀ ଗ୍ରାମରେ ଥିବା ଔଷଧ ଦୋକାନୀ ମାନଙ୍କ ଉପରେ ଭରଷା କରି ନିଜ ଜୀବନକୁ ବାଜିରେ ଲଗାଉଛନ୍ତି । ତୁରନ୍ତ ଅଭିଭକ୍ତ ବ୍ରହ୍ମବରଦା ପଂଚାୟତ ଅଂଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଗ୍ରାମବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି ।