ଗାଁ ଭସାଇନେଲା ବାଦଲ ଫଟା ବର୍ଷା
ଡେରାଡୁନ : ଉତ୍ତରାଖଣ୍ଡର ଉତ୍ତରକାଶୀର ଧରାଲି ଅଞ୍ଚଳରେ କ୍ଷୀର ଗଙ୍ଗା ନଦୀ ଅଞ୍ଚଳରେ ହଠାତ୍ ବାଦଲ ଫଟା ବର୍ଷା ଯୋଗୁ ଏକ ବଡ଼ ଧରଣର ବନ୍ୟା ସମଗ୍ର ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧରାଲି ବଜାରକୁ ବହୁ କ୍ଷତି ପହଞ୍ଚାଇଛି । ପ୍ରଖର ବେଗରେ ବହୁଥିବା ଜଳ ସ୍ରୋତରେ ଦୋକାନ, ଯାନବାହାନ ଏବଂ କୋଠା ପାଣିରେ ଭାସି ଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବନ୍ୟାର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଲୋକମାନେ କିଛି ବୁଝିବା ପୂର୍ବରୁ ଜଳ ପ୍ରଳୟ ଘଟିଥିଲା । ପାଣିର ପ୍ରବାହ ଏତେ ପ୍ରଖର ଥିଲା ଯେ, ବଡ଼ ବଡ଼ ପଥର ଏବଂ ଆବର୍ଜନା ମଧ୍ୟ ବଜାର ଅଞ୍ଚଳରେ ପ୍ରବେଶ କରିଥିଲା ।
ପ୍ରଶାସନିକ ସୂତ୍ରରୁ ସୂଚନା ମିଳିଛି ଯେ, କିଛି ଲୋକ ଭଗ୍ନାବଶେଷ ଏବଂ ଆର୍ବଜନା ତଳେ ପୋତି ହୋଇ ରହିଥିବା ସୂଚନା ମିଳିଛି, ଯଦିଓ ଏହା ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସଡିଆରଏଫ, ଏନଡିଆରଏଫ ଓ ଆଇଟିବିପି ଦଳକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ସ୍ଥାନୀୟ ପ୍ରଶାସନ, ପୁଲିସ ଏବଂ ଗ୍ରାମବାସୀ ମଧ୍ୟ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଶାସନ ଅନୁଯାୟୀ ୪ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୫୦ରୁ ଉଦ୍ଧ୍ୱର୍ ନିଖୋଜ ଅଛନ୍ତି । ଏହା ସହ ଧରାଲିଠାରୁ ୧୨ କିଲୋମିଟର ଦୂର ହର୍ଷିଲରେ ଥିବା ସେନା ଶିବିର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରାୟ ୮ରୁ ୧୦ ଜଣ ଯବାନ ନିଖୋଜ ଥିବା ନେଇ ସନେ୍ଦହ କରାଯାଉଛି । ଉପର ଅଞ୍ଚଳରେ ଉପସ୍ଥିତ ଲୋକଙ୍କ ଦ୍ୱାରା ଉଠାଯାଇଥିବା ପ୍ରାରମ୍ଭିକ ଫଟୋ ଏବଂ ଭିଡିଓରେ ବନ୍ୟାର ଭୟଙ୍କର ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି । କିପରି ହଠାତ୍ ଉପରୁ କ୍ଷୀର ଗଙ୍ଗାରେ ବନ୍ୟା ଆସିଲା ଏବଂ ଭୟଙ୍କର ବନ୍ୟା ପାଣିରେ ସବୁକିଛି ଭାସିଗଲା । ପାଣି ସମଗ୍ର ବଜାରକୁ ଗ୍ରାସି ଦେଇଥିଲା । ଭିଡିଓରେ ଦେଖାଯାଇଥିବା ଦୃଶ୍ୟ ଏତେ ଭୟଙ୍କର ଯେ, ଦେଖଣାହାରୀମାନେ ଏହାକୁ ଦେଖି ଭୟଭୀତ ହୋଇଯାଉଛନ୍ତି । ସମଗ୍ର ଧରାଲି ବଜାରର ଏକ ବଡ଼ ଅଂଶ ଭଗ୍ନସ୍ତୁପରେ ପରିଣତ ହୋଇଥିବା ଦେଖାଯାଉଛି । ଅନେକ ଦୋକାନ ଏବଂ ଘରର ଛାତ ଭୁଶୁଡ଼ି ପଡ଼ିଛି । ଏହି ଭୟଙ୍କର ପରିସ୍ଥିତି ନେଇ ସ୍ଥାନୀୟ ଲୋକମାନେ ନିର୍ବାକ୍ ହୋଇଯାଇଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଧାମିଙ୍କ ସହ ଫୋନରେ କଥା ହୋଇଛନ୍ତି । ମୋଦି ଟ୍ୱିଟ କରି କହିଛନ୍ତି ଯେ, ଉତ୍ତରକାଶୀର ଧରାଲିରେ ଘଟିଥିବା ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ପ୍ରତି ମୁଁ ମୋର ସମବେଦନା ପ୍ରକାଶ କରୁଛି । ମୁଁ ସମସ୍ତ ପୀଡିତଙ୍କ ମଙ୍ଗଳ ପାଇଁ ମଧ୍ୟ ପ୍ରାର୍ଥନା କରୁଛି । ମୁଁ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମିଙ୍କ ସହ କଥା ହୋଇଛି ଏବଂ ପରିସ୍ଥିତିର ସମୀକ୍ଷା କରିଛି । ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ରିଲିଫ୍ ଏବଂ ଉଦ୍ଧାର ଦଳ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚିବା ସୁନିଶ୍ଚିତ କରିବାରେ କୌଣସି ସୁଯୋଗ ଛଡ଼ାଯାଉ ନାହିଁ । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଘଟିଥିବା ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେ ପ୍ରାର୍ଥନା କରିଥିଲେ । ଏପରି ସମୟରେ କ୍ଷତିଗ୍ରସ୍ତ ଉତ୍ତରାଖଣ୍ଡବାସୀଙ୍କ ସହ ଓଡ଼ିଶା ଛିଡ଼ା ହୋଇଛି ବୋଲି ସେ କହିଛନ୍ତି । ପାଣିପାଗ ବିଭାଗ ଏକ ପରାମର୍ଶ ଜାରି କରିଛି ଯେ, ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ଉତ୍ତରକାଶୀ ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସେଠାରେ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରାଯାଇଛି । ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।