ଗାଈ ଗୁହାଳ ପାଲଟିଛି ରାସ୍ତାଘାଟ

 ତାଳଚେର :  ତାଳଚେର ଅଞ୍ଚଳର ବିଭିନ୍ନ ମୁଖ୍ୟରାସ୍ତା ବୁଲା ଗାଈଗୋରୁଙ୍କ ଗୁହାଳ ପାଲଟିଛି । ଏବେ ଯେଉଁ ଆଡ଼କୁ ଗଲେ ପଲପଲ ଗାଈ ରାସ୍ତାରେ ବୁଳିବା ସହ ଶୋଇ ରହୁଛନ୍ତି । ଫଳରେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଅନେକ ସମୟରେ ଗମନାଗମନ ବେଳେ ରାସ୍ତାଜାମ୍ ଓ ଦୁର୍ଘଟଣା ଭଳି ପରିସ୍ଥିତ ସୃଷ୍ଟି ହେଉଥିବାରୁ କିଛିକାଂଶରେ ଯାତ୍ରୀମାନେ ଆହାତ ହେଉଛନ୍ତି । ଏହାକୁ ଦେଖୁଥିଲେ ସୁଦ୍ଧା ଲୋକେ ବାଟଭାଙ୍ଗି ଯିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ । ତାଳଚେର ପୌରପରିଷଦ ଜନସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଉଥିବା ବେଳେ ରାସ୍ତାର ସ୍ଥାନେ ସ୍ଥାନେ ବିଭିନ୍ନ କିସମର ବ୍ୟବସାୟିକ ସଂସ୍ଥା ମଧ୍ୟ ଗଢ଼ି ଉଠିଛି । ଗାଈଗୋରୁଙ୍କ ଚଳପ୍ରଚଳ ଯୋଗୁଁ ପୌରରାସ୍ତା ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ହୋଇପଡ଼ିଛି । ଏଭଳି ପରିସ୍ଥିତିରେ ବିଭିନ୍ନ ୱାର୍ଡ଼ର ମୁଖ୍ୟ ରାସ୍ତା ଶହଶହ ବୁଲା ଗୋରୁଗାଈ ଓ କୁକୁରଙ୍କ ବିଶ୍ରାମସ୍ଥଳୀ ପାଲଟିଛି । ଗାଇଗୋରୁଙ୍କ ମଳମୂତ୍ରରେ ରାସ୍ତା ପରିବେଶ ଦୁର୍ଗନ୍ଧମୟ ହୋଇପଡ଼ୁଛି । ତାଳଚେର ବଡ଼ବଜାର, ବଡ଼ଦାଣ୍ଡସାହି, ମେଡ଼ିକାଲ ଛକ, ପୌରକାର୍ଯ୍ୟାଳୟ ସମ୍ମୁଖ, ଫାଷ୍ଟଗେଟ୍, ଜେଲରୋଡ଼, ବସଷ୍ଟାଣ୍ଡ, ପବିତ୍ରମୋହନ ଛକ, ବାଇପାସ୍ ଜାତୀୟ ରାଜପଥ, ହାଟତୋଟା, ଶର୍ମାଛକ, ହାଣ୍ଡିଧୂଅାଁ ଛକ, ଜାମ୍ବୁବଣିଆ, ପଶ୍ମିମେଶ୍ୱର ଯିବା ରାସ୍ତା ଆଦିରେ ଗାଈଗୋରୁଙ୍କ ଚଳପ୍ରଚଳ ଓ ବିଶ୍ରମସ୍ଥଳୀ ପାଲଟିଥିବା ଯୋଗୁଁ ଯାତାୟତରେ ଘୋର ବାଧାପ୍ରାପ୍ତ ହେଉଛି । ଗାଈ ପାଳୁଥିବା ମାଲିକମାନେ କ୍ଷୀର ସଂଗ୍ରହ କରି ବାହାରକୁ ଛାଡ଼ି ଦେଉଛନ୍ତି । ପୂର୍ବରୁ ବୁଲା ଗୋରୁ ରାସ୍ତାରେ ବୁଲିଲେ ସେମାନଙ୍କୁ ଧରି କାଞ୍ଜିଆହୁଦାରେ ଭର୍ତ୍ତି କରାଯାଇ ମାଲିକଙ୍କ ଠାରୁ ଜୋରିମନା ଆଦାୟ କରାଯାଉଥିଲା । ଆଜି ସେଭଳି ପରିସ୍ଥିତ ନାହିଁ କିମ୍ବା ପୌରସଂସ୍ଥା ଏଥିପ୍ରତି ନିୟନ୍ତ୍ରଣ ନାହିଁ । ଫଳରେ ରାସ୍ତାରେ ବୁଲା ଗାଈଙ୍କ ଅକ୍ତିଆର ଦିନକୁଦିନ ଅସହ୍ୟ ହୋଇପଡ଼ୁଛି । ତାଳଚେରରେ ବାରମ୍ବାର ବିଦୁ୍ୟତ୍ କାଟ୍ ହେଉଥିବାରୁ ସନ୍ଧ୍ୟା ସମୟରେ ରାସ୍ତାରେ ଗାଈ ଶୋଇ ରହୁଥିବାରୁ ବାଟୋଇମାନେ ଏହାକୁ ଦେଖିନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଥିନେଇ ସହରରେ ଅସ୍ୱାସ୍ଥ୍ୟକର ପରିବେଶ ଓ ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି ହେଉଛି । ରାସ୍ତାର ଉଭୟ ପାଶ୍ୱର୍ରେ ଘରର ଉପକରଣ ସାମଗ୍ରୀ ମାସ ମାସ ଧରି ଲୋକେ ପକାଇ ରଖି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ପାଶ୍ୱର୍ରେ ଗାଈଗୋରୁଙ୍କ ଗୋବର ଓ ଆବର୍ଜନା ଗଦ ରହିବା ଫଳରେ ପରିବେଶ ଅଧିକ ଦୂଷିତ ହେଉଛି । ଗାଈଗୋରୁଙ୍କ ପରି ବୁଲା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି । ବିଭିନ୍ନ ଛକରେ ପଲପଲ କୁକୁରଙ୍କୁ ଦେଖିବାକୁ ମିଳିଛି । ସହରରେ ଗୋରୁ ଗାଈମାନେ କ୍ଷତ ବିକ୍ଷତ ଅବସ୍ଥାରେ ବୁଲୁଛନ୍ତି, ଏମାନଙ୍କ ଆଶ୍ରୟ ସ୍ଥଳ ଏବଂ ସୁରକ୍ଷା ଦିଗରେ କେହି ହେଲେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ପରିତାପର ବିଷୟ ହୋଇଥିବା ବେଳେ ଗାଈଗୋରୁ, କୁକୁରଙ୍କୁ ନିୟନ୍ତ୍ରଣ କରାଯିବା ସହ ତୁରନ୍ତ ପୌର କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି ।