ଗୋ ମାଂସ ବିକ୍ରି ପ୍ରସଙ୍ଗ , ଦୃଢ କାର୍ଯ୍ୟାନୁଷ୍ଠାନ ହେବ: ଜିଲ୍ଳାପାଳ
ପୁରୀ: ପୁରୀ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଗୋ ଚାଲାଣ ଓ ମଟନ୍ ବା ଖାସୀ ମାଂସ ନାଁରେ କିଛି ହୋଟେଲରେ ଗୋ ମାଂସ ବିକ୍ରୀ ଅଭିଯୋଗ ପରେ ତତ୍ପର ହୋଇଛି ଜିଲ୍ଲା ଓ ପୋଲିସ ପ୍ରଶାସନ ।
ଏହି ଅଭିଯୋଗକୁ ଗରୁତ୍ୱର ସହ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଏକ ସମ୍ବେଦନଶୀଳ ଓ ଧାର୍ମିକ ପ୍ରସଙ୍ଗ । ଏହାକୁ ଗୁରୁତ୍ୱର ସହ ଆମେ ଗ୍ରହଣ କରିଛୁ । ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ସହର ମଧ୍ୟରେ ଥିବା ବିଭିନ୍ନ ହୋଟେଲିୟରମାନଙ୍କୁ ସଚେତନ କରାଯିବ । ଗୋ ଚାଲାଣ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତରକାରୀରେ ଗୋ ମାଂସ ମିଶାଯାଉଥିବା ନେଇ ଅଭିଯୋଗ ହୋଇଥିବା ସାକ୍ଷୀଗୋପାଳ କଲେଜ ନିକଟସ୍ଥ ଜୟା ଢାବାକୁ ସିଲ୍ କରିଦିଆଯାଇଥିବା ବେଳେ ଢାବାକୁ ଜଗି ରହିଛି ପୋଲିସ୍ । ଅପରପକ୍ଷରେ ଉକ୍ତ ଢାବାରୁ ପୋଲିସ ନିୟମିତ ବଟି ନେଉଥିବା ଅଭିଯୋଗ ପରେ ଜଣେ ମହିଳା ସବ୍ଇନ୍ସପେକ୍ଟରଙ୍କୁ ସତ୍ୟବାଦୀ ଥାନାରୁ ରାତାରାତି ହେଡ଼୍କ୍ୱାଟରକୁ ବଦଳି କରିଦିଆଯାଇଛି । ଗୋରୁୁ ଚାଲାଣ ନେଇ ଆନିମଲ କ୍ରୁଏଲ୍ଟି ଆଇନ ଅନୁସାର ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣା ବିଭିନ୍ନ ମହଲରେ ସୃଷ୍ଟି କରିଛି ଗଭୀର ଆଲୋଡ଼ନ । ପୋଲିସ ସମଗ୍ର ଘଟଣାବଳୀକୁ ଗୁରୁତ୍ୱର ସହ ଗ୍ରହଣ କରି ସନ୍ଦିଗ୍ଧମାନଙ୍କ ପ୍ରତି ରଖିଛି ସତର୍କ ଦୃଷ୍ଟି । ସୂଚନା ଯୋଗ୍ୟ ଯେ ଗତ ଫେବୃୟାରୀ ମାସ ୨୩ ତାରିଖ ଦିନ ଏକ ଟାଟା ଏସି ଗାଡ଼ିରେ ସତ୍ୟବାଦୀ ଥାନା ଅହମ୍ମଦପୁର ଅଞ୍ଚଳର ପିଣ୍ଟୁ ଓରଫ ମିର୍ ସୟଦ ଅଲ୍ଲୀ ଦୁଇ ଜଣ ସହଯୋଗୀଙ୍କ ସହ କିଛି ଗୋରୁ ନେଇଯାଉଥିବା ବେଳେ କେତେକ ଯୁବକ ତାକୁ ଅଟକାଇ ପଚରାଉଚରା କରିବା ବେଳେ କେତେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା । ଖାସୀ ମାଂସରେ ଗୋ ମାଂସ ମିଶାଯାଇ ହୋଟେଲକୁ ଯୋଗାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ପିଣ୍ଟୁ କହିଥିଲା ସୁକଳ ଓ ଆଖପାଖ ଅଞ୍ଚଳରୁ ଗୋରୁମାନଙ୍କୁ ଆଣି ସତ୍ୟବାଦୀର ଏକ ସ୍ଥାନରେ ଠୁଳ କରିବା ପରେ ଏକତ୍ର କଟକ ଚାଲାଣ କରାଯାଉଛି । ସତ୍ୟବାଦୀରେ ଗୋରୁ କଟା ହେଉଛି । ପୁରୀର ଜଣେ ଲୋକ ସତ୍ୟବାଦୀକୁ ଆସି ଗୋରୁ କାଟୁଛି ।
ଏହି ଗୋରୁ ମାଂସ ଜୟା ଢାବା ଓ ଅନ୍ୟାନ୍ୟ ସ୍ଥାନକୁ ଯାଉଛି । ପିଣ୍ଟୁର ଏହି ବୟାନ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ପୋଲିସ ତତ୍ପର ହୋଇଉଠିଥିଲା । ଏହି ଘଟଣା ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ସନେ୍ଦହ ଓ ଉତ୍ତେଜନା ପ୍ରକାଶ ପାଇଛି ।