ଗୁରୁକୃପାର ଛାୟା 

ଡ.ସୁରେଶ କୁମାର ନାୟକ : ବିଶ୍ୱାସ ଶବ୍ଦର ଅର୍ଥ ହେଉଛି ଜଣଙ୍କ ଉପରେ ଜଣଙ୍କର ଆସ୍ଥା ଏବଂ ଏହି ଆସ୍ଥା ପ୍ରସଙ୍ଗକୁ ଆଲୋଚନା କଲାବେଳେ ଶ୍ରୀମଦ୍‌ ଭାଗବତ ଗୀତାର ଶ୍ଳୋକଟି ଉଲ୍ଲେଖ କରୁଛି - "ଯୋଗକ୍ଷମ ବହାମ୍ୟହମ୍‌ ।' ଏହାର ଭାବାର୍ଥ ହେଉଛି ଯିଏ ତାଙ୍କ ନିକଟରେ ନିଜକୁ ସମର୍ପଣ କରେ ତାର ସମସ୍ତ ରକ୍ଷଣ ସେ କରିବେ । ଏବଂ ତାହାର ଯାହା ପ୍ରାପ୍ୟ ତାକୁ ପ୍ରଦାନ କରିବେ । ପ୍ରାୟ ସବୁ ଧର୍ମରେ ଈଶ୍ୱରଙ୍କ ଉପରେ ଏହି ଆସ୍ଥା ଆଧାରିତ । ଗୁରୁ ହିଁ ହେଉଛନ୍ତି ଆମର ଏକମାତ୍ର ଗତିମୁକ୍ତି ଦାତା । ଗୁରୁ କୃପା ହିଁ ଈଶ୍ୱର କୃପା । ଯାହା ସର୍ବଦା ଭାବାସିକ୍ତ । ଗୁରୁଙ୍କ କୃପା ତିନୋଟି ଭାବର । ଯଥା ହସ୍ତକୃପା, ପାଦକୃପା ଓ ନୟନ କୃପା ତେବେ ଏ ସବୁ ଭିତରେ ସର୍ବଶ୍ରେଷ୍ଠ ହେଉଛି ପାଦକୃପା । କାରଣ ଏହି କୃପାରେ କିଛି ଆଶା ନଥାଏ କିମ୍ବା କିଛି ପାଇବାର ମୋହ ନଥାଏ । ସେହି ପାଦ ପଦ୍ମକୁ ଯିଏ ଆଶ୍ରୟ କରେ ତାର ଜୀବନ ଧନ୍ୟ ହୋଇଯାଏ । ସେ ଓ ଭଗବାନ ବା ତାଙ୍କ ଗୁରୁଦେବ ଏକ ହୋଇଯାଆନ୍ତି । ଗୁରୁକୃପା ସମସ୍ତଙ୍କୁ ପ୍ରାପ୍ତ ହୋଇଥାଏ । ଆମେ ପ୍ରତିଦିନ ସୂର୍ଯ୍ୟ ଉଦୟ ଦେଖିଥାଉ । ସୂର୍ଯ୍ୟ ଉଦୟ ଯେପରି ତାଙ୍କ ଚତୁର୍ଦିଗ ଆଲୋକିତ କରିଥାନ୍ତି ଠିକ ସେହିଭଳି ଗୁରୁଦେବ ତାଙ୍କ ଆଶୀର୍ବାଦ ଓ କୃପା ଦ୍ୱାରା ଆମ ଜୀବନକୁ ଶାନ୍ତି ଓ ଆନନ୍ଦର ଆଲୋକରେ ଉଦ୍ଭାସିିତ କରନ୍ତି । ଗୁରୁଶକ୍ତି ହିଁ ହେଉଛି ଅମର ଆତ୍ମାର ଉତ୍ତରଣର ସୂତ୍ରଧର । କୃପାର ସ୍ୱରୂପ, ତ୍ରିଗୁଣରୁ ଅତୀତ, କାଳରୁ ଅତୀତ ଅର୍ଥାତ୍‌ କାଳାକୃତ । ଗୁରୁଦେବ ହେଉଛନ୍ତି ଅଷ୍ଟ ସାତ୍ତ୍ୱିକ ଭାବର ଆଧାର ।

    ଗୁରୁଙ୍କର ଦିବ୍ୟ ଆଶ୍ରୟ ଅନୁଗତ ଭାବେ ଯେ ଗ୍ରହଣ କରିଥାଏ ତା'ର ଚେତନାର ବିସ୍ତାର ଘଟେ । ଗୁରୁ ଶିଷ୍ୟର ସତ୍ତାରେ ଶକ୍ତି ସଞ୍ଚାର କରନ୍ତି । ଏବଂ ଶିଷ୍ୟର ଆଧ୍ୟାତ୍ମିକ ଶକ୍ତି ବଢ଼ି ସତ ଗୁଣର ବିକାଶ ଘଟେ । ଗୁରୁ ଶିଷ୍ୟ ମଧ୍ୟରେ ଥିବା ପାପୀଳ ତମଗୁଣର ହ୍ରାସ କରି ତାଙ୍କ ଭିତରେ ସଦଗୁଣକୁ ପୂର୍ଣ୍ଣ କରିଦିଅନ୍ତି । ମାୟାବଧ ଓ ମହାର୍ଚ୍ଛନ୍ନ ଜୀବାତ୍ମାକୁ ମୁକ୍ତି ଗୁରୁଦେବ ହିଁ କରିଥାନ୍ତି । ଶିଷ୍ୟର ଗୁରୁଙ୍କ ପ୍ରତି ଅଟଳ ବିଶ୍ୱାସ ଓ ପୂର୍ଣ୍ଣ ସମର୍ପଣର ଭାବ ଦ୍ୱାରା ଗୁରୁ ଏହା କରିଥାନ୍ତି । ଶିଷ୍ୟକୁ ମୁକ୍ତି ପ୍ରଦାନ କରିବା ପର୍ଯ୍ୟନ୍ତ ଭାବ ସମ୍ବନ୍ଧରେ ବାନ୍ଧି ହୋଇ ଗୁରୁ ଶିଷ୍ୟର ପଛେ ପଛେ ଜନ୍ମ ଜନ୍ମାର ପର୍ଯ୍ୟନ୍ତ ଚାଲିଥାନ୍ତି । କୌଣସି ସାଧନା ବା ତପସ୍ୟା ନକରି କେବଳ ଗୁରୁ ଭକ୍ତି ଓ ସେବା ଦ୍ୱାରା ଫଳ ମିଳିଥାଏ କି ? ଏଭଳି ଅନେକ ପ୍ରଶ୍ନ ଅନେକଙ୍କ ଭିତରେ ଉଚ୍ଚାରିତ ହୋଇଥାଏ । ତେବେ ସଦଗୁରୁ ଅଶେଷ କୃପା ପ୍ରଦାନ କରି ପୂର୍ବ ପ୍ରାରବ୍ଧ ଜନିତ ଯେତେ ଦୁଃଖ, କ୍ଲେଷ ସବୁକୁ ଉଦ୍ଧାର କରିଥାନ୍ତି । ଗୁରୁ ଶକ୍ତି ହିଁ ଏହି ସଂସାରର ପରିଚାଳକ । ଶାସ୍ତ୍ରରେ ଗୁରବ୍ରହ୍ମା, ଗୁରୁବିଷ୍ଣୁ ଗରୁର୍ଦେବୋ ମହେଶ୍ୱର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗରୁବେ ନମଃ ବୋଲି କୁହାଯାଇଛି । ଅର୍ଥାତ୍‌ ଗୁରୁ ସାକ୍ଷାତ ଈଶ୍ୱରତୁଲ୍ୟ ବୋଲି ବର୍ଣ୍ଣନା କରାଯାଇଛି । ଗୁରୁଙ୍କ କୃପାରୁ ଯେଉଁ ଶକ୍ତି ପ୍ରାପ୍ତ ହୁଏ ବା ଜ୍ଞାନ ଜାତ ହୁଏ, ତାହା ଅନ୍ୟ କୌଣସି ପ୍ରକାରେ ସମ୍ଭବ ନୁହେଁ ବୋଲି ସମସ୍ତଙ୍କର ମତ । କିନ୍ତୁ କଥା ହେଉଛି ସେହିଭଳି ଗୁରୁ ମିଳିବେ କିପରି ? ପ୍ରକୃଷ୍ଟ ସମୟ ଆସିଲେ ହିଁ ଅର୍ଥାତ୍‌ ଯେତେବେଳେ ଶିଷ୍ୟ ବା ଆଶ୍ରିତ ଭିତରେ ଉପଯୁକ୍ତ ଗୁଣ ବା ଭୂମିକା ପ୍ରସ୍ତୁତ ହୋଇଯାଏ ସେତେବେଳେ ନିଜେ ଗୁରୁ ତା ପାଖକୁ ଆସି ତାକୁ ଧୀରେ ଧୀରେ ଉନ୍ନତିପଥରେ ନେଇଯାଆନ୍ତି ।

    ସଦଗୁରୁ ହେଉଛନ୍ତି ଏକମାତ୍ର ମାଧ୍ୟମ ଯେ କି ଭକ୍ତର ଆତ୍ମା ଯେଉଁ କର୍ମଋଣର ପଞ୍ଜୁରୀରେ ବାନ୍ଧି ଛଟପଟ ହେଉଥାଏ ସେଥିରୁ ତାକୁ ମୁକ୍ତ କରିପାରିଥାନ୍ତି । ସଦଗୁରୁଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ତାଙ୍କର ଦର୍ଶନ ବାଣୀ ଓ ସ୍ପର୍ଶରେ ଅସୀମ ଶକ୍ତି ନିହିତ ଅଛି । ଗୁରୁଦେବଙ୍କ ନାମ ଜପ କରିବା ଅତି ସହଜ । ତାଙ୍କ ପୂଜା ଆରାଧନା ପାଇଁ ଅର୍ଥର ପ୍ରୟୋଜନ ନାହିଁ । ଭକ୍ତି ଓ ଶ୍ରଦ୍ଧାର ସହ ଫୁଲ, ଫଳ ଓ ଜଳ ଯାହାକିଛି ଅର୍ପଣ କଲେ ବି ସେଥିରେ ସେ ପ୍ରସନ୍ନ ହୁଅନ୍ତି । ଆମ ପାଖରେ ସେ ସଦାସର୍ବଦା ଅଛନ୍ତି । କଳିକାଳର ମାୟା ମହାଚ୍ଛନ୍ନ ସଂସାରରୁ ମୁକ୍ତି ପାଇଁ ପ୍ରତ୍ୟେକ ଆଶ୍ରିତ ଓ ଗୁରୁଦେବଙ୍କ ଶ୍ରଦ୍ଧାଳୁ ଗୁରୁଭାଇ ମାନେ ଭକ୍ତି ମାର୍ଗରେ ଅଗ୍ରସର ହେବା ଆବଶ୍ୟକ । ବାସ୍ତବିକ ଶୁଦ୍ଧ ଓ ନିଷ୍କପଟ ଭକ୍ତିର ତୁଳନା ନାହିଁ । ଜଣେ ଯଦି ଏହି ପରି ପ୍ରୟାସ କରେ ସେ ନିଜେ ଅନେକଙ୍କୁ ଆଲୋକିତ କରିପାରିବ । ଗୁରୁଦେବ ହେଉଛନ୍ତି ଆମ ଜୀବନର ପରମ ମିତ୍ର । ଗୁରୁଦେବଙ୍କ ପାଦ ପଦ୍ମରେ - ହେ ଗୁରୁ ଗୋବିନ୍ଦ ଗୋସାଇଁ, ତୁମେ ଭକ୍ତର ଭାବଗ୍ରାହୀ । ତବ କୃପାର ଛାୟା ତଳେ, ଭକ୍ତି ଆଶ୍ରିତ ସଦା କାଳେ ।'

ମୋ: ୯୪୩୭୨୨୫୫୯୨