‘ଗୁଡ଼ି ଯାଆ ଉଡି’ ପୁସ୍ତକ ଉନ୍ମୋଚିତ
ବାଲିଅନ୍ତା: ବିଶିଷ୍ଟ ସାମ୍ବାଦିକ ତଥା ଶିଶୁ ସାହିତି୍ୟକ ବଙ୍କିମ ଚନ୍ଦ୍ର ନାୟକଙ୍କ ଦ୍ୱାରା ରଚିତ "ଗୁଡ଼ି ଯାଆ ଉଡି’ ପୁସ୍ତକ ବାଳକାଟି ସ୍ଥିତ ଶାଗୁଆ ନାଗପୁର ଗ୍ରାମର ମା'ଉପୁଳେଇ ଠାକୁରାଣୀଙ୍କ ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ନାଟ୍ୟ ନିଦେ୍ର୍ଦଶକ ମନୋଜ ପଟ୍ଟନାୟକ, ସିନେ ସଂଳାପକାର ତଥା ଗୀତିକାର ଡ. ରଜନୀ ରଞ୍ଜନ ଦାଶ, ‘ଝୁମୁକା'ର ସମ୍ପାଦକ ମାନସ ରଞ୍ଜନ ସାମଲ, ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ବରିଷ୍ଠ ଶିଶୁ ସାହିତି୍ୟକ ଅରୁଣ ଚନ୍ଦ୍ର ମହାନ୍ତି, ବରିଷ୍ଠ ସାମ୍ବାଦିକ ରାଧାଶ୍ୟାମ ମହାନ୍ତି, ଜଗତଜ୍ୟୋତି ମାଳା, ସୋମନାଥ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉକ୍ତ ପୁସ୍ତକରେ ପ୍ରକାଶିତ ଲେଖା ପିଲାଙ୍କ ପାଇଁ ବେଶ୍ ଉପାଦେୟ ବୋଲି ମତ ରଖିଥିଲେ । ଭାରତ ସରକାରଙ୍କ ବୁକ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକଟିରେ ଗୁଡ଼ିର ଇତିହାସ, ବିଭିନ୍ନ ପ୍ରକାର ଗୁଡି, ପର୍ବପର୍ବାଣୀରେ ଗୁଡ଼ି ଉଡା ଦିବସ ଆଦି ୩୧ଗୋଟି ବିଷୟ ଉପରେ ବର୍ଣ୍ଣନା କରାଯାଇଛି । ଯାହାକି ୮ରୁ ୧୦ବର୍ଷ ବୟସର ପିଲାମାନଙ୍କ ପାଇଁ ଅତ୍ୟନ୍ତ ଉଚ୍ଚକୋଟୀର । ବର୍ତ୍ତମାନ ଏହି ପୁସ୍ତକ ହିନ୍ଦୀ ‘ଉଡ୍ୟା ପତଙ୍ଗ’ ଓ ଓଡିଆ ଭାଷା "ଗୁଡ଼ି ଯାଆ ଉଡି’ ଭାବରେ ପ୍ରକାଶିତ ହୋଇଥିବା ବେଳେ, ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରକାଶିତ ହେବବୋଲି ଲେଖକ ବଙ୍କିମ ଚନ୍ଦ୍ର ନାୟକ କହିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଯୁବ ସାମ୍ବାଦିକ ଅନୁପ ଶୁଭଙ୍କର ଧନ୍ୟବାଦ ପ୍ରଦାନ କରିଥିଲେ ।