୧୦ବର୍ଷ ହେଲା ଅଚଳ ହୋଇପଡ଼ିଛି ପାନୀୟଜଳ ପ୍ରକଳ୍ପ

ଜାରକା: ଧର୍ମଶାଳା ବ୍ଲକ୍ କୁମାରୀ ପଞ୍ଚାୟତ ଦେଉଳି ପାହାଡ଼ ପାଦଦେଶରେ ହୋଇଥିବା ଭୂତଳ ପାଣି ଟାଙ୍କି ଓ ଜଳ ଯୋଗାଣ ପ୍ରକଳ୍ପ ୧୦ବର୍ଷ ହେଲା ଅଚଳ ହୋଇପଡ଼ିଛି । ୨୦୦୮-୦୯ ଆର୍ଥôକ ବର୍ଷରେ ବ୍ରାହ୍ମଣୀନଦୀ ନିକଟ ଧର୍ମଶାଳା ହାଟ ପଡ଼ିଆ ଶେଷ ମୁଣ୍ଡରେ ବୋରିଂ କରାଯିବା ସହ ପମ୍ପ ହାଉସ୍ ନିର୍ମିତ ହୋଇଥିଲା । ଏଠାରୁ ପ୍ରାୟ ୩କିଲୋମିଟର ଦୂର ଦେଉଳି ଟାଙ୍କି ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀବନ୍ଧ ପାର୍ଶ୍ୱ ମାଟି ତଳେ ପାଇପ୍ ବିଛା ଯାଇଥିଲା । ସେହିପରି ଟାଙ୍କିରେ ପାଣି ମୋଟର ଲଗାଯାଇ ଦେଉଳି, କୁମାରୀ ଓ ଜାରକା ପର୍ଯ୍ୟନ୍ତ ୨କିମି ଯାଏ ପାଇପ୍ ବିନ୍ଧାଯାଇ ଅଞ୍ଚଳବାସୀଙ୍କୁ ପାନୀୟଜଳ ଯୋଗାଇ ଦିଆ ଯାଉଥିଲା । ଏସବୁର ନିର୍ମାଣ ଓ ମରାମତି ବାବଦକୁ ସେ ସମୟରେ ୧କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି । ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ଉଦ୍ୟମରେ୧୫ବର୍ଷ ପୂର୍ବେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା । ପାହାଡ଼ିଆ ଅଞ୍ଚଳ ଦେଉଳି, କୁମାରୀ ଓ ଜାରକାବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଥିଲା । ଏହା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପ୍ରାୟ ୫ବର୍ଷ ପର୍ଯ୍ୟନ୍ତ ପିଇବା ପାଣି ଯୋଗାଇ ଦିଆଯାଇଥିଲା ପରିଚାଳନାଗତ ତ୍ରୁଟି ଯୋଗୁଁ ୨୦୧୪ ବେଳକୁ ଏହି ପ୍ରକଳ୍ପ ସଂପୂର୍ଣ୍ଣ ଅଚଳ ହୋଇ ଯାଇଥିଲା । ବିଭାଗ ପକ୍ଷରୁ ଏହାର ମରାମତି କରାଗଲା ନାହିଁ । ଏହାର ସୁଯୋଗରେ କେତେକ ଦୁର୍ବୃତ୍ତ ମାଟି ଖୋଳି ମୋଟା ପିଭିସି ପାଇପ୍ ଚୋରି କରି ନେଇଗଲେ । ଫଳରେ ୧୦ବର୍ଷ ହେଲା ଉକ୍ତ ବୃହତ୍ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇଯାଇଛି । ଗଛଲତାରେ ଏହା ଲୁଚି ଗଲାଣି ଏହା ସତ୍ତ୍ୱେ ପ୍ରତି ମାସର ବିଦୁ୍ୟତ୍ ବିଲ୍ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିଲା । ମାସକୁ ମାସ ବିଲ୍ ବୃଦ୍ଧି ପାଇ ୪ଲକ୍ଷ ୮ହଜାର ଟଙ୍କାରେ ପହଞ୍ଚିଥିଲା । ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବାଧ୍ୟ କରିବାରୁ ସରପଞ୍ଚଙ୍କ ନିର୍ଦେଶ କ୍ରମେ ୨୦୨୨ରେ ପିଇଓ ୩ ଲକ୍ଷ ୯୩ ହଜାର ଟଙ୍କା ବିଲ୍ ପୈଠ କରିଥିଲେ । ଏଭଳି ଅନିୟମିତତା ଜଣାପଡ଼ିବା ପରେ ପୈଠ ଅର୍ଥକୁ ପଞ୍ଚାୟତକୁ ଫେରସ୍ତ ପାଇଁ ସରପଞ୍ଚ ଦାବି କରିଛନ୍ତି । ଜଳ କଷ୍ଟରୁ ସାଧାରଣ ଲୋକଙ୍କୁ ରକ୍ଷା କରିବାପାଇଁ ତୁରନ୍ତ ଏହି ପ୍ରକଳ୍ପକୁ ମରାମତି କରାଯାଇ ପୁନଃ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।