ଗୋଆରେ ବିଶ୍ୱସ୍ତରୀୟ ସହ-ପ୍ରଯୋଜନା ବଜାର 

ଉପସ୍ଥାପନ କରିବ ୱେଭ୍‌ସ ଫିଲ୍ମ ବଜାର

ଭୁବନେଶ୍ୱର : ଭାରତର ପ୍ରମୁଖ ଚଳଚ୍ଚିତ୍ର ବଜାର ରୂପେ ପରିଚିତ ‘ୱେଭ୍ସ ଫିଲ୍ମ ବଜାର’ର ଉନବିଂଶତମ ସଂସ୍କରଣ ୫୬ତମ ଅନ୍ତର୍ଜାତୀୟ ଚଳଚ୍ଚ଼ିତ୍ର ମହୋତ୍ସବ ଅବସରରେ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ ଏହା ଫିଲ୍ମ ବଜାର ଭାବରେ ପରିଚିତ ଥିବା ବେଳେ ବର୍ତ୍ତମାନ ଏହାର ନାମ ପରିବର୍ତ୍ତନ କରାଯାଇଛି । ଅନ୍ତର୍ଜାତୀୟ ଆର୍ଥିକ ସହାୟତା ଏବଂ ମହୋତ୍ସବ ପ୍ରସାରଣ ଲାଗି ସଂକ୍ଷିପ୍ତ ତାଲିକାଭୁକ୍ତ କ୍ୟୁରେଟେଡ୍‌ ପ୍ରକଳ୍ପଗୁଡ଼ିକ ସମେତ ଫିଚର ଏବଂ ପ୍ରମାଣିକ ଚଳଚ୍ଚିତ୍ର ପାଇଁ ଏକ ଦୃଢ଼ ସହ-ପ୍ରଯୋଜନା ସୁଯୋଗ ନେଇ ଏହି ବଜାର ପୁଣିଥରେ ଆୟୋଜନ କରାଯିବ । ୫୬ତମ ଅନ୍ତର୍ଜାତୀୟ ଚଳଚ୍ଚ଼ିତ୍ର ମହୋତ୍ସବ (ଆଇଏଫଏଫଆଇ) ଅବସରରେ ୱେଭ୍ସ ଫିଲ୍ମ ବଜାର ୨୦ ରୁ ୨୪ ତାରିଖ  ପର୍ଯ୍ୟନ୍ତ ଗୋଆର ମାରିଅଟ୍‌ ରିସର୍ଟରେ ଅନୁଷ୍ଠିତ ହେବ ।


       ଆଗାମୀ ଉନବିଂଶତମ ସଂସ୍କରଣରେ ୱେଭ୍ସ ଫିଲ୍ମ ବଜାର ୨୨ଟି ଫିଚର ପ୍ରକଳ୍ପ ଉପସ୍ଥାପନ କରିବ ଏବଂ ଏଥିରେ ବିଶ୍ୱବ୍ୟାପୀ କାହାଣୀ ସ୍ଥାନ ପାଇବ । ସହ-ପ୍ରଯୋଜନା ବଜାରରେ ଭାରତ, ଫ୍ରାନ୍ସ, ବ୍ରିଟେନ, କାନାଡା, ଆମେରିକା, ରୁଷ, ଫିଲିପାଇନ୍ସ ଏବଂ ସିଙ୍ଗାପୁରର ପ୍ରକଳ୍ପଗୁଡ଼ିକର ଏକ ଆକର୍ଷଣୀୟ ସମ୍ଭାର ରହିଛି । ଏହି ବିବିଧ ଚଳଚ୍ଚିତ୍ରଗୁଡିକରେ ହିନ୍ଦୀ, ଊର୍ଦ୍ଦୁ, ବଙ୍ଗଳା, ମଣିପୁରୀ, ତାଙ୍ଗଖୁଲ, ନେପାଳୀ, ମାଲାୟଲମ, ହରିୟାଣୀ, ଇଂରାଜୀ, ଗୁଜରାଟୀ, ଲଦାଖୀ, କୋଙ୍କଣୀ, କନ୍ନଡ, ମରାଠୀ, ପଞ୍ଜାବୀ, କାଶ୍ମୀରୀ, ରୁଷୀୟ, ସଂସ୍କୃତ ଏବଂ ଓଡ଼ିଆ ଭଳି ଭାଷାରେ ଚଳଚ୍ଚ଼ିତ୍ର କାହାଣୀ ଅନ୍ତର୍ଭୁକ୍ତ । ଓପନ୍‌ ପିଚ୍‌ ଅଧିବେଶନ ସମୟରେ ମନୋନୀତ ଫିଲ୍ମ ନିର୍ମାତାମାନେ ସେମାନଙ୍କର ପ୍ରକଳ୍ପଗୁଡ଼ିକୁ ଅନ୍ତର୍ଜାତୀୟ ଏବଂ ଭାରତୀୟ ପ୍ରଯୋଜକ, ବିତରକ, ମହୋତ୍ସବ ପ୍ରୋଗ୍ରାମର, ଫାଇନାନ୍ସର ଏବଂ ବିକ୍ରୟ ଏଜେଣ୍ଟଙ୍କ ନିକଟରେ ପିଚ୍‌ କରିବାର ସୁଯୋଗ ପାଇବେ । ଏହା ସହିତ, ଏହି ସଂସ୍କରଣରେ ସହ-ପ୍ରଯୋଜନା ବଜାର ପ୍ରକଳ୍ପଗୁଡିକରେ ୫ଟି ପ୍ରମାଣିକ ବା ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ରହିବ ।