ଗୋଚର ଜମି ଜବରଦଖଲ; ରାସ୍ତାରେ ଆଣ୍ଠୁଏ ପାଣି
ାା ପ୍ରଭାନୁ୍ୟଜ ।ା ବାଲିକୁଦା : ଜାରକା ଗ୍ରାମ୍ୟଉନ୍ନୟନ ବିଭାଗ ଚଣ୍ଡିଖୋଲ ସବଡ଼ିଭିଜନ ଅନ୍ତର୍ଗତ ଅଣକା ଠାରୁ ପଦ୍ମଲାଭପୁର ରାସ୍ତାର ଅଣକା ଠାରେ ମୁଖ୍ୟରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି । ଏହି ରାସ୍ତା ଦେଇ ପ୍ରତ୍ୟେହ ୧୦ଖଣ୍ଡ ଗ୍ରାମ ଲୋକ ଯାତାୟତ କରୁଥିବାରୁ ପାଣି ଜମିବା ଦ୍ୱାରା ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛି । ରାସ୍ତା ନିର୍ମାଣ ବେଳେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏହି ଗାଁର ଅଳ୍ପ ବହୁତ ପାଣି ଜମି ରହୁଥିଲେ ମଧ୍ୟ ଗାଁ ମଝିର ଗୋଟିଏ ପରିବାର ଉଦେ୍ଦଶ୍ୟ ମୂଳକ ଭାବେ ରାସ୍ତା କଡ଼ରେ ବନ୍ଧ ବାନ୍ଧିବା ଦ୍ୱାରା ପାଣି ଖାଲ ଅଞ୍ଚଳକୁ ନଯାଇପାରି ଗୋଟିଏ ଜାଗାରେ ଜମି ରହୁଛି । ଏସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀ ଓ ପ୍ରଶାସନକୁ ଗ୍ରାମବାସୀ ଅବଗତ କରାଉଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହିଁନ୍ତି । ଗ୍ରାମବାସୀ ମାନେ ଉକ୍ତ ପରିବାରକୁ ଅବରୋଧ ହଟାଇବାକୁ କହୁଥିଲେ ମଧ୍ୟ ସେ ଅବରୋଧ ହଟାଉନାହିଁ । ଉକ୍ତ ରାସ୍ତାର ସେହି ଅଞ୍ଚଳର ପାଶ୍ୱର୍ ରାସ୍ତା ଗୁଡ଼ିକ ଗୋଚର ହୋଇଥିବାରୁ ସେ ଜୋରଜବରଦସ୍ତ ବନ୍ଧ ବାନ୍ଧି ଗୋଚର ଜାଗାକୁ ନିଜ ଦଖଲରେ ରଖିଛି । ଉକ୍ତ ରାସ୍ତାର ପାଖରେ ଅଣକା ୟୁଜିଏମଇ ସ୍କୁଲ ଥିବାରୁ କୋମଳମତୀ ଛାତ୍ରଛାତ୍ରୀ ମାନେ ପାଣିରେ ପଶି ଯିବା ଦ୍ୱାରା ଜ୍ୱର, ଥଣ୍ଡା, କାଶ ଆଦି ରୋଗରେ ବାରମ୍ବାର ପିଡ଼ିତ ହେଉଛନ୍ତି । ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡ଼ିଓଙ୍କୁ ପଚାରିବାରେ ଗ୍ରାମବାସୀ ବିଭାଗରେ ଅଭିଯୋଗ କଲେ ବିଭାଗୀୟ ଅଧିକାରୀ ସ୍ଥାନ ପରିଦର୍ଶନ କରି ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ ।