ଗୋଚରରେ ଶହଶହ ଲୁହା ପାଇପ୍
ପାଣିକୋଇଲି : କୋରେଇ ବ୍ଲକ୍ ଧନେଶ୍ୱର ପଞ୍ଚାୟତ ଧନପୁର ଗ୍ରାମର ଖେଳ ପଡିଆରେ ଥିବା ଏକର ଏକର ଗୋଚର ଜମିରେ ଗଦା ହୋଇଛି ଲୁହା ପାଇପ୍ । କିନ୍ତୁ କିଏ ପାଇପ୍ ମହଜୁଦ ରଖିଛି, ମହଜୁଦ ପାଇଁ କିଏ ଅନୁମତି ଦେଇଛି, ତାହା ଗ୍ରାମବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ ପାଇପ୍ ମହଜୁଦ ପାଇଁ ଧନପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ଖାଲଖମାରେ ଭର୍ତି ହୋଇ ପଡ଼ିଛି । ସଂପୃକ୍ତ ରାସ୍ତାଟି ଦୁଇ ବର୍ଷତଳେ ନିର୍ମିତ ହୋଇଥିବା ବେଳେ, ପାଇପ ବୋଝେଇ ଗାଡ଼ି ଚଳପ୍ରଚଳ କାରଣରୁ ରାସ୍ତାଟି ମଝିରେ ମଝିରେ ଫାଟ ସୃଷ୍ଟି ହେବାରେ ଲାଗିଛି । ଏହିଭଳି ଯଦି ପାଇପ୍ ଗାଡ଼ି ବାରମ୍ବାର ଯା’ ଆସ କରେ ତେବେ ରାସ୍ତାଟି ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ସଂପୃକ୍ତ ଅଞ୍ଚଳର୯୦ଭାଗ ଚାଷୀ ଗୋଚର ଜମି ରାସ୍ତାଦେଇ କ୍ଷେତକୁ ଯିବା ଆସିବା କରିଥାନ୍ତି । ହେଲେ ଏବେ ସେ ବାଟ ପୁରା ବନ୍ଦ ହୋଇଯାଇଥିବାରୁ ଆଗକୁ ଚାଷୀମାନେ ନାହିଁ ନଥିବା ହଇରାଣ ହେବେ । ପ୍ରଶାସନ ଏଥିପ୍ରତି ନଜର ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।