ଗୋରୁ ଚାଲାଣ ବେଳେ ଗୋଡାଇ ଧରିଲା ପୁଲିସ

ଭୁବନେଶ୍ୱର, ୩୧ା୮ : ଗତକାଲି ରାତିରେ ତମାଣ୍ଡୋ ଥାନା ଅଧିନ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମହିନ୍ଦ୍ରା ପିକପ୍ ଭ୍ୟାନ୍ରେ ୨ ଜଣ ଗୋରୁ ବେପାରୀ ୧୦ଟି ଗୋରୁକୁ ଅତି ନିର୍ଦ୍ଦୟ ଭାବେ ବାନ୍ଧି ଚାଲାଣ କରୁଥିବା ବେଳେ, ଗୋଡାଇ ଧରିଲା ତମାଣ୍ଡୋ ଥାନାର ପେଟ୍ରୋଲିଂ ଟିମ । ୨ ଜଣ ବେପାରୀଙ୍କୁ କାବୁ କରିବା ସହ ଗାଡି ଭିତରୁ ୧୦ଟି ଗୋରୁ ଉଦ୍ଧାର କରାଯାଇଛି । ପରେ ସେମାନଙ୍କୁ ଥାନାକୁ ଆଣି ମାମଲା ରୁଜୁକରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ, ଯଦୁପୁର ସାୟଦ ସାହିର ଆନସର ଅଲ୍ଲୀ ଓ ଟାଙ୍ଗୀ ସାହିର ସମିର ଖାନ୍ ।
ସୂଚନା ଯୋଗ୍ୟଯେ, ତମାଣ୍ଡୋ ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଂ ଟିମ ଆଦିତ୍ୟ ହୁ୍ୟଣ୍ଡାଇ ସୋରୁମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ, ଏକ ମହିନ୍ଦ୍ରା ପିକପ୍ ଭ୍ୟାନ ଦ୍ରୁତ ଗତିରେ ଆସୁଥିବାର ଦେଖି ତାକୁ ଅଟକାଇବା ଲାଗି ପ୍ରୟାସ କରିଥିଲେ । ହେଲେ ପୁଲିସ ଦେଖି ପିକପ୍ ଭ୍ୟାନ୍ ଡ୍ରାଇଭର ଜଣଙ୍କ ଦ୍ରୁତ ଗତିରେ ସେଠାରୁ ଖସି ପଳାଇବାକୁ ପ୍ରୟାସ କରିଥିଲା । ଫଳରେ ପେଟ୍ରୋଲିଂ ଟିମ ଗାଡିର ପିଛା କରି କିଛି ଦୁରରେ ଗାଡିକୁ ଅଟକାଇବାରେ ସଫଳ ହୋଇଥିଲେ । ଏହି ସମୟରେ ଦୁଇ ଅଭିଯୁକ୍ତ ପୁଲିସକୁ ଗାଳିଗୁଲଜ କରିବା ସହ ଧମକ ଦେବା ଆରମ୍ଭ କରିଥିଲେ । ଫଳରେ ପୁଲିସ ଟିମ ସେମାନଙ୍କୁ କାବୁ କରି ଗାଡକୁ ତଲାସି ବେଳେ ଗାଡି ଭିତରେ ଅତି ନିର୍ଦ୍ଦୟ ତଥା କ୍ରୁର ଭାବେ ୧୦ଟି ଗାଈଗୋରୁଙ୍କୁ ଦେଖିବାକୁ ପାଇଥିଲେ । ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୦ଟି ଗାଈକୁ ଉଦ୍ଧାର କରାଯାଇ ସ୍ଥାନୀୟ ଗୋଶାଳାକୁ ଛଡ଼ା ଯାଇଥିଲା ।