ଶିକାରୀକୁ ୪ ବର୍ଷ ଦଣ୍ଡାଦେଶ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ସିଜେଏମ କୋର୍ଟରେ ବୁଧବାର ଏକ ବନ୍ୟଜନ୍ତୁ ଶିକାର ମାମଲାର ରାୟ ପ୍ରକାଶ ପାଇଛି । ଜଜ୍ ଦେବାଶିଷ ମହାନ୍ତି ଏହାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ଥ କରି ୪ବର୍ଷ ଲେଖାଏଁ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହା ସହ ୫୦ହଜାର ଟଙ୍କା ଜରିମାନା ଅନାଦେୟ ଅତିରିକ୍ତ ୧ବର୍ଷ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଦ୍ୱୟ ହେଲେ କପ୍ତିପଦା ଥାନା ଅଧିନ ବଡଜୁନପାଳ ଗ୍ରାମର ନିର୍ମଳ ବିରୁଆ(୨୭) ଓ ପ୍ରେମ ମୁଣ୍ଡା(୩୫) । ସୂଚନା ଅନୁଯାୟୀ, ୨୦୨୦ ଜୁନ ୨୩ରେ ଅଭିଯୁକ୍ତ ଦ୍ୱୟ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ବାଗହନ୍ତା ବିଟ୍ ଅଞ୍ଚଳରେ ଶିକାର ନିମନ୍ତେ ପ୍ରବେଶ କରିଥିଲେ । ସେଠାରେ ବଡି ଭୋରରୁ ଏକ ହରିଣକୁ ଶିକାର କରି ତାର ମାଂସକୁ କାଟି ଘରକୁ ଫେରୁଥିଲେ । କପ୍ତିପଦା ବନବିଭାଗ ରେଞ୍ଜ ଅଫିସର ପୋଡାଡିହା ସେକ୍ସନର କର୍ମଚାରୀ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ବାଗହନ୍ତା କର୍ମଚାରୀମାନେ ସଦଳ ବଳେ ଚଢାଉ କରି ଦୁଇ ଜଣକୁ ଅଟକ ରଖି ପଚରାଉଚୁରା କରିଥିଲେ । ତାଙ୍କ ଠାରୁ ଦୁଇଟି ଧନୁ, ୧୨ଟି ତୀର, ଗୋଟିଏ କୁରାଢୀ, ଶିକାର ସରଞ୍ଜାମ ସହିତ ହରିଣ ମାଂସକୁ ଜବତ କରିଥିଲେ । ୫ଜଣ ସାକ୍ଷୀ ଓ ବନବିଭାଗର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି । ତେବେ ଶିମିଳିପାଳରେ ଶିକାର ଅଭିଯୋଗରେ ଲଗାତାର ତୃତୀୟ ଥର ଦଣ୍ଡାଦେଶ ମିଳିଛି । ଏହି ସଫଳତା ଶିମିଳିପାଳକୁ ଶିକାର ମୁକ୍ତ କରିବା ପାଇଁ ଆହୁରି ମଜବୁତ କରିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଉପ ନିଦେ୍ର୍ଦଶକ ସମ୍ରାଟ ଗୌଡା ପ୍ରକାଶ କରିଛନ୍ତି ।