ଗ୍ରାମବାସୀଙ୍କ ଦ୍ୱାରା ଅଟକ ଗାଡି ଛାଡ୍ ପାଇଗଲା

 ବ୍ରହ୍ମବରଦା : ରାଜ୍ୟ ସରକାର ବେଆଇନ ବାଲି ପରିବହନକୁ ଅଙ୍କୁଶ ଲଗାଇଛନ୍ତି । ଏନେଇ ପ୍ରତି ଥାନା ଓ ଖଣି ବିଭାଗ ତିକ୍ଷ୍ମ ନଜର ରଖିବା ସହିତ ବେଆଇନ ଘାଟ ଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଦେ୍ର୍ଦଶ ରହିଛି । ହେଲେ ଚୋରା ବାଲି ମାଫିଆ ଏସବୁକୁ ଖାତିର ନକରି ସ୍ଥାନୀୟ ପୁଲିସ ଓ ଜିଲ୍ଲା ଖଣି ଅଧିକାରୀଙ୍କ ମିଲିଭଗତରେ ଦିନରାତି ବେଆଇନ ଭାବେ ବାଲି ଲୁଟୁଥିବା ଅଭିଯୋଗ ହୋଇଛି । ତେବେ ଗଲାକାଲି ଗ୍ରାମବାସୀ ବାଲି ଘାଟରୁ ବେଆଇନ ବାଲି ବୋଝେଇ ଗାଡି ଗୁଡିକୁ ଅଟକ ରଖିବା ସହିତ ସ୍ଥାନୀୟ ପୁଲିସରେ ଜିମା ଦେଇଥିଲେ । ହେଲେ ଗାଡ଼ି ଗୁଡ଼ିକ ଛାଡ଼ପାଇଗଲା । କେମିତି ଏବଂ କ’ଣ ପାଇଁ ତାର ଟେର କେହି ପାଇଲେ ନି ।
ସୂଚନାଥାଉକି ୨୦୨୦/୨୧ ମସିହାରେ ରସଲପୁର ତହସିଲ ଅଧିନ ମଙ୍ଗରାଜପୁର ପଞ୍ଚାୟତ ଲଙ୍କାବାଲିସାହି ବାଲିଘାଟକୁ ବାର୍ଷିକ ୪୭ ଲକ୍ଷ ୩୫ ହଜାର ୬୫୮ ଟଙ୍କାରେ ବାଲି ଉଠାଇବା ନେଇ ଅନୁମତି ଦିଆଯାଇଥିଲା । ଏହି ଘାଟରୁ ମୁଖ୍ୟ ରାସ୍ତାକୁ ଆସିବା ପାଇଁ ସ୍ୱତନ୍ତ୍ର ରୁଟ୍ ମ୍ୟାପର ବ୍ୟବସ୍ଥା କରାଯାଇଛି । ବାଲିଘାଟରୁ ସିଧା ଲଙ୍କାବାଲିସାହି ବାଲିଗୁଡା, ଜମାଳପୁର, ଖଣ୍ଡାସ ଗାଁ ମଧ୍ୟଦେଇ ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାରେ ପହଁଚିବା ନେଇ ରୁଟ୍ ମ୍ୟାପ ଦିଆଯାଇଛି । ହେଲେ  ଲିଜ୍ଧାରୀ ବେଆଇନ ଭାବେ ଧର୍ମଶାଳା ତହସିଲ ଅଧିନ ମଙ୍ଗଳପୁର ଅଞ୍ଚଳରୁ ବେଆଇନ ବାଲି ଉଠାଇ ବ୍ରହ୍ମବରଦା ସେତୁ ପାର୍ଶ୍ୱ ଦେଇ କିଛି ଚାଷୀଙ୍କ ଜମିକୁ ଜବର ଦଖଲ କରି ଗଳା ରାସ୍ତା ବନେଇ ବାଲି ଗାଡିକୁ ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟରାସ୍ତାରେ ପହଁଚାଯାଉଛି । ଯାହାଫଳରେ ଧର୍ମଶାଳା ବାସିନ୍ଦା ବାଲି ଠୁ ଆରମ୍ବ କରି ଚାଷଜମି, ରାସ୍ତାଘାଟ ସବୁଥିରେ କ୍ଷତି ସହୁଥିବା ବେଳେ, ଗଢିଆ ପୋଖରୀ କରି ମାତ୍ରାଧିକ ବାଲି ଉଠାଇ ନେଉଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଯାହାକୁ ନେଇ ମଙ୍ଗଳପୁର ଗ୍ରାମବାସୀ ଏକତ୍ରିତ ହୋଇ ବାଲି ପରିବହନ କରୁଥିବା ୩ଟି ଡମ୍ଫର ଓ ବାଲି ଉଠା ମେସିନକୁ ଅଟକ ରଖି ବ୍ରହ୍ମବରଦା ଥାନାକୁ ଜଣାଇଥିଲେ । ବ୍ରହ୍ମବରଦା ଥାନା ପକ୍ଷରୁ ଘଟଣା ସ୍ଥଳରେ ପହଁଚିଥିଲା । ପରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହିତ କଣ ନିଷ୍ପତିି ନେଲେ ଯେ ଗାଡି ଗୁଡିକୁ ଛାଡି ଦିଆଯାଇଥିବା ଜଣାପଡିଛି । କିନ୍ତୁ ଅନ୍ୟ ପକ୍ଷରେ ଦିନରେ ବାଲି ପରିବହନ କରିବା ବେଆଇନ ହୋଇଥିଲେ ମଧ୍ୟ ଜିଲ୍ଲା ଖଣି ଅଧିକାରୀଙ୍କ ଉପସ୍ଥିତିରେ ଏସବୁ ଚାଲୁଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଓ ଗ୍ରାମବାସୀଙ୍କ ଦ୍ୱାରା ଅଟକ ଗାଡିକୁ ଛାଡିଦେବା ବିଭାଗୀୟ ଅଧିକାରୀମାନଙ୍କ କାର୍ଯ୍ୟଧାରା ଅନ୍ୟକିଛି ଇଙ୍ଗିତ କରୁଛି । ଏନେଇ ବ୍ରହ୍ମବରଦା ଥାନା ଆଇଆଇସି ଜୟନ୍ତୀ ମଲ୍ଲିକଙ୍କୁ ପଚାରିବାରୁ ଏବିଷୟରେ ଆମକୁ ନ ପଚାରି ଜିଲ୍ଲା ଖଣି ଅଧିକାରୀଙ୍କୁ ପଚାରନ୍ତୁ ବୋଲି ସେ କହିଥିଲେ ।