‘କ୍ୟାପଟେନ’ ଭାବେ କ୍ୟାପଟେନଙ୍କୁ ଗ୍ରହଣ କରିବାକୁ ନାରାଜ ଛାମୁଆ ନେତା
ଯାଜପୁର : ବର୍ଷକ ତଳେ ସୂର୍ଯ୍ୟପ୍ରଭା ଲେଖିଥିଲା ବଡ଼ଚଣା ବିଜେଡ଼ିର ମଙ୍ଗ ଧରିବ କିଏ । ଜନ୍ମେଜୟ, ରାଜନାରାୟଣ ନା ଅମର । ଆରମ୍ଭରୁ ଏକଥା ଉପସ୍ଥାପନ କରିବାର କାରଣଟି ହେଉଛି ଗଲା ସାଧାରଣ ନିର୍ବାଚନରେ ବଡ଼ଚଣାରୁ ବିଜେଡିର ପ୍ରାର୍ଥି ହୋଇଥିବା ବର୍ଷା ପ୍ରୀୟଦର୍ଶନୀ ହାରିବା ପରେ ଉଭାନ ହୋଇଯାଇଥିଲେ । ଏଣୁ ବଡ଼ଚଣା ରାଜନୈତିକ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ବଡ଼ଚଣା ବିଜେଡତର ମଙ୍ଗ ଧରିବ କିଏ? ଯଦି ବର୍ଷକ ପଛକୁ ଦେଖାଯାଏ ବର୍ଷା ହାରିଯିବା ପରେ ଥରେ କିମ୍ବା ଦୁଇଥର ବଡ଼ଚଣାରେ ପାଦ ଦେଇଛନ୍ତି । ବିଜେଡି ହାଇକମାଣ୍ଡ ବରିଷ୍ଠ ନେତା ଅମର ଶତପଥୀଙ୍କୁ ବଏକଟ କରିବା ପରେ ସେ ଏକ ପ୍ରକାର ଦଳରୁ ଦୂରେଇ ଯାଇଛନ୍ତି । ବଡ଼ଚଣାରେ ଏକ ପ୍ରକାର ଦବଦବା ରଖିଥିବା ଅମର ବର୍ଷକ ଭିତରେ ବିଜେଡିକୁ ଏକାଧିକବାର କୋଷିଛନ୍ତି । ଏଣୁ ଅମର ବଡ଼ଚଣା ବିଜେଡିର ନେତୃତ୍ୱ ନେବେ ଏହା ଭାବିବା ମୁର୍ଖାମୀ ହେବ । ଅନ୍ୟତମ ରହିଲେ ଜନ୍ମେଜୟ ଲେଙ୍କା । କଂଗ୍ରେସରୁ ରାଜନୀତି ଆରମ୍ଭ କରି ବିଜେଡିରେ ଲମ୍ପ ଦେଇଥିଲେ । ଆଶା ରଖିଥିଲେ ଦଳ ତାଙ୍କୁ ବଡ଼ଚଣାରୁ ପ୍ରାର୍ଥି କରିବ । କିନ୍ତୁ ତାଙ୍କ ଆଶା ଆଶାରେ ରହିଗଲା । ଦଳ ତାଙ୍କୁ ନାଁକୁ ମାତ୍ର ପଦରେ ବସାଇ ରଖିବାପରେ ସେ ଏକ ପ୍ରକାର ବଡ଼ଚଣା ବିଜେଡିକୁ ଭୁଲି ଯାଇଛନ୍ତି କହିଲେ ଭୂଲ ହେବନି । ରହିଲେ ରାଜନାରାୟଣ ମହାପାତ୍ର । ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ସୁପୁତ୍ର ରାଜନାରାୟଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଶଙ୍ଖ ଫୁଙ୍କିଥିଲେ । ଆଶା କରିଥିଲେ ଦଳ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବ । ମାନେ ଦଳୀୟ ଟିିକେଟ । ବଡ଼ଚଣାରୁ ୩ଜଣ ଆଶାୟୀଙ୍କ ଆଶାରେ ଧୂଳି ପକାଇ ବର୍ଷା ବଡ଼ଚଣାକୁ ଆଗମନ କରିଥିଲେ । ବର୍ଷା ଫେରିଯିବା ପରେ ଅମର, ଜନ୍ମେଜୟ ବିଜେଡ଼ି ରାଜନୀତିରେ ଧାରଧରୁନଥିବା ବେଳେ କ୍ୟାପଟେନ ରାଜନାରାୟଣ ବଡ଼ଚଣା ବିଜେଡ଼ିର କ୍ୟାପେଟେନ ହେବାକୁ ଆଗେଇ ଆସିଥିଲେ । ବିଭିନ୍ନ ସମୟରେ ବୈଠକ ମାନ କରି ସେ ଅଛନ୍ତି, ବିଜେଡି ଅଛି ବୋଲି ଏକ ପ୍ରକାର ବାର୍ତା ଦେଇଚାଲିଥିଲେ । କିନ୍ତୁ ବଡ଼ଚଣା ବିଜେଡି କ୍ୟାପଟେନ ଭାବେ ଦଳର ଛାମୁଆ ନେତା ଗ୍ରହଣ କରିବାକୁ ନାରାଜ ଏକଥା ବୁଧବାର ଚଣ୍ଡିଖୋଲ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରୁ ଜଣାପଡିଛି । ବିଜେଡ଼ି ବଡ଼ଚଣାର ପରାମର୍ଶ ଦାତା କମିଟି, ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା, ପଞ୍ଚାୟତ ସଭାପତି ମାନଙ୍କୁ ସମ୍ବର୍ଦ୍ଧିିତ କରାଯିବାକୁ ଆୟୋଜିତ ସମ୍ବର୍ଦ୍ଧନା ସଭା ବଡ଼ଚଣା ବିଜେଡି ଗୋଠ ଏକାଠି ନାହିଁ ବୋଲି ଜଳଜଳ ହେଇ ଦେଖାଯାଇଥିଲା । ବିଜେଡି ବଡ଼ଚଣା ନିବେଦିତ ସମ୍ବର୍ଦ୍ଧନା ସଭାରେ ନଥିଲେ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି କି ଉପାଧ୍ୟକ୍ଷ ବିଭାସ ନନ୍ଦ କିମ୍ବା ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଏବଂ ଦଳର ଅନ୍ୟତମ ତୁଙ୍ଗ ନେତା ଯତିନ୍ଦ୍ର ନାୟକ ଥିଲେ । କିନ୍ତୁ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ । ଯିଏକି ଗଲା ନିର୍ବାଚନରେ ୬ଥର ବିଧାୟକ ଅମର ଶତପଥୀଙ୍କ ପ୍ରାର୍ଥିତ୍ୱକୁ ନେଇ ବିରୋଧ ଖୋଲା ମଞ୍ଚରେ କରି ନ ଥିଲେ ନିଜେ ପ୍ରାର୍ଥି ହେବାକୁ ମଧ୍ୟ ଲବି ଚଲାଇଥିଲେ । କିନ୍ତୁ ଏହି ସମ୍ବର୍ଦ୍ଧନା ସଭାଟି ଦଳୀୟ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଇଥିଲା । ଯାହା ରାଜନୈତିକ ମହଲରେ ଯେତିକି ଚର୍ଚ୍ଚା ହେଉଛି, ସାଧାରଣରେ ମଧ୍ୟ ସେତିକି ଆଲୋଚନା ହେଉଛି । ଆଲୋଚନା ହେଉଛି କ୍ୟାପଟେନ ରାଜନାରାୟଣ ବଡ଼ଚଣା ବିଜେଡ଼ିର କ୍ୟାପଟେନ ହେବାକୁ ଗୋଟି ଚଳାଇ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଏକାଠି କରିବାକୁ ଚାହିଁଥିଲେ ହେଁ ତାହା ଫସରଫାଟିଗଲା । କ୍ୟାପଟେନଙ୍କୁ ‘କ୍ୟାପଟେନ’ ଭାବେ ଅନୁପସ୍ଥିତ ବିଜେଡ଼ି ନେତା ମାନିବାକୁ ନାରାଜ ବୋଲି ଏକ ପ୍ରକାର ବାର୍ତା ଦେଇପାରିଛନ୍ତି । କ୍ୟାପଟେନଙ୍କ ସାଙ୍ଗରେ ପୁରୁଣା କଂଗ୍ରେସ କର୍ମୀ ରହିଥିବା ବେଳେ ତାଙ୍କୁ କ’ଣ ବିଜେଡ଼ି କର୍ମୀ ଗ୍ରହଣ କରିପାରୁ ନାହାନ୍ତି କି? । କାହିଁଁକି ନା ବୁଧବାର ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ କମିଟିରେ ସ୍ଥାନ ପାଇଥିବା ଅନେକ ନେତୃତ୍ୱ, ପଞ୍ଚାୟତ ସଭାପତି, ସରପଞ୍ଚ, ସମିତି ସଭ୍ୟ, ୫ରୁ ୪ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଅନୁପସ୍ଥିତ ରହିବା ଦର୍ଶାଉଛି । କେବଳ ଏତକ ନୁହେଁ ନିର୍ବାଚନରେ ମୁଖ୍ୟ ଦାୟୀତ୍ୱ ତୁଲାଉଥିବା ରାଜ୍ୟ ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କାଙ୍କୁ ବି ସଭାରେ ଦେଖିବାକୁ ମିଳିନଥିଲା । ବଡ଼ଚଣା ବିଜେଡ଼ିର ଛାମୁଆ ନେତା କ୍ୟାପଟେନଙ୍କ କ୍ୟାପଟେନ ସିପକୁ ଗ୍ରହଣ କରନ୍ତିନି ଏହା ଏକ ପ୍ରକାର ହାଇକମାଣ୍ଡଙ୍କୁ ବାର୍ତା ଦେଇନାହାନ୍ତି କି? ଗୋଟିଏ କଥା ସ୍ପଷ୍ଟ ବଡ଼ଚଣାରେ ନେତୃତ୍ୱ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଛି । ଆଗକୁ ଦେଖିବାର ଅଛି କନ୍ଦଳ କେତେ ବାଟ ଯାଉଛି ।