ଚୋରାମାଟି ଚାଲାଣର ହବ ପାଲଟିଛି ବାଘୁଆ ପାହାଡ଼

ଚୋରାମାଟି ଚାଲାଣର ହବ ପାଲଟିଛି ବାଘୁଆ ପାହାଡ଼


ଜାରକା: ଲଘୁ ଖଣିଜ ଚୋରୀକୁ ରୋକିବାକୁ ଯାଜପୁର ଜିଲାରେ ସ୍ୱତନ୍ତ୍ର କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ତହସିଲ ପ୍ରଶାସନ ମଧ୍ୟ ନିୟୋଜିତ ରହିଛି । ହେଲେ ଖଣି କି ତହସିଲ ପକ୍ଷରୁ ଲଘୁ ଖଣିଜ ଚୋରା କାରବାର ଉପରେ ଲଗାମ ଲଗାଇପାରୁନି । ଧର୍ମଶାଳା ତହସିଲ ଇଲାକରେ ଖୁଲମଖୁଲା ଚୋରି ଚାଲିଥିବା ବେଳେ ବାଘୁଆ ପାହାଡ଼କୁ ଚୋରା ମାଟି ଚାଲାଣର ହବ କରି ଦିଆଯାଇଛି । ଧର୍ମଶାଳା ତହସିଲ ଅନ୍ତର୍ଗତ ଅଂଜିରା ପଞ୍ଚାୟତର ବାଘୁଆ ପାହାଡ଼ରୁ ଦିନ ଦ୍ୱିପହରେ ଶହ ଶହ ଟ୍ରିପ୍ ମାଟି ବେଆଇନ ଭାବେ ଚାଲାଣ ହେଉଛି । ଡିଡିବିଏଲ୍ ନାମକ ଏକ କଂପାନି ବାଘୁଆ ୪ ନମ୍ବର ଖଣିର ଖାତା ନମ୍ବର ୧୭୨୯ ଏବଂ ନମ୍ବର ୬୭୩, ୧୩୪୩ ଉପରେ ୬ ଏକର ଜାଗାକୁ ଲିଜ୍ ସୂତ୍ରରେ ନେଇ ଉତୋଳନ କରୁଛି । ସଂପୃକ୍ତ ଅଞ୍ଚଳରୁ ମାଟି ଉଠାଣ ହେଉଥିବା ବେଳେ ଏନେଇ କିନ୍ତୁ କେହି କିଛି ପ୍ରତିକ୍ରିୟା ଦେଉ ନାହାନ୍ତି ।  ସଂପୃକ୍ତ କମ୍ପାନୀ ସେଠାରୁ ମାଟି ଉଠାଇ ଜେନାପୁର ଥାନା ତାରିଣୀ ଛକରେ ନିର୍ମାଣାଧୀନ ଏକ ମେଗା କ୍ରସରରେ ପକାଉଥିବାର ଦେଖାଯାଉଛି । ତେବେ ସେଠାରେ ପାହାଡ଼ରୁ ନେଇ ପକାଇବାକୁ କିଏ ଅନୁମତି ଦେଇଛି ଏ ନେଇ କେହି ମୁହଁ ଖୋଲୁ ନାହାନ୍ତି । ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ବିପୁଳ ରାଜସ୍ୱ ହରାଉ ଥିବା ବେଳେ ମାଟି ଉଠାଉ ଥିବା ସଂସ୍ଥା ବା ବ୍ୟକ୍ତି ମାଲାମଲ ହେଉଛନ୍ତି । ଏ ସଂପର୍କରେ ବଳରାମପୁର-୧ ରାଜସ୍ୱ ନୀରିକ୍ଷକ ଚନ୍ଦନ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇ ନଥିଲେ । ଖଣି ବିଭାଗ ପାଖରେ ତଥ୍ୟ ଥାଇ ପାରେ ବୋଲି ଖଣି ଉପ ନିଦେ୍ର୍ଦଶକ ଜୟ ପ୍ରକାଶ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବେ ବୋଲି କହିଛନ୍ତି ।