ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଚେତାବନୀ : କାମ ବିଳମ୍ବ ହେଲେ ଦରମା ବନ୍ଦ
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ମଧ୍ୟରେ ଉନ୍ନତମାନକୁ ବଜାୟ ରଖି ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କର । କାମ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା କାଟ ହେବ । ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା କାଳରେ ଏଭଳି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ରବି ନାରାୟଣ ନାଏକ ।
ଭୁବନେଶ୍ୱର ସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ୬୦ଟି ବିଭାଜନର କାର୍ଯ୍ୟର ସମୀକ୍ଷା କରାଯାଇଛି । ପିଏମ୍ ଜିଏସୱାଇ-୪ରେ ରାଜ୍ୟ ଜାତୀୟସ୍ତରରେ ଉନ୍ନତ ପ୍ରଦର୍ଶନ କରିଥିବାରୁ ସେ ବିଭାଗର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧୀନରେ ୫୨୧ଟି ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ୫ ହଜାର କିମି ରାସ୍ତା, ସେତୁ ବନ୍ଧନ ଯୋଜନାରେ ୪ ଶହ ସେତୁ ଓ ୨୫୩ କୋଠାର ନିର୍ମାଣ ଅଗ୍ରଗତି ବିଷୟରେ ସବିଶେଷ ସମୀକ୍ଷା କରି ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । କିଛି ବିଭାଜନ ଆଶାନୁରୂପ ପ୍ରଦର୍ଶନ କରିନଥିବାରୁ ସେଠାକାର ସ୍ଥିତି ଓ ଉନ୍ନତ ପ୍ରଦର୍ଶନର ମାର୍ଗ ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ୫ ବର୍ଷ ମଧ୍ୟରେ ୩୦ ହଜାର କିମି ରାସ୍ତା, ୫ ଶହ ସେତୁର ନିର୍ମାଣ ଲକ୍ଷ୍ୟକୁ ବିଭାଗ ଯେପରି ସଫଳତାର ସହ ହାସଲ କରିବ ତାହା ବିଭାଗର ସମସ୍ତଙ୍କ ଦାୟିତ୍ୱ । ଏହା ରାଜ୍ୟର ବିକାଶକୁ ବହୁଗୁଣିତ କରିବା ସହ ବିକଶିତ ଓଡିଶା ଗଠନରେ ପ୍ରଭାବୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ନାଏକ ପ୍ରକାଶ କରିଥିଲେ ।
ପ୍ରତିଟି ପ୍ରକଳ୍ପ ନିର୍ମାଣରେ ଉତ୍ତରଦାୟିତ୍ୱ ସ୍ଥିର କରିବାକୁ ମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ବିଭାଜନ ଗୁଡିକପାଇଁ ମାସିକ ନିର୍ମାଣ ଲକ୍ଷ୍ୟ ସ୍ଥିରୀକୃତ କରାଯିବା ସହ ସେଗୁଡିକର ମନିଟରିଂ ପାଇଁ ସେ ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟରେ ଯେଉଁ ପ୍ରକଳ୍ପ ଗୁଡିକର ନିର୍ମାଣ ବିଳମ୍ବିତ ଅବସ୍ଥାରେ ରହିଛି ସେଗୁଡିକର ସ୍ଥିତି ସମୀକ୍ଷା କରିବାପାଇଁ ଏକ କ୍ଷେତ୍ରୀୟ ଟିମ ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ । ପ୍ରତିଟି ପ୍ରକଳ୍ପ ନିର୍ମାଣରେ ମାନ ବଜାୟ ରଖିବା ସହ ସ୍ଥିରୀକୃତ ସମୟରେ ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ସେ ନିଦେ୍ର୍ଦଶ ଦେଇଥିଲେ । ଏହାସହ ଦାୟିତ୍ୱରେ ଅବହେଳା ଯୋଗୁଁ ନିର୍ମାଣରେ ବିଳମ୍ବ ଓ ନିର୍ମାଣ ମାନରେ ଅସଂଗତି ରହିଲେ ଉତ୍ତରଦାୟିତ୍ୱ ସ୍ଥିର କରି ଦରମାବନ୍ଦ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ୟାମିନୀ ଷଡଙ୍ଗୀ, ସର୍ବୋଚ୍ଚ ଯନ୍ତ୍ରୀ ପ୍ରଦୀପ କୁମାର ଜେନା, ସର୍ବୋଚ୍ଚ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ସର୍ବୋଚ୍ଚ ଯନ୍ତ୍ରୀ ଦେବେନ୍ଦ୍ର ସେଠୀ, ବରିଷ୍ଠ ଅଧିକାରୀ ସର୍ବେଶ୍ୱର ସିଂ, ଗୀତାରାଣୀ ପଟ୍ଟନାୟକ, ସଂଘମିତ୍ରା ଶତପଥୀ, ସମସ୍ତ ବରିଷ୍ଠ ଯନ୍ତ୍ରୀ, ୬୦ଟି ବିଭାଜନର କ୍ଷେତ୍ରୀୟ ଅଧିକାରୀ ତଥା ଯନ୍ତ୍ରୀ ଉପସ୍ଥିତ ଥିଲେ ।...