ଗ୍ରୀଷ୍ମ ପ୍ରବାହର ମୁକାବିଲା ବୈଠକ : ପାନୀୟ ଜଳ ସମସ୍ୟାର ହେବ ସମାଧାନ
କେନ୍ଦୁଝର : ଚଳିତବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ରେ ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହିତ ଜଳକ୍ଳିଷ୍ଟ ଅଂଚଳରେ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଗ୍ରୀଷ୍ମପ୍ରବାହ ସମୟରେ ସତର୍କତା ଅବଲମ୍ବନ ନିମନ୍ତେ ପୋଷ୍ଟର, ଲିଫ୍ଲେଟ୍ ଆଦି ପ୍ରଚାରପତ୍ର ଗାଁ ଗହଳିରେ ବ୍ୟାପକ ବଂଟନ ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଗ୍ରୀଷ୍ମଋତୁରେ ଯେମିତି ପାନୀୟ ଜଳର ସମସ୍ୟା ରହିବ ନାହିଁ, ଅଚଳ ନଳକୂପଗୁଡିକର ତୁରନ୍ତ ମରାମତି ଏବଂ ହାଟବଜାର, ବସ୍ ଷ୍ଟାଣ୍ଡ୍ ତଥା ଜନଗହଳି ସ୍ଥାନମାନଙ୍କରେ ଜଳଛତ୍ର ଖୋଲି ପାନୀୟ ଜଳର ବ୍ୟବସ୍ଥା ଉପରେ ଜିଲ୍ଲାପାଳ ଶ୍ରୀ ସିଂହ ଗୁରୁତ୍ୱାରୋପ କରି ସଂପୃକ୍ତ ଅଧିକାରୀମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ପାନୀୟଜଳ ସମସ୍ୟା ଥିବା ଶିକ୍ଷାନୁଷ୍ଠାନ/ହଷ୍ଟେଲରେ ପାନୀୟ ଜଳ ଯୋଗାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଗ୍ରୀଷ୍ମ ପ୍ରବାହଜନିତ ଯେପରି କୌଣସି ଜୀବନ ହାନୀ ନଘଟିବ ସେଥିପାଇଁ ସମସ୍ତେ ଦୃଢ ମାନସିକତା ରଖି ସଦା ତତ୍ପର ରହି କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଏତଦ ବ୍ୟତୀତ ପଶୁସମ୍ପଦ ପାଇଁ ପିଇବା ପାଣି, ଗ୍ରୀଷ୍ମପ୍ରବାହ ସମୟରେ କ’ଣ କରିବା ଉଚିତ୍ ଓ କଣ ନକରିବା ଉଚିତ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା, ଅଂଶୁଘାତଜନିତ ମୃତୁ୍ୟ ମାମଲାର ତୁରନ୍ତ ତଦନ୍ତ ଆଦି ପ୍ରସଙ୍ଗ ଉପରେ ବୈଠକରେ ବିଶଦଭାବେ ଆଲୋଚନା ହୋଇଥିଲା । ଅଂଶୁଘାତଜନିତ ମୃତୁ୍ୟ ଘଟଣାର ଯୁଗ୍ମ ତଦନ୍ତ କରି ୨୪ ଘଂଟା ମଧ୍ୟରେ ଜିଲ୍ଲା ଆପତକାଳୀନ କାର୍ଯ୍ୟାଳୟକୁ ପଠାଇବା ପାଇଁ ତହସିଲଦାର ଓ ମେଡିକାଲ୍ ଅଫିସରମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ପ୍ରାରମ୍ଭରେ ଡେପୁଟି କଲେକ୍ଟର ଆପତକାଳୀନ କିରଣ ନାଏକ ସ୍ୱାଗତ ଭାଷଣ ଦେବା ସହ ପ୍ରସ୍ତୁତି ବୈଠକର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରି ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ କେନ୍ଦୁଝରର ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ମିର୍ଦ୍ଧା ଟପ୍ପ, ଉପଜିଲ୍ଲାପାଳ ଆନନ୍ଦପୁର ଫାଲଗୁନି ମାଝୀ, ଉପଜିଲ୍ଲାପାଳ ଚମ୍ପୁଆ ଉମାକାନ୍ତ ପରିଡା, ଏସିଏଫ ଅଶୋକ ଦାସଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।