କଳାପଥର ଲୁଟ ପଛରେ ପ୍ରଶାସନ ହାତ
ଯାଜପୁର : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ (ଜିତୁ) କଳାପଥର ଲୁଟକୁ ନେଇ ତେରେଛାବାଣ ମାରିଛନ୍ତି । ସିଧାସଳଖ ଏବର ବିଧାୟକଙ୍କୁ ଟାର୍ଗେଟ ନକରି କଳାପଥର ଲୁଟ ପଛରେ ପ୍ରଶାସନର ହାତ ରହିଥିବା ଅଭିଯୋଗ ଆଣିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ଜିତୁ କହିଥିଲେ କି ର୍ମଶାଳାରେ ଏବେ ଯେଉଁ ଭଳି ଭାବେ କଳାପଥର ବେଆଇନ ଉତୋଳନ ହେଉଛି ତାହା ପୂର୍ବରୁ କେବେ ହୋଇ ନଥିଲା । କଳା ପଥର ଉତୋଳନ ପଛରେ ପ୍ରଶାସନର ପ୍ରଚ୍ଛନ୍ନ ହାତ ରହିଛି । ଜିତୁ ସିଧା ସଳଖ ଜିଲା ଖଣି ଉପ ନିର୍ଦେଶକ ଜୟ ପ୍ରକାଶ ନାୟକଙ୍କୁ ଟାର୍ଗେଟ କରିଥିଲେ । ଏଥି ସହିତ ବାଲି, ମୋରମ, ମାଟି ଯେଭଳି ଭାବେ ଧର୍ମଶାଳା ଅଂଳରୁ ଲୁଟ ହେଉଛି, ତାହାକୁ କିଭଳି ଜିଲାପାଳ ଜାଣିପାରୁ ନାହାନ୍ତି ବୋଲି ଜିତୁ ପ୍ରଶ୍ନ କରିଥିଲେ । କେବଳ ଜିଲାପାଳ ନୁହଁନ୍ତି ବିଜେପି ନେତା ତଥା ସୂଚନା କର୍ମୀ ସର୍ବେଶ୍ୱର ବେହୁରାଙ୍କ ଆଡ଼କୁ ମଧ୍ୟ ଅଙ୍ଗୁଳି ଉଠାଇଥିଲେ ଜିତୁ । କହିଥିଲେ କି ବିରୋଧୀ ଦଳରେ ଥିବା ବେଳେ ସର୍ବେଶ୍ୱର ଯେଉଁ ଭଳି ଖଣିଜ ଦ୍ରବ୍ୟ ଲୁଟର ଅଭିଯୋଗ ଆଣି ଗଣମାଧ୍ୟମରେ ଚର୍ଚାକୁ ଆସୁଥିଲେ ଏବେ କାହିଁକି ନିରବ ବସିଛନ୍ତି । ଡ଼ବଲ ଇଂଜିନ ସରକାରରେ ସର୍ବେଶ୍ୱରଙ୍କ ମୁହଁ ବନ୍ଦ ପଛରେ କାରଣ କ’ଣ ବୋଲି ପ୍ରଶ୍ନ କରିଥିଲେ ଜିତୁ । ଜିତୁ କିଛି ତଥ୍ୟ ଉପସ୍ଥାପନ କରି ଖଣି, ଜିଲାପାଳ, ପ୍ରଦୂଷଣ ବିଭାଗ ଏବଂ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସ୍ଥାନିୟ ବିଧାୟକ ଖଣି ଚୋରି ଉପରେ ରୋକ ଲଗାଇବା କଥା କହୁଥିବା ବେଳେ ଏବେ ଚୋରି ରୋକିବା ବଦଳରେ ଚୋରିକୁ ପ୍ରୋତ୍ସାହିତ କରୁ ନାହାଁନ୍ତି କି ବୋଲି ପ୍ରଶ୍ନ କରିଥିଲେ ।